କେବିସି ହଟସିଟରୁ ଜେଲ । କେବିସି ବିଜେତା ତହସିଲଦାର ଗିରଫ । ଅଢ଼େଇ କୋଟିର ବନ୍ୟା ସହାୟତା ଦୁର୍ନୀତି ଅଭିଯୋଗରେ ମଧ୍ୟପ୍ରଦେଶର ବରୋଦାର ତହସିଲଦାର ଅମିତା ସିଂ ତୋମାରଙ୍କୁ ଗିରଫ କରାଯାଇଛି । କୌନ ବନେଗା କରୋଡ଼ପତି-KBCର ୧୧ତମ ସିଜନରେ ୫୦ ଲକ୍ଷ ଟଙ୍କା ଜିତି ଚର୍ଚ୍ଚାକୁ ଆସିଥିଲେ ମଧ୍ୟପ୍ରଦେଶର ତହସିଲଦାର ଅମିତା ସିଂ ତୋମାର।
୨୦୧୯ ମସିହାରେ ଅମିତା କେବିସିରେ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ ସିଟ୍ ରେ ବସିଥିଲେ। ଜଣେ ସରକାରୀ ଅଧିକାରୀ ଭାବେ ତାଙ୍କର ପ୍ରଦର୍ଶନ ସାରା ଦେଶରେ ତାଙ୍କୁ ପରିଚିତି ଦେଇଥିଲା । ୨୦୨୧ ମସିହାରେ ଶ୍ୟୋପୁର ଜିଲ୍ଲାର ବରୋଦା ତହସିଲରେ ବନ୍ୟା ସହାୟତା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ଅଢ଼େଇ କୋଟି ଟଙ୍କା ନକଲି ହିତାଧିକାରୀ ଏବଂ ଜାଲ ଆକାଉଣ୍ଟକୁ ପଠାଯାଇ ହଡ଼ପ କରାଯାଇଥିଲା । ବନ୍ୟା ସହାୟତା ରାଶି ହଡ଼ପ କରିବା ଅଭିଯୋଗରେ ଅମିତା ସିଂ ତୋମାରଙ୍କୁ ଗତକାଲି ଗିରଫ କରାଯାଇ ଜେଲ୍ ପଠାଯାଇଛି ।
ଏହି ମାମଲାରେ ପୂର୍ବରୁ ୨୨ ଜଣ ପାଟୱାରୀ ଗିରଫ ହୋଇସାରିଥିବା ବେଳେ ଏବେ ଅମିତାଙ୍କୁ ଗ୍ବାଲିୟରରୁ ପୋଲିସ ଗିରଫ କରିଛି । ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗିରଫ ହେବା ପୂର୍ବରୁ ଅମିତା ସିଂ ତୋମାରଙ୍କୁ ତହସିଲଦାର ପଦରୁ ହଟାଇ ଦିଆଯାଇଥିଲା । ବର୍ତ୍ତମାନ ତାଙ୍କୁ ଶିବପୁରୀ ମହିଳା ଜେଲରେ ରଖାଯାଇଛି । ଜଣେ ଦକ୍ଷ ଅଧିକାରୀ ଭାବେ କେବିସି ମଞ୍ଚରେ ପ୍ରଶଂସା ପାଇଥିବା ଅମିତା ଏବେ ଦୁର୍ନୀତି ଜାଲରେ ଛନ୍ଦି ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
