Sunday, July 12, 2026
30.9 C
Odisha

    ବାଲେଶ୍ୱର ଟ୍ରାଜେଡିକୁ ପୂରିଲା ବର୍ଷେ, ନ୍ୟାୟ ଅପେକ୍ଷାରେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବାଲେଶ୍ୱର ଟ୍ରାଜେଡିକୁ ପୂରିଲା ବର୍ଷେ । ନ୍ୟାୟ ଅପେକ୍ଷାରେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଏଯାଏ ସରିନି ତଦନ୍ତ । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାକୁ ଗୋଟିଏ ବର୍ଷ ବିତିଲାଣି । ଏଯାଏ ତଦନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ ହୋଇନଥିବାରୁ ଅନୁଷ୍ଠାନିକ ଦାୟିତ୍ୱବୋଧ ଓ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ଆଦର୍ଶ ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ଇଣ୍ଟିଗ୍ରେଟେଡ୍ ବି.ଇଡି ଦ୍ୱିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ୨୦୨୫ ମସିହା ଜୁଲାଇ ୧୨ ତାରିଖରେ ଏହି ଚରମ ନିଷ୍ପତ୍ତି ନେଇଥିଲେ । ଜୁଲାଇ ୧୪ରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଶରୀରର ୯୦ ରୁ ୯୫ ପ୍ରତିଶତ ପୋଡ଼ି ଯାଇଥିଲା ।

    ସୌମ୍ୟାଶ୍ରୀଙ୍କ ଅଭିଯୋଗ ଥିଲା ଯେ, ଶିକ୍ଷା ବିଭାଗର ତତ୍କାଳୀନ ମୁଖ୍ୟ ସମୀର କୁମାର ସାହୁ ତାଙ୍କୁ ମାନସିକ ଓ ଯୌନ ନିର୍ଯାତନା ଦେଉଥିଲେ। ଅନୈତିକ ସୁବିଧା ଦାବି କରିବା ସହ କ୍ୟାରିୟର ନଷ୍ଟ କରିଦେବାକୁ ଧମକ ଦେଉଥିଲେ । କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ ଅଭିଯୋଗ କରିବା ସତ୍ତ୍ୱେ ତତ୍କାଳୀନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିବା ସହ ଅଭିଯୋଗ ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ । ଜନଅସନ୍ତୋଷ ଓ ରାଜନୈତିକ ଉତ୍ତେଜନା ପରେ ରାଜ୍ୟ କ୍ରାଇମବ୍ରାଞ୍ଚ ଏହି ମାମଲାର ଭାର ନେଇଥିଲା । ତଦନ୍ତକାରୀ ଦଳ ପ୍ରାୟ ୧୨୦ ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ସହ ସିସିଟିଭି ଫୁଟେଜ୍ ଓ ଡିଜିଟାଲ ପ୍ରମାଣ ସଂଗ୍ରହ କରିଥିଲେ । ୨୦୨୫ ସେପ୍ଟେମ୍ବର ମାସରେ ପ୍ରଫେସର ସମୀର ସାହୁ, ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ସମେତ ଜଣେ ଛାତ୍ର ଓ ଏବିଭିପି କର୍ମକର୍ତ୍ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଓ ଯୌନ ନିର୍ଯାତନା ମାମଲାରେ ଏକ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଥିଲା ।

    ଗତ ମେ ୨୦୨୬ରେ ଓଡ଼ିଶା ହାଇକୋର୍ଟ ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସେ ପ୍ରାୟ ୧୦ ମାସ ଜେଲରେ ଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ସମୀର ସାହୁ ଏବେ ବି ଜେଲ୍ ରେ ଅଛନ୍ତି। ଘଟଣାକୁ ବର୍ଷେ ପୂରିଥିଲେ ବି ଚୂଡ଼ାନ୍ତ ଚାର୍ଜସିଟ୍ ଆସିନଥିବାରୁ ପରିବାର ଓ ଛାତ୍ର ସଂଗଠନଗୁଡ଼ିକ ଗଭୀର ନିରାଶା ପ୍ରକାଶ କରିଛନ୍ତି । ଏହି ଘଟଣା ସାରା ରାଜ୍ୟରେ ପ୍ରତିବାଦର ନିଆଁ ଜାଳିଥିଲା । ୟୁଜିସି, ଜାତୀୟ ମହିଳା କମିଶନ ଓ ରାଜ୍ୟ ସ୍ତରୀୟ କମିଟି ପକ୍ଷରୁ ଏହାର ତଦନ୍ତ କରାଯାଇ ସମସ୍ତ ଶିକ୍ଷାନୁଷ୍ଠାନରେ ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’ କୁ ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.9 ° C
    30.9 °
    30.9 °
    57 %
    5.6kmh
    78 %
    Sun
    32 °
    Mon
    33 °
    Tue
    26 °
    Wed
    31 °
    Thu
    33 °

    ସମ୍ବନ୍ଧିତ