ଚୀନର ଦାର୍ଶନିକ ଲାଓତ୍-ସୁ ଓ କନ୍ଫୁସିଅସ ନିଜର ପାଣ୍ଡିତ୍ୟ ଗୁଣରେ ଖୁବ ପ୍ରସିଦ୍ଧି ଲାଭ କରିଥିଲେ । ଦୁଇଜଣଙ୍କ ଦର୍ଶନ ଶାସ୍ତ୍ର ଓ ଧର୍ମ ଶାସ୍ତ୍ରରେ ଢେର ପାଣ୍ଡିତ୍ୟ ଥିଲା । ତାଙ୍କର ମଧ୍ୟ ଅନେକ ଅନୁଗାମୀ ଓ ଶିଷ୍ୟ ଥିଲେ । ସେହି ଶିଷ୍ୟମାନେ ଗୁରୁଦେବଙ୍କ ପରାମର୍ଶ ଓ ଉପଦେଶ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ଲାଓତ୍-ସୁ ଓ କନ୍ଫୁସିଅସ୍ଙ୍କ ଦର୍ଶନତତ୍ତ୍ଵ ମଧ୍ୟରେ ଢେର ତଫାତ ଥିଲା । ନିଜ ନିଜର ବୁଦ୍ଧିମତା ଗୁଣରେ ସେମାନେ ଜନସାଧାରଣଙ୍କ ମନ ଜୟ କରିପାରୁଥିଲେ ।
ଏକଦା କନ୍ଫୁସିଅସ୍ ଦେଖିଲେ ଲାଓତ୍-ସୁଙ୍କ ଉପସ୍ଥିତିରେ ତାଙ୍କ ଅନୁଗାମୀ ଦୁଇଜଣ ବ୍ୟକ୍ତି କାନ୍ଧରେ ଜୁଆଳି ଯୋଚି ଧାନ ବେଙ୍ଗଳା କରୁଛନ୍ତି । କନ୍ଫୁସିଅସଙ୍କୁ ଏ ଦୃଶ୍ୟ ବଡ ଆଶ୍ଚର୍ଯ୍ୟ ବୋଧ ହେଲା । ସେ ଦୁଃଖିତ ହେଲେ । ସେ ନିରୀକ୍ଷଣ କରି ଦେଖିଲେ, ସେ ଦୁଇଜଣଙ୍କ ମଧ୍ୟରୁ ଜଣେ ନବେ ବର୍ଷ ବୟସ୍କ ଓ ଆଉ ଜଣେ ତିରିଶି ବର୍ଷର ଏବଂ ସେ ଦୁହେଁ ସମ୍ପର୍କରେ ଅଜା ନାତି । କନ୍ଫୁସିଅସ ଏକଥାରେ ଘୋର ବିରୋଧ କରି ଲାଓତ୍-ସୁଙ୍କୁ କହିଲେ, ଆପଣଙ୍କ ସାମ୍ନାରେ ଏ ଦୃଶ୍ୟ ଶୋଭନୀୟ ବା ଗ୍ରହଣୀୟ ନୁହେଁ । ଆମ ଅଞ୍ଚଳରେ ଏ କାମ କେବଳ ଘୋଡା ବା ବଳଦ ମାନେ ହିଁ କରିଥାନ୍ତି । ଲାଓତ୍ ସୁ କନ୍ଫୁସିଅସଙ୍କୁ ନିରବ ରହିବାକୁ ଅନୁରୋଧ କଲେ । କହିଲେ ଏକଥା ଯେପରି ସେ ଦୁଇଜଣ ନ ଶୁଣନ୍ତୁ । ଏକଥା ନାତି ଜାଣିଲେ ବଡ ଅସୁବିଧା ହେବ । ସିଏ ଘୋଡା କିମ୍ବା ବଳଦ ଯୋଚି ବେଙ୍ଗଳା କରିବାକୁ ଆଗ୍ରହୀ ହେବ । କିନ୍ତୁ ଏହାଦ୍ଵାରା ସେମାନଙ୍କର କର୍ମପ୍ରବଣତା ହ୍ରାସ ପାଇବ କିମ୍ବା ଲୋପ ପାଇଯିବ । ସେମାନେ ଅଳସୁଆ ହୋଇଯିବେ । କଳ, ଲଙ୍ଗଳ କିମ୍ବା ମେସିନ ଦ୍ୱାରା କର୍ମ ସମ୍ପାଦନ ସହଜ କିନ୍ତୁ ମଜୁରିଆ ବା କାମିକା ଲୋକ ଏକଥା ଜାଣିଲେ ତା’ର କର୍ମପ୍ରବଣତା, କର୍ମ କରିବାର ଆଗ୍ରହ କମିଯିବ । କର୍ମ କରି ଉପାର୍ଜନ କରୁଥିବା ବ୍ୟକ୍ତି କାମ ନପାଇ ରୋଜଗାରକ୍ଷମ ତ ହେବ ନାହିଁ ତା’ସହ ସେ ଆଳସ୍ୟ ପରାୟଣ ହୋଇଯାଇ ପାରେ । ତେଣୁ ବରଂ ଆମେ ଖୁସି ହେବା କଥା ଯେ, ଜଣେ ନବେ ବର୍ଷ ବୟସ୍କ ବ୍ୟକ୍ତି ତିରିଶ ବର୍ଷର ଯୁବକ ପରି କର୍ମକ୍ଷମ ହୋଇ ଆଳସ୍ୟ ପରିତ୍ୟାଗ କରିପାରୁଛି । ଏଇ ମାନେ ହିଁ ପ୍ରକୃତରେ ମାନବ ସମ୍ବଳ । ଏହି କାର୍ଯ୍ୟ ବ୍ୟାୟାମ ପରି ତାଙ୍କୁ ନିରୋଗ ରହିବାରେ ସାହାଯ୍ୟ କରୁଛି । ଏଥର କନଫୁସିଅସ ଲାଓତସୁଙ୍କ ଦର୍ଶନତତ୍ତ୍ଵ ବୁଝି ଆନନ୍ଦିତ ହେଲେ ।
କାହାଣୀ- ନିରଞ୍ଜନ ପତି