କୁହାଯାଏ ମଣିଷର ସବୁ ସମ୍ପର୍କ ଭଗବାନ ତାର ଜନ୍ମ ପୂର୍ବରୁ ନିର୍ଦ୍ଧାରଣ କରିଥାନ୍ତି । ମାତ୍ର ବନ୍ଧୁତ୍ଵ ଏକ ଏପରି ସମ୍ପର୍କ ଯାହା ମନୁଷ୍ୟ ଦୁନିଆ କୁ ଆସିବା ପରେ ନିଜେ ବାଛିଥାଏ । ଯେତେବେଳେ ବି କୌଣସି ଜାଗା ରେ ମହାନ ବନ୍ଧୁତ୍ଵର କଥା ଉଠେ, ସବୁଠାରୁ ପ୍ରଥମେ ମନକୁ ଆସେ କୃଷ୍ଣ-ସୁଦାମାଙ୍କ ବନ୍ଧୁତ୍ଵର ଉଦାହରଣ । ହେଲେ ବେଳେବେଳେ ମନରେ ପ୍ରଶ୍ନ ଉଠେ, ଏତେ ଭଲ ବନ୍ଧୁ ହୋଇ ବି କାହିଁକି ଶ୍ରୀକୃଷ୍ଣ ଏତେ ବଡ଼ ରାଜା ହୋଇ ଏତେ ଧନ ସମ୍ପତ୍ତିର ଅଧିକାରୀ ହୋଇଗଲେ କିନ୍ତୁ ସୁଦାମା ଏପରି ଦରିଦ୍ର ହୋଇ ରହିଗଲେ? ରାଜା ହେବା ପରେ କାହିଁକି ଶ୍ରୀକୃଷ୍ଣ ସୁଦାମାଙ୍କୁ ଆଣି ନିଜ ପାଖରେ ରଖିଲେ ନାହିଁ ଓ ତାଙ୍କୁ ସେହିପରି ଗରିବ ଅବସ୍ଥାରେ ଛାଡିଦେଲେ? ଏହିପରି ବନ୍ଧୁତ୍ଵର କଣ ଲାଭ ଯିଏ ବନ୍ଧୁର ଦୁଃଖ ସମୟରେ ତାକୁ ସାହା ହେଲା ନାହିଁ? ଚାଲନ୍ତୁ ଆଜି ଆମେ ଶୁଣିବା ଏକ କାହାଣୀ ଯେଉଁଥିରୁ ଆମେ ଜାଣିବା ଯେ ସୁଦାମା କିପରି ନିଜେ ଜାଣିଜାଣି ଜୀବନ ସାରା ଗରିବ ହୋଇ ରହିବାକୁ ବାଛିଥିଲେ । ବନ୍ଧୁତ୍ଵ ରକ୍ଷା ପାଇଁ ସେ କିପରି ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ ।
ଗୋଟିଏ ଗାଁରେ ଏକ ଗରିବ ଓ ବୃଦ୍ଧ ଭିକାରୁଣୀ ରାହୁଥିଲା । ସେ ପ୍ରତିଦିନ ଭିକ୍ଷା ମାଗିବାକୁ ଯାଏ ଏବଂ ସେଥିରୁ ଯାହାବି ମିଳେ ଘରକୁ ଆସି ସର୍ବପ୍ରଥମେ ସେ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରି ଭୋଗ ଲଗାଏ ଓ ତାପରେ ଯାଇ ସେହି ପ୍ରସାଦକୁ ଗ୍ରହଣ କରେ । ଭଗବାନ ବିଷ୍ଣୁଙ୍କୁ ସେ ଖୁବ ଭକ୍ତି କରେ । ସବୁବେଳେ ତାଙ୍କ ଆରାଧନା କରୁଥାଏ । ଏହିପରି ଦିନେ ସେ ଭିକ ମାଗିବା ପାଇଁ ଘରୁ ବାହାରି ଗଲା । କିନ୍ତୁ ଦୁର୍ଭାଗ୍ୟକୁ ସେହିଦିନ ତକକୁ କିଛିବି ଭିକ୍ଷା ମିଳିଲା ନାହିଁ । ସେ ଖାଲି ହାତରେ ଘରକୁ ଫେରି ଆସିଲା । ନିଜ ପ୍ରଭୁଙ୍କୁ କିଛି ଖାଇବାକୁ ନଦେଇ ପାରିବାରୁ ମନଦୁଃଖରେ ଭଗବାନଙ୍କୁ କ୍ଷମା ମାଗି ଶୋଇପଡ଼ିଲା । ତା ପରଦିନ ଭିକ୍ଷା ମାଗିବାକୁ ଗଲା, ହେଲେ ସେଦିନ ମଧ୍ୟ ତାକୁ କିଛି ବି ମିଳିଲା ନାହିଁ । ଏହିପରି ପାଞ୍ଚ ଛଅ ଦିନ ଯାଏଁ ସେ ଭୋକ ଉପାସରେ ଥାଏ । ନିଜ ପେଟ କଥା ନଭାବି ନିଜ ଭଗବାନଙ୍କୁ ଖାଇବାକୁ ନଦେଇ ପାରୁଥିବାରୁ ତାର ଖୁବ ମନଦୁଃଖ ହେଉଥିଲା । ଏମିତି କିଛିଦିନ ବିତିଯିବା ପରେ ଦିନେ ଭିକ୍ଷାରେ ତାକୁ କିଛି ଚଣା ମିଳିଲା । ସେତିକି ପାଇ ସେ ଭାରି ଖୁସି ହୋଇଗଲା । ତାକୁ ନେଇ ଘରକୁ ଫେରିଲା । ହେଲେ ଘରକୁ ଫେରିବା ବେଳକୁ ରାତି ହୋଇ ଯାଇଥାଏ । ତେଣୁ ପରଦିନ ବିଷ୍ଣୁଙ୍କୁ ଅର୍ପଣ କରିସାରି ଏହା ଖାଇବ ବୋଲି ଭାବି ସେ ସେହି ଚଣା କୁ ଏକ କପଡ଼ାରେ ବାନ୍ଧି ଚାଳରେ ଖୋସିଦେଲା ଓ ଶୋଇପଡ଼ିଲା । ଅଧିକ କ୍ଳାନ୍ତ ହୋଇ ପଡ଼ିଥିବାରୁ ସେ ଅଳ୍ପ ସମୟ ମଧ୍ୟରେ ନିଘୋଡ ନିଦରେ ଶୋଇପଡ଼ିଲା ।
ସେହି ରାତିରେ କିଛି ଚୋର ଆସି ବୁଢୀ ଘର ପାଖରେ ପହଁଚିଲେ । ଚୋରମାନେ ଦୂର ରାଜ୍ୟରୁ ଆସିଥିବାରୁ ସେମାନେ ବୁଢୀ ଭିକାରୁଣୀ ବୋଲି ଜାଣି ନଥିଲେ । ତା ଚାଳରେ ଖୋସା ହେଇଥିବା ଚଣା ପୁଟୁଳିକୁ ଟଙ୍କା ପୁଟୁଳି ବୋଲି ଭାବି ସେମାନେ ଚୋରି କରିନେଲେ । ଅଧା ବାଟରେ ପୁଟୁଳିଟି ଖୋଲି ଦେଖନ୍ତି ତ ତା ଭିତରେ କିଛି ଚଣା ଅଛି । ଏହାଦେଖି ଚୋରମାନେ ରାଗିଯାଇ ପୁଟୁଳିଟିକୁ ସେଇଠି ଫୋପାଡି ଦେଇ ଚାଲିଗଲେ । ଯୋଗକୁ ପୁଟୁଳିଟି ଯାଇ ପାଖରେ ଥିବା ଏକ ଆଶ୍ରମ ଭିତରେ ପଡ଼ିଲା ଯେଉଁ ଆଶ୍ରମରେ ବାଲ୍ୟ ଶ୍ରୀକୃଷ୍ଣ ଓ ତାଙ୍କ ବନ୍ଧୁ ସୁଦାମା ଶିକ୍ଷାଲାଭ କରୁଥିଲେ । ସକାଳୁ ଗୁରୁମାତା ଆଶ୍ରମ ସଫା କରୁଥିବା ସମୟରେ ସେହି ପୁଟୁଳିଟି ତାଙ୍କ ଦୃଷ୍ଟିରେ ପଡ଼ିଲା । ଖାଦ୍ୟକୁ ଏହିପରି ଭାବରେ କିଏ ଫିଙ୍ଗି ଦେଇଛି ବୋଲି ଚିନ୍ତା କରି ସେ ତାକୁ ଘରକୁ ନେଇଗଲେ । ସୁଦାମା ଓ କୃଷ୍ଣ ଜଙ୍ଗଲକୁ କାଠ କାଟିବାକୁ ଯିବା ସମୟରେ ମାତା ସେହି ଚଣା ସେମାନଙ୍କୁ ଖାଇବା ପାଇଁ ଦେଲେ । ସେହି ପୁଟୁଳିଟି ହାତରେ ଧରିବା ମାତ୍ରେ ସୁଦାମା ନିଜ ଜ୍ଞାନବଳରେ ଜାଣିବାକୁ ପାଇଲେ ଯେ ଏହି ପୁଟୁଳି ଜଣେ ବୃଦ୍ଧ ଭିକାରୁଣୀର ଯିଏ ତାକୁ ନପାଇ ଅଭିଶାପ ଦେଇଛନ୍ତି, ଯେ କେହିବି ସେହି ଚଣାକୁ ଖାଇବ ସେ ମୋ ଠାରୁବି ଅଧିକ ଦରିଦ୍ର ହୋଇଯିବ । ଏହିକଥା ଜାଣିପାରି ସୁଦାମା ନିଜ ସଖାକୁ କିପରି ଏହି ଅଭିଶାପରୁ ବଞ୍ଚାଇବେ ସେକଥା ଭାବିବାକୁ ଲାଗିଲେ । ଜଙ୍ଗଲ ମଧ୍ୟରେ ଶ୍ରୀକୃଷ୍ଣ କାଠ କଟିବାରେ ବ୍ୟସ୍ତ ଥିବା ସମୟରେ ସେ ତାଙ୍କଠୁ ଲୁଚାଇ ସବୁତକ ଚଣା ଏକୁଟିଆ ଖାଇଦେଲେ । କୃଷ୍ଣ ଆସି ତାଙ୍କୁ ଖାଇବାକୁ ମାଗନ୍ତି, ସେ କହିଲେ, ” ଭରି ଭୋକ ହେଉଥିବାରୁ ସବୁତକ ଚଣା କେତେବେଳେ ଖାଇଦେଲି ଜାଣିପାରିଲି ନାହିଁ ।” ଏହା ଶୁଣି ଶ୍ରୀକୃଷ୍ଣ ହସିଦେଲେ ଓ ଦୁଇ ସଖା କାଟିଥିବା କାଠକୁ ନେଇ ଆଶ୍ରମକୁ ଫେରି ଆସିଲେ ।
କିଛିବର୍ଷ ବିତିଗଲା ପରେ କୃଷ୍ଣ ମଥୁରା ର ରାଜା ହୋଇଗଲେ ମାତ୍ର ଅଭିଶାପ ସ୍ଵରୂପ ସୁଦାମା ଜୀବନ ସାରା ଦାରିଦ୍ର୍ୟ ଭୋଗ କଲେ । ନିଜ ପ୍ରିୟ ବନ୍ଧୁକୁ ଅଭିଶାପରୁ ରକ୍ଷା କରିବାକୁ ଯାଇ ସେ ସାରା ଜୀବନ ଦାରିଦ୍ର୍ୟତାର କୁ ବାଛି ନେଲେ । ଶ୍ରୀକୃଷ୍ଣ ତ ଭଗବାନ । ତାଙ୍କୁ କେଉଁ କଥା ଅଜଣା ଯେ । ସେ ଜାଣିଥିଲେ ସୁଦାମା ତାଙ୍କ ପାଇଁ କଣ ଓ ସେ କେତେବଡ ବଳିଦାନ ଦେଇଛନ୍ତି । ତେଣୁ ସେ ସାରା ଜୀବନ ସେହି ବନ୍ଧୁତ୍ଵ ପାଖରେ ରୂଣୀ ହୋଇ ରହିଥିଲେ । ସୁଦାମା ତାଙ୍କ ପାଇଁ ଆଣିଥିବା ଖୁଦଭଜା କୁ ମଧ୍ୟ ସେ ମହା ଆନନ୍ଦରେ ଖାଇଥିଲେ ଓ ବନ୍ଧୁ ସୁଦାମାଙ୍କୁ ନିଜ ସାଥିରେ ରାଜ ସିଂହାସନ ଉପରେ ନେଇ ବସାଇଥିଲେ ।
ଏହିସବୁ କାରଣରୁ ବନ୍ଧୁତ୍ଵକୁ ଦୁନିଆର ସବୁଠାରୁ ଶ୍ରେଷ୍ଠ ସମ୍ପର୍କ ବୋଲି କୁହାଯାଏ ଓ କୃଷ୍ଣ-ସୁଦାମାଙ୍କ ସମ୍ପର୍କକୁ ସବୁଠାରୁ ମହାନ ବନ୍ଧୁତ୍ଵ ବୋଲି ଉଦାହରଣ ଦିଆଯାଏ ।
Story By – Bijaylaxmi