ଭୁବନେଶ୍ୱର : ଓଡ଼ିଶାରେ ଲ୍ୟାଣ୍ଡଫଲ୍ ନୁହେଁ, ହେଲେ ପ୍ରବଳ ବର୍ଷା ଆଶଙ୍କା । ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ଓଡ଼ିଶାରେ ହେବାର ସମ୍ଭାବନା ନାହିଁ, କିନ୍ତୁ ବାତ୍ୟାର ପ୍ରଭାବରୁ ରାଜ୍ୟ ବର୍ତ୍ତିପାରିବ ନାହିଁ । ୨୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସହ ୨୮ ତାରିଖରେ ଅଧିକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଓ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବାତ୍ୟାର କେନ୍ଦ୍ର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆକଳନ ରହିଥିଲେ ମଧ୍ୟ ଏହାର ବାହ୍ୟ ବର୍ଷାବଳୟ ଓଡ଼ିଶାରେ ପ୍ରଭାବ ପକାଇପାରେ ।
ପୂର୍ବାନୁମାନ ଅନୁସାରେ କାଲିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ୨୮ରେ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବା ସମୟରେ ଓଡ଼ିଶାରେ ବର୍ଷାର ତୀବ୍ରତା ଅଧିକ ହୋଇପାରେ । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ବର୍ଷାଜନିତ ବିପଦ ଉପରେ ବିଶେଷ ନଜର ରହିଛି । ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ହେଲେ ଦକ୍ଷିଣ ଓଡ଼ିଶାର ନଦୀନାଳରେ ଜଳସ୍ତର ବଢ଼ିପାରେ । ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା ସହ କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ।ବିଶେଷକରି ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି । ଏହାସହ ଧାନ ଓ ପନିପରିବା ଚାଷ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ।
ବାତ୍ୟା ମୁକାବିଲା ପାଇଁ ସରକାର ୮ ଜିଲ୍ଲାରେ ୮ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହି ୮ ଜଣ ମନ୍ତ୍ରୀ ତିନି ଦିନ ଧରି ସମ୍ପୃକ୍ତ ଜିଲ୍ଲାରେ ଉପସ୍ଥିତ ରହିବେ । ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ଉଦ୍ଧାର, ରିଲିଫ୍, ଆଶ୍ରୟସ୍ଥଳୀ, ଖାଦ୍ୟ, ପାନୀୟ ଜଳ ଓ ଜରୁରୀକାଳୀନ ସେବା ସମ୍ପର୍କିତ ପ୍ରସ୍ତୁତିର ତଦାରଖ କରିବେ । ବିଶେଷକରି ପାହାଡ଼ିଆ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା, ରାସ୍ତା ଯୋଗାଯୋଗ ଏବଂ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ ହେବ । ବାତ୍ୟାର କେନ୍ଦ୍ର ଓଡ଼ିଶା ଉପକୂଳ ଅତିକ୍ରମ ନକଲେ ମଧ୍ୟ ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ । ବାତ୍ୟା ଲ୍ୟାଣ୍ଡଫଲ୍ କରୁଥିବା ସ୍ଥାନଠାରୁ ଦୂରରେ ଥିବା ଅଞ୍ଚଳରେ ମଧ୍ୟ ବର୍ଷାଜନିତ କ୍ଷୟକ୍ଷତି ହୋଇପାରେ । ତେଣୁ ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ପାଣିପାଗ ସ୍ଥିତି ଉପରେ ନଜର ରଖିବା ସହ ପ୍ରଶାସନର ସତର୍କ ସୂଚନା ପାଳନ କରିବା ଜରୁରୀ ।
