ପୁରୀ: ସୁସ୍ଥ ହେଉଛନ୍ତି ମହାପ୍ରଭୁ । ରାଜବୈଦ୍ୟଙ୍କ ଦଶମୂଳ ଔଷଧ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଆଜି ମହାରାଜଙ୍କୁ ମହାପ୍ରଭୁଙ୍କ ସୁସ୍ଥ ହୋଇଥିବା ଖବର ଦେବେ ସେବାୟତ । ଦ୍ବାଦଶୀ ତିଥି ଅବସରରେ ଏହି ନୀତି ସମାପନ କରିବେ ଦଇତାପତି ସେବାୟତ। ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ବଢ଼ିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଆନୁଷ୍ଠାନିକ ଭାବେ ଦଇତାପତି ଓ ବିଦ୍ୟାପତି ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ। ସେଠାରେ ଗଜପତି ମହାରାଜଙ୍କ ସହ ଆଗାମୀ ରଥଯାତ୍ରାର ସୁଚାରୁ ଓ ଶୃଙ୍ଖଳିତ ପରିଚାଳନା ନେଇ ଆଲୋଚନା ହେବ । ଗତକାଲି ଏକାଦଶୀ ତିଥିରେ ଖଳିଲାଗି ଓ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏହାରି ମଧ୍ୟରେ, ସୁବ୍ୟବସ୍ଥିତ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ ଲାଗୁହୋଇଛି। ତିନି ରଥ ଉପରେ ରହିବେନି ଛଦ୍ମବେଶୀଧାରୀ ସେବାୟତ । କୌଣସି ସେବାୟତଙ୍କ ସହାୟତାରେ ରଥକୁ ଚଢ଼ିବେନି ଶ୍ରଦ୍ଧାଳୁ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା ।
