Friday, October 2, 2026
23.8 C
Odisha

    ଓପିଏସ୍‌ସି ମେଡିକାଲ ଅଫିସର ପରୀକ୍ଷାରୁ ବାଦ୍‌ ପଡ଼ିବେ ୪୦୦ ଡାକ୍ତରୀ ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ଚଳିତ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଡାକ୍ତର (ମେଡିକାଲ ଅଫିସର) ପଦ ପାଇଁ ପରୀକ୍ଷାରୁ ବଞ୍ଚିତ ହେବେ ୩ଟି ଭେଷଜ ମହାବିଦ୍ୟାଳୟର ୪ଶହ ଛାତ୍ରଛାତ୍ରୀ। ବଲାଙ୍ଗୀର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟର ଶହେ ଜଣ, ବୁର୍ଲା ଭିମସାରର ୨ଶହ ଓ ରାଉରକେଲା ହାଇଟେକ୍‌ ମେଡିକାଲ କଲେଜର ଶହେ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହେଉଛି। ଡାକ୍ତର ପଦ ପାଇଁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ହାଉସ ସର୍ଜନସିପ୍‌ର ୧ ବର୍ଷ ପୂରଣ କରିବାରେ ବିଳମ୍ବ ଯୋଗୁଁଁ ନିର୍ଦ୍ଧାରିତ ସମୟରେ ଓସିଏମ୍‌ଆର୍‌ ପଞ୍ଜୀକରଣ କରାଇ ନ ପାରି ଏହି ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବାଦ୍‌ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ୨୦୧୯ ବ୍ୟାଚ୍‌ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇଥିବାରୁ ଏମାନଙ୍କ ହାଉସ୍‌ ସର୍ଜନ୍‌ସିପ୍‌ ଆରମ୍ଭରେ ବିଳମ୍ବ ହୋଇଥିବା ଡାକ୍ତରୀ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଚଳିତ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ରାଜ୍ୟରେ ୫୨୪୧ ଡାକ୍ତର (ମେଡିକାଲ ଅଫିସର) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପାଇଁ ଫର୍ମ ପୂରଣର ଅବଧି ଗତ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଏପ୍ରିଲ ୨୪ରେ ବନ୍ଦ ହେବା ନେଇ ସୂଚନା ରହିଛି। ବଲାଙ୍ଗିର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ପଦ ପାଇଁ ଆବେଦନ କରିବାରୁ ବଞ୍ଚିତ ହେଉଥିବା ନେଇ ୨୦୧୯ ବ୍ୟାଚ୍‌ ଭେଷଜ ମହାବିଦ୍ୟାଳୟ ହାଉସ ସର୍ଜନ ୟୁନିଅନ ଅଭିଯୋଗ କରିଛି। ଅନୁରୂପ ଭାବେ ଭିମସାର, ବୁର୍ଲା ଓ ରାଉରକେଲା ହାଇଟେକ୍ ଛାତ୍ରଛାତ୍ରୀ ମଧ୍ୟ ଏଥିରୁ ବାଦ ପଡ଼ିବେ ବୋଲି ଜଣାପଡ଼ିଛି।
    ପ୍ରକାଶ ଯେ, ଏହି ୩ଟି ଭେଷଜ ମହାବିଦ୍ୟାଳୟ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ରହିଛି। ୨୦୧୯ ବ୍ୟାଚ୍‌ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଫାଇନାଲ୍‌ ବର୍ଷ ପରୀକ୍ଷା ଫଳ ବିଳମ୍ବରେ ୨୦୨୪ ଏପ୍ରିଲ୍‌ ୫ରେ ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀଙ୍କ ପ୍ରୋଭିଜିନାଲ୍‌ ପଞ୍ଜୀକରଣରେ ବିଳମ୍ବ ହୋଇଥିଲା। ଛାତ୍ରଛାତ୍ରୀଙ୍କ ୧ ବର୍ଷ ପାଇଁ ହାଉସ ସର୍ଜନସିପ୍‌ ଚଳିତ ବର୍ଷ ମାର୍ଚ୍ଚ ୩୧ରେ ସରିବା ବଦଳରେ ଏପ୍ରିଲ୍‌ ୨୧ରେ ସମ୍ପୂର୍ଣ୍ଣ ହେବ। ସେହି କ୍ରମରେ ବଲାଙ୍ଗିର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ରାଉରକେଲା ହାଇଟେକ୍‌ କଲେଜ ହାଉସ୍‌ ସର୍ଜନସିପ ପ୍ରଶିକ୍ଷଣ ଆସନ୍ତା ଏପ୍ରିଲ ୨୧ରେ ସମ୍ପୂର୍ଣ୍ଣ ହେବ। ବୁର୍ଲା ସ୍ଥିତ ଭିମସାରର ଏପ୍ରିଲ ୨୫ରେ ସରିବ। ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହୋଇଥିଲେ ହେଁ ଉପରୋକ୍ତ ପଦ ପାଇଁ ଛାତ୍ରଛାତ୍ରୀଙ୍କୁ ଓସିଏମ୍‌ଆର୍ ସ୍ଥାୟୀ ପଞ୍ଜୀକରଣ ଥିବା ନିହାତି ଆବଶ୍ୟକ। ପଞ୍ଜୀକରଣ ପାଇଁ ଅତିକମ୍‌ରେ ୭ରୁ ୧୦ ଦିନ ସମୟ ଲାଗିଥାଏ। ଏଭଳି କ୍ଷେତ୍ରରେ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ରାଉରକେଲା ହାଇଟେକ୍‌ରେ ଏପ୍ରିଲ୍‌ ୨୧ରେ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେଉଥିଲେ ହେଁ ଅବଧି ମୁତାବକ ଏପ୍ରିଲ ୨୫ ପର୍ଯ୍ୟନ୍ତ ଆବେଦନକାରୀ ଛାତ୍ରଛାତ୍ରୀ ଓସି୍‌ଏମ୍‌ଆର୍‌ ପଞ୍ଜୀକରଣ ପାଇବା ଆଶା ଖୁବ କ୍ଷୀଣ।ସେହିପରି ଭିମସାର ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଏପ୍ରିଲ ୨୫ରେ ସମ୍ପୂର୍ଣ୍ଣ ହେଉଥିବାରୁ ସେମାନେ ପଦ ପାଇବା ଏକପ୍ରକାର ଅସମ୍ଭବ। ଏହି ସମସ୍ୟାକୁ ନେଇ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ଭିମସାରର ହାଉସ ସର୍ଜନ ୟୁନିଅନ ଗତ ୩୦ରେ ବଲାଙ୍ଗିର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଫର୍ମ ପୂରଣ ଅବଧି ବୃଦ୍ଧି ପାଇଁ ଛାତ୍ର ଯୁନିଅନ୍‌ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବଢ଼ା ଯାଇନଥିବାରୁ ୩ଟି ଭେଷଜ ମହାବିଦ୍ୟାଳୟର ୪ଶହ ଡାକ୍ତର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଇଥିବା ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ୨୦୧୯ ବ୍ୟାଚ୍‌ ହାଉସ ସର୍ଜନ ୟୁନିଅନ ଅଭିଯୋଗ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ