ନୂଆଦିଲ୍ଲୀ : କୁଆଡ଼େ ଗଲେ ସାର୍ଥକ ? ମଝି ସମୁଦ୍ରରୁ ଯୁବ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ରହସ୍ୟମୟ ଅନ୍ତର୍ଧାନକୁ ୪ ଦିନ ବିତିଲା । ହେଲେ ଏଯାଏ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ । ଶେଷଥର ଗତ ଦୁଇତାରିଖରେ ମାଆଙ୍କ ସହ କଥା ହୋଇଥିଲେ ସାର୍ଥକ । ଏହାପରଠୁ ତାଙ୍କର ମୋବାଇଲ ସୁଇଚ ଅଫ। ଏହି ମାମଲାରେ କେନ୍ଦ୍ରର ୪ଟି ବିଭାଗକୁ ଚିଠି ଲେଖିଛନ୍ତି ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର । ବନ୍ଦର, ସିପିଂ ଓ ଜଳପଥ ସଚିବଙ୍କୁ ଚିଠି ଲେଖିଲେ ପିଆରସି ବିଶାଲ ଗଗନ। ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ ଓ ସିପିଂ ଡିଜିଙ୍କୁ ଚିଠି ଲେଖିଛନ୍ତି ।
ଗତ ୩ ତାରିଖରୁ EA ଜେରସି ଭେସେଲରୁ ନିଖୋଜ ଅଛନ୍ତି ସାର୍ଥକ। ଜାହାଜରେ କାର୍ଯ୍ୟରତ ଥିବା ବେଳେ ମରିସସରୁ ଫେରିବା ବାଟରେ ମଝି ସମୁଦ୍ରରେ ସାର୍ଥକ ନିଖୋଜ ହୋଇଯାଇଛନ୍ତି। ସାର୍ଥକ ମହାପାତ୍ରଙ୍କ ମା’ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କରେ ଜଣାଇଥିଲେ। ପୁଅକୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି। । ନିଜ ରୁମରୁ ସାର୍ଥକ ନିଖୋଜ ହୋଇଯାଇଥିବାରୁ ଏହା ପଛରେ କିଛି ଷଡ଼ଯନ୍ତ୍ର ଥିବା ଆଶଙ୍କା କରୁଛନ୍ତି। ଭଦ୍ରକ ଜିଲ୍ଲାର ୨୩ ବର୍ଷୀୟ ଯୁବକ ସାର୍ଥକ ମହାପାତ୍ର ଗତ ୨୦୨୫ ଜୁଲାଇରେ Anglo-Eastern Ship Management’ ଅଧୀନରେ ଥିବା ଏକ ମାଲବାହୀ ଜାହାଜରେ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ଭାବେ ଯୋଗ ଦେଇଥିଲେ ।

