ଭୁବନେଶ୍ୱର : କିମ୍ସ ଓ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍ ହସ୍ପିଟାଲର ସ୍ନାତକୋତ୍ତର ପାଥୋଲୋଜି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ଜାତୀୟସ୍ତରୀୟ ‘ମିଡ୍-ଟର୍ମ CME କର୍ମଶାଳା’ ଆଜି ଉଦଯାପିତ ହୋଇଛି। “ଟ୍ରାନ୍ସପ୍ଲାଣ୍ଟ ପାଥୋଲୋଜି ବାୟୋପ୍ସିରୁ ବେଡସାଇଡ୍ ” ଶୀର୍ଷକକୁ ନେଇ ଆୟୋଜିତ କର୍ମଶାଳାରେ ଅଙ୍ଗ ପ୍ରତିରୋପଣ ଚିକିତ୍ସା କ୍ଷେତ୍ରରେ ପାଥୋଲୋଜି ଓ ବାୟୋପ୍ସିର ଭୂମିକା, ଗୁରୁତ୍ୱ ଏବଂ ବର୍ତ୍ତମାନର ଚ୍ୟାଲେଞ୍ଜ ଉପରେ ବିଶେଷଜ୍ଞମାନେ ବିସ୍ତୃତ ଆଲୋଚନା କରିଥିଲେ।
କର୍ମଶାଳାରେ ଲିଭର, କିଡନୀ ଏବଂ ବୋନ୍ ମ୍ୟାରୋ ପ୍ରତିରୋପଣ ସମୟରେ ଓ ପ୍ରତିରୋପଣ ପରବର୍ତ୍ତୀ ଚିକିତ୍ସାରେ କ୍ଲିନିକାଲ୍ ଅନୁଭୂତିର ସମନ୍ୱୟ,ବାୟୋପ୍ସି ରିପୋର୍ଟର ସଠିକ ବିଶ୍ଳେଷଣ, ଟ୍ରାନ୍ସପ୍ଲାଣ୍ଟ ଇମ୍ୟୁନୋଲୋଜି ଏବଂ ଏଥିରେ ପାଥୋଲୋଜିଷ୍ଟ ଓ ଚିକିତ୍ସକଙ୍କ ଭୂମିକା ନେଇ ଆଲୋଚନା ହୋଇଥିଲା।
ଅଙ୍ଗ ପ୍ରତିରୋପଣ ଚିକିତ୍ସାରେ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପରିଚାଳନାକୁ ଅଧିକ ସଠିକ ଓ ପ୍ରଭାବଶାଳୀ କରିବାରେ ପାଥୋଲୋଜିର ଅବଦାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପାଥୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ, ହେମାଟୋଲୋଜିଷ୍ଟ ଓ ଟ୍ରାନ୍ସପ୍ଲାଣ୍ଟ ବିଶେଷଜ୍ଞମାନେ କର୍ମଶାଳାରେ ଯୋଗଦେଇ ନିଜ ଅନୁଭୂତି ଓ ଗବେଷଣାଭିତ୍ତିକ ତଥ୍ୟ ଉପସ୍ଥାପନ କରିଥିଲେ।
