ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣକୁ ବିଶେଷ ଗୁରୁତ୍ବ ଦିଆଯାଇଥାଏ । ଗରୁଡ଼ ପୁରାଣରେ ଅନେକ କଥା ଲୁଚି ରହିଛି । ଯାହା ଆମ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ଦେଇଥାଏ । ସ୍ବର୍ଗ ଓ ନର୍କକୁ ଯିବା ପାଇଁ ଆମକୁ ରାସ୍ତା ମଧ୍ୟ ଦେଖାଇଥାଏ । ଏଥିସହିତ ଏହା ଏକ ଏମିତି ପୁରାଣ ଯେଉଁଥିରେ ଜନ୍ମ ଓ ମୃତ୍ୟୁ ସହିତ ଜଡିତ ଥିବା ଅନେକ ପ୍ରଶ୍ନର ଉତ୍ତର ପ୍ରତି ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି ।
ଯେମିତି ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରତ୍ୟେକ ମାର୍ଗ ଦର୍ଶାଉଥିବା ବର୍ଣ୍ଣନା ହୋଇଛି ସେହିପରି ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ ଜଣେ ବ୍ୟକ୍ତିର ଭଲ ଓ ମନ୍ଦ କର୍ମ ଅନୁସାରେ ସେ ୮୪ ଲକ୍ଷ ଜାତିର ଜୀବନରେ ବିଚରଣ କରିବାକୁ ପଡିଥାଏ ବୋଲି କହିଛନ୍ତି । ପାପପୂର୍ଣ୍ଣ କାମ କରୁଥିବା ଲୋକଙ୍କୁ ନର୍କରେ ଭୟଙ୍କର ଯନ୍ତ୍ରଣା ଭୋଗିବାକୁ ପଡୁଥିବାବେଳେ ଭଲ କର୍ମ କରୁଥିବା ଲୋକଙ୍କୁ ଏକ ସୁଖଦ ଗତି ପ୍ରାପ୍ତ ହୋଇଥାଏ । ଗରୁଡ଼ ପୁରାଣରେ ଏମିତି କିଛି ମହାପାପ ସମ୍ପର୍କରେ ଉଲ୍ଲେଖ ଅଛି ଯେଉଁଥିରେ ବ୍ୟକ୍ତିଙ୍କୁ ଯମଲୋକରେ ଅସହ୍ୟ କଷ୍ଟ ସହିବାକୁ ପଡିଥାଏ ।
ଗରୁଡ଼ ପୁରାଣ ଅନୁସାରେ, ଜଣେ ଜୀବ ନିଜର କର୍ମ ଆଧାରରେ ବିଭିନ୍ନ ଯୋନିରେ ଜନ୍ମ ନେଇଥାଏ । ବୃକ୍ଷ, ଲତା, ପର୍ବତ, କୀଟ, ପଶୁ, ପକ୍ଷୀ ଏବଂ ଜଳଚର ଯୋନିରେ ଜନ୍ମ ହେବା ପରେ ଶେଷରେ ମଣିଷ ଯୋନିରେ ଜନ୍ମ ପାଇଥାଏ । ପାପି ବ୍ୟକ୍ତିଙ୍କୁ ବାରମ୍ବାର ନର୍କ ଯନ୍ତ୍ରଣା ଭୋଗି ନୂଆ ଯୋନିରେ ଜନ୍ମ ନେବାକୁ ପଡିଥାଏ । ଯେତେବେଳେ ଜଣେ ମଣିଷ ସତକର୍ମ କରି ପାପଠାରୁ ଦୂରେଇ ରୁହେ ସେତେବେଳେ ଏହି ଯନ୍ତ୍ରଣା ଚକ୍ରରୁ ମୁକ୍ତି ପାଇବା ସମ୍ଭବ ହୋଇଥାଏ ।
ଗରୁଡ଼ ପୁରାଣରେ ବୈତରଣୀ ନଦୀର ଭୟଙ୍କର ବର୍ଣ୍ଣନା କରାଯାଇଛି । ପାପି ଯମଲୋକ ଯାଉଥିବା ସମୟରେ ଏହି ନଦୀ ପାର କରିବାକୁ ପଡିଥାଏ । ଏହା ଫୁଟୁଥିବା ପାଣି, ରକ୍ତ ଓ ପୂଜ ଭରା ପାଣି । ବ୍ରହ୍ମହତ୍ୟା, ଗୋହତ୍ୟା, ଗର୍ଭପାତ, ଚୋରୀ ବିଶ୍ବାସଘାତକ, ଅନ୍ୟର ଧନ ହଡ଼ପ କରିବା ଭଳି ମହାପାପ କରିଥିବା ଲୋକଙ୍କୁ ଏହି ନଦୀକୁ ଫିଙ୍ଗାଯାଇଥାଏ ଏବଂ ଭୟଙ୍କର କଷ୍ଟ ସହିବାକୁ ପଡିଥାଏ ।
ବ୍ରହ୍ମହତ୍ୟା ଓ ଗୋହତ୍ୟା ସବୁଠାରୁ ବଡ଼ ମହାପାପ ବୋଲି ଗରୁଡ଼ ପୁରାଣରେ କୁହାଯାଇଛି । ବ୍ରାହ୍ମଣଙ୍କୁ ହତ୍ୟା କରିଥିବା ବ୍ୟକ୍ତି ନଚେତ୍ ଗାଈଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ନର୍କରେ ଅଧିକ କଷ୍ଟ ଭୋଗିବାକୁ ପଡିଥାଏ । ଗର୍ଭପାତକୂ ମଧ୍ୟ ବ୍ରହ୍ମହତ୍ୟା ଭଳି ପାପ ସହିତ ସମାନ । ଏଭଳି ବ୍ୟକ୍ତିଙ୍କୁ ଲୁହା କିଳା ହୋଇଥିବା ରାସ୍ତାରେ ଘୋଷାଡି ଘୋଷାଡି ନିଆଯାଇଥାଏ ।
ଯେଉଁ ବ୍ୟକ୍ତି କାହାର ବିଶ୍ବାସ ଭାଙ୍ଗିଥିବେ, ଧୋକା ଦେଇଥିବେ ଏବଂ ଅନ୍ୟ ଧନ ହଡ଼ପ କରିଥିବେ ଗରୁଡ଼ ପୁରାଣ ଅନୁସାରେ ତାଙ୍କୁ ବିଶେଷ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଯମଦୂତ ଏମିତି ଲୋକଙ୍କୁ ଗରମ ତେଲର କୁଣ୍ଡରେ ଫିଙ୍ଗି ଦେଇଥାଆନ୍ତି । ଚୋରି କରିଥିବା ଲୋକଙ୍କୁ ଲୁହା କଣ୍ଟା ଦ୍ବାରା ବିଦ୍ଧ କରାଯାଏ । ବିଶ୍ବାସଘାତକତା କରିଥିବା ଲୋକଙ୍କୁ ବାରମ୍ବାର ନିଜ ବିଶ୍ବାସଘାତକର ଦଣ୍ଡ ଯନ୍ତ୍ରଣା ସହିବାକୁ ପଡିଥାଏ ।
ଗୁରୁ, ଦେବତା, ବେଦ ପୁରାଣ ଏବଂ ଶାସ୍ତ୍ରକୁ ନିନ୍ଦା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଗରୁଡ ପୁରାଣରେ କୁହାଯାଇଛି ଯେ, ଏଭଳି ଲୋକ ଯମଲୋକର ଦକ୍ଷିଣ ଦ୍ବାରରେ ପ୍ରବେଶ କରିଥାଆନ୍ତି ଏବଂ ସେମାନଙ୍କ କର୍ମର କଠୋର ନିଷ୍ପତ୍ତି ନିଆଯାଏ ।
ଘର, ଗାଁ କିମ୍ବା ଜଙ୍ଗଲରେ ନିଆଁ ଲଗାଇ କଷ୍ଟ ପହଞ୍ଚାଉଥିବା ଲୋକଙ୍କୁ ଗରୁଡ଼ ପୁରାଣରେ ମହାପାପୀ ବୋଲି କୁହାଯାଇଥାଏ । ଯମଦୂତ ଏଭଳି ଲୋକଙ୍କୁ ଅଗ୍ନିକୁଣ୍ଡରେ ପକାଇଥାଆନ୍ତି । ଯେତେବେଳେ ଜଣେ ଲୋକ ଛଟପଟ ହୋଇ ପାଣି ମାଗୁଥାଏ ସେତେବେଳେ ସେମାନଙ୍କୁ ଫୁଟୁଥିବା ତେଲ ପିଇବାକୁ ବାଧ୍ୟ କରାଯାଏ । ଅଧିକ ଜଳିବା ଫଳରେ ବ୍ୟକ୍ତି କହିପାରିନଥାଏ ।
ଗରୁଡ଼ ପୁରାଣ ସ୍ପଷ୍ଟ ଭାବରେ କୁହେ ଯେ, ମୁକ୍ତି କେବଳ ଭଲ କାମ, ଦାନ, ପୁଣ୍ୟ ଏବଂ ଭଗବାନଙ୍କ ପ୍ରତି ଭକ୍ତି ଦ୍ବାରା ସମ୍ଭବ ହୋଇଥାଏ । ଜଣେ ବ୍ୟକ୍ତି କେବଳ ପୁଣ୍ୟ କାମ ମାଧ୍ୟମରେ ପ୍ରାୟଶ୍ଚିତ କରି ଏହି ଚକ୍ରରୁ ରକ୍ଷା ପାଇପାରିବ । ଗରୁଡ଼ ପୁରାଣ ଆମକୁ ସତର୍କ କରାଇ ଦିଏ ଯେ ପାପର ଫଳ ନିଶ୍ଚିତ ଭୋଗିବ । ଯେଉଁମାନେ ଚୋରି, ବିଶ୍ବାସଘାତକତା, ହତ୍ୟା, ଅପବାଦ ଏବଂ ଅନ୍ୟର କ୍ଷତି କରିବା ଭଳି ପାପ କରନ୍ତି ସେମାନେ ଭୟଙ୍କର ନର୍କ ଯନ୍ତ୍ରଣା ଭୋଗ କରନ୍ତି ।
ତେଣୁ ଜୀବନରେ ଭଲ କାମ କରିବା ଜରୁରୀ । ଅନ୍ୟର କ୍ଷତି ନକରି ଭଗବାନଙ୍କୁ ଭକ୍ତି କରନ୍ତୁ । ଏହି ସୁକର୍ମ କେବଳ ଜୀବନରେ ସୁଖ ଆଣିଥାଏ ଏବଂ ନର୍କ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
