Thursday, September 19, 2024
25.2 C
Odisha

    କାର୍‌ରୁ ଟାଣିନେଇ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା -ପୋଲ ତଳେ ଶବ ଫିଙ୍ଗି ହତ୍ୟାକାରୀ ଫେରାର

    ଆଗକୁ ପଢନ୍ତୁ

    ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ କୁଆଁରମୁଣ୍ଡା-ହାତୀବାରି ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ବ୍ୟବସାୟୀଙ୍କୁ କାରରୁ ଟାଣିଆଣି ୪ ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିବା ପରେ ନିକଟସ୍ଥ ପୋଲ ତଳେ ମୃତଦେହ ଫିଙ୍ଗି ଫେରାର ହୋଇଯାଇଛନ୍ତି । ହତ୍ୟାର ଶିକାର ବ୍ୟକ୍ତି ଜଣକ ହେଲେ ହାତୀବାରି ଥାନା ପୁରୁଣାପାଣି ଅଞ୍ଚଳର ଚାଉଳ ବ୍ୟବସାୟୀ ବସନ୍ତ ବଡ଼ାଇକ (୪୦) । ଏହି ଘଟଣା ଜିଲ୍ଲା ବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ମୁତାବକ, ସୋମବାର ବସନ୍ତ କୌଣସି କାମରେ ରାଉରକେଲା ଆସି ବିଳମ୍ୱିତ ରାତିରେ ନିଜ କାରରେ ଘରକୁ ଫେରୁଥିଲେ । କୁଆଁରମୁଣ୍ଡା-ହାତୀବାରି ରାସ୍ତାର କୁଆଁରମୁଣ୍ଡାଠାରୁ ୬ କିଲୋମିଟର ଦୂରରେ ୪ ଦୁର୍ବୃତ୍ତ ୨ଟି ବାଇକରେ ଆସି ତାଙ୍କ କାର୍ ଅଟକାଇଥିଲେ । ଚାଳକ ଗାଡ଼ି ଧୀର କରିବା କ୍ଷଣି ଦୁର୍ବୃତ୍ତମାନେ ବସନ୍ତଙ୍କୁ କାର ଭିତରୁ ଟାଣି ନେଇ ଭୁଜାଲିରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଘଟଣାସ୍ଥଳରେ ବସନ୍ତଙ୍କ ମୃତ୍ୟୁ ହୋଇଥିଲା । ପରେ ଦୁର୍ବୃତ୍ତମାନେ ବସନ୍ତଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ନିକଟସ୍ଥ ପୋଲ ତଳେ ଫିଙ୍ଗିଦେଇ ହାତୀବାରି ଆଡ଼େ ଫେରାର ହୋଇଯାଇଥିଲେ । ସେପଟେ ଏହି ଭୟାନକ ଘଟଣା ଦେଖି ଡ୍ରାଇଭର ଜୀବନ ବିକଳରେ ଦୌଡ଼ି ଫେରାର ହୋଇଯାଇଥିଲେ । ଡ୍ରାଇଭରଠାରୁ ଖବର ପାଇ ବସନ୍ତଙ୍କ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ । ଏସଡିପିଓ ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେହିପରି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳ ସମେତ କାର୍‌କୁ ମଧ୍ୟ ଯାଞ୍ଚ କରିଥିଲା । ମଙ୍ଗଳବାର ପୂର୍ବାହ୍ନରେ ମୃତଦେହ ଜବତ ପରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ, ବସନ୍ତ ଜଣେ ଅପରାଧୀ ହୋଇଥିବା ବେଳେ ବିଶ୍ରା, ନୂଆଗାଁ ଅଞ୍ଚଳରେ ତାଙ୍କ ନାମରେ ପିଏଲଏଫଆଇ ଦାଦାବଟି ମାମଲା ବିଚାରାଧୀନ ରହିଛି । ତେବେ କିଏ ଏବଂ କେଉଁ କାରଣରୁ ତାଙ୍କୁ ହତ୍ୟା କରିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଏସଡିପିଓ ଦାଶ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ