ଭୁବନେଶ୍ୱର : ଓଡ଼ିଶାରେ ହିତାଧିକାରୀଙ୍କ ଭତ୍ତା ଚିନ୍ତା । କେନ୍ଦ୍ର ଅଂଶ ବ୍ୟାଙ୍କରେ, ରାଜ୍ୟ ଅଂଶ ନଗଦରେ । ଓଡ଼ିଶାରେ ଭତ୍ତା ହିତାଧିକାରୀଙ୍କ ପାଇଁ ନୂଆ ଚିନ୍ତା । ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ବଣ୍ଟନରେ ନୂଆ ବ୍ୟବସ୍ଥା ଆରମ୍ଭ କରୁଛନ୍ତି ରାଜ୍ୟ ସରକାର । ଏଣିକି କେନ୍ଦ୍ର ଓ ରାଜ୍ୟର ମିଳିତ ଅଂଶଦାନରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଦୁଇଟି ମାଧ୍ୟମରେ ଟଙ୍କା ମିଳିବ । କେନ୍ଦ୍ର ସରକାରଙ୍କ ଅଂଶ ବ୍ୟାଙ୍କ ଖାତାକୁ ଯିବ । ରାଜ୍ୟ ସରକାରଙ୍କ ଅଂଶ ନଗଦ ଆକାରରେ ଦିଆଯିବ। ଏହି ବ୍ୟବସ୍ଥା ବୟସ୍କ ଓ ଅସହାୟ ହିତାଧିକାରୀଙ୍କ ପାଇଁ କେତେ ସୁବିଧାଜନକ ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି ।
ନୂଆ ବ୍ୟବସ୍ଥା ଅନୁସାରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ମାସିକ ୧ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ୮୦୦ ଟଙ୍କା ନଗଦ ଓ ୨୦୦ ଟଙ୍କା ବ୍ୟାଙ୍କ ଖାତାରେ ମିଳିବ । ସେହିପରି ବିଧବା ଭତ୍ତା କ୍ଷେତ୍ରରେ ୭୦୦ ଟଙ୍କା ନଗଦ ଓ ୩୦୦ ଟଙ୍କା ବ୍ୟାଙ୍କ ଖାତାରେ ଜମା ହେବ । ୮୦ ବର୍ଷ ବା ତା’ଠାରୁ ଅଧିକ ବୟସର ଯୋଗ୍ୟ ହିତାଧିକାରୀଙ୍କୁ ମୋଟ ୩ ହଜାର ୫୦୦ ଟଙ୍କା ମଧ୍ୟରୁ ୩ ହଜାର ଟଙ୍କା ନଗଦ ଏବଂ ୫୦୦ ଟଙ୍କା ବ୍ୟାଙ୍କ ଖାତାରେ ଦିଆଯିବ । ତେବେ ଏହି ଦୁଇ ପ୍ରକାର ବଣ୍ଟନ ବ୍ୟବସ୍ଥା ଯୋଗୁଁ ହିତାଧିକାରୀଙ୍କୁ ଅଧିକ ହଇରାଣ ହେବାକୁ ପଡ଼ିପାରେ ।
ଗାଁରେ ରହୁଥିବା ଅନେକ ବୟସ୍କ ବ୍ୟକ୍ତିଙ୍କ ପାଇଁ ବ୍ୟାଙ୍କକୁ ଯିବା ସହଜ ନୁହେଁ। କେତେକ ସ୍ଥାନରେ ବ୍ୟାଙ୍କ ଶାଖା ଦୂରରେ ରହିଛି । ଯାତାୟାତ ପାଇଁ ଗାଡ଼ି ଭଡ଼ା କରିବାକୁ ପଡ଼ିଥାଏ । ଏପରି ସ୍ଥିତିରେ ଭତ୍ତାର ଗୋଟିଏ ଅଂଶ ପଞ୍ଚାୟତରୁ ଓ ଅନ୍ୟ ଅଂଶ ବ୍ୟାଙ୍କରୁ ନେବାକୁ ପଡ଼ିଲେ ବୟସ୍କ ହିତାଧିକାରୀଙ୍କ ସମସ୍ୟା ବଢ଼ିପାରେ । ବିଶେଷକରି ଚାଲିବାରେ ଅସୁବିଧା ହେଉଥିବା ବୟସ୍କ ବ୍ୟକ୍ତି, ଶଯ୍ୟାଶାୟୀ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କ ପାଇଁ ଏହି ବ୍ୟବସ୍ଥା ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଅନେକ ହିତାଧିକାରୀ ନିଜେ ବ୍ୟାଙ୍କକୁ ଯାଇପାରନ୍ତି ନାହିଁ । ସେମାନଙ୍କୁ ପରିବାର ସଦସ୍ୟଙ୍କ ସହାୟତା ନେବାକୁ ପଡ଼ିଥାଏ । ଏହା ସହିତ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ, ଇ-କେୱାଇସି ଓ ଟଙ୍କା ଜମା ହେବାରେ ବିଳମ୍ବ ଭଳି ସମସ୍ୟା ମଧ୍ୟ ରହିଛି। ଅନ୍ୟପକ୍ଷରେ ଭତ୍ତା ବଣ୍ଟନ ତାରିଖକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
ଘୋଷଣା ଅନୁସାରେ ଅକ୍ଟୋବର ଓ ନଭେମ୍ବର ମାସର ବକେୟା ରାଜ୍ୟ ଅଂଶ ନଭେମ୍ବର ୧୫ରେ ନଗଦରେ ବଣ୍ଟନ କରିବାର ବ୍ୟବସ୍ଥା ରହିଥିଲା । କିନ୍ତୁ ପରବର୍ତ୍ତୀ ସୂଚନାରେ ନଭେମ୍ବର ୨୫ରେ ମଧ୍ୟ ଭତ୍ତା ବଣ୍ଟନ କରାଯିବା କଥା କୁହାଯାଇଛି । ତେଣୁ କେଉଁ ହିତାଧିକାରୀ କେଉଁ ତାରିଖରେ ଟଙ୍କା ପାଇବେ, ସେନେଇ ସ୍ପଷ୍ଟ ସୂଚନା ପହଞ୍ଚିବା ଜରୁରୀ ହୋଇପଡ଼ିଛି । ଏହା ପୂର୍ବରୁ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନାରେ ୫ ଲକ୍ଷ ୫ ହଜାର ୮୧୭ ଜଣ ନୂଆ ହିତାଧିକାରୀଙ୍କୁ ସାମିଲ କରିଛନ୍ତି । ଏହା ସହିତ ଭତ୍ତା ପାଇଁ ରହିଥିବା କୋଟା ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ଭତ୍ତା ଦେବାକୁ ଘୋଷଣା କରାଯାଇଛି । ଏଥିପାଇଁ ୟୁନିଫାଏଡ୍ ପେନସନ ମ୍ୟାନେଜମେଣ୍ଟ ପୋର୍ଟାଲ୍ ମଧ୍ୟ ଆରମ୍ଭ ହୋଇଛି ।
ସରକାରଙ୍କ ଲକ୍ଷ୍ୟ ହେଉଛି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଠିକ୍ ସମୟରେ ଭତ୍ତା ପହଞ୍ଚାଇବା । କିନ୍ତୁ ନୂଆ ବ୍ୟବସ୍ଥାରେ ଦୁଇଟି ମାଧ୍ୟମରେ ଟଙ୍କା ଦେବା ପରିବର୍ତ୍ତେ ଗୋଟିଏ ସ୍ଥାନରୁ ସମ୍ପୂର୍ଣ୍ଣ ଭତ୍ତା ମିଳିପାରିବ କି ନାହିଁ, ତାହା ଏବେ ଏକ ବଡ଼ ପ୍ରଶ୍ନ । ବିଶେଷକରି ଗ୍ରାମାଞ୍ଚଳରେ ହିତାଧିକାରୀଙ୍କ ଘର ନିକଟରେ ଭତ୍ତା ବଣ୍ଟନ, ଅସୁସ୍ଥ ଓ ଶଯ୍ୟାଶାୟୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ବ୍ୟାଙ୍କ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଡିସେମ୍ବର ମାସରୁ ପ୍ରତି ମାସ ୧୫ ତାରିଖରେ ନିୟମିତ ଭତ୍ତା ବଣ୍ଟନ ପାଇଁ ସରକାର ଘୋଷଣା କରିଛନ୍ତି । ତେବେ ହିତାଧିକାରୀଙ୍କୁ ଦୁଇଟି ସ୍ଥାନକୁ ନଯାଇ ସହଜରେ ଓ ଠିକ୍ ସମୟରେ ସମ୍ପୂର୍ଣ୍ଣ ଭତ୍ତା ମିଳିବା ହିଁ ଏହି ବ୍ୟବସ୍ଥାର ସଫଳତାର ପ୍ରମୁଖ ମାପକାଠି ହେବ ।
