Wednesday, October 7, 2026
21.5 C
Odisha

    କୋଟିଆବାସୀ ହେବେନି ଆନ୍ଧ୍ର ମୁହାଁ, ଓଡ଼ିଶାରେ ଦେବେ ଭୋଟ୍‌

    ଆଗକୁ ପଢନ୍ତୁ

    କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ନିର୍ବାଚନମଣ୍ଡଳୀ ଅଧୀନ କୋଟିଆ ପଞ୍ଚାୟତର ୩ ଗାଁର ଭୋଟରଙ୍କ ପାଇଁ ନିକଟରେ ମତଦାନ କେନ୍ଦ୍ର ନଥିବା ଜଣାପଡ଼ିଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଜରିଆରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିକଟରେ କୋଟିଆରେ ଏକ ବୁଥ୍ ସ୍ଥାପନ ପାଇଁ ଆବେଦନ କରାଯାଇଥିଲା। ଯାହାକୁ କେନ୍ଦ୍ର ନିର୍ବାଚନ ଆୟୋଗ ଅନୁମୋଦନ କରିଛନ୍ତି। ଆଗାମୀ ନିର୍ବାଚନରେ କୋଟିଆବାସୀ ଓଡ଼ିଶାରେ ହିଁ ଭୋଟ ଦେବେ। ନିର୍ବାଚନ ସମୟରେ ଏଠିକା ଭୋଟରଙ୍କୁ ଆଉ ଆନ୍ଧ୍ର ନେଇପାରିବନି। ନିର୍ବାଚନ ଆୟୋଗ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ତାଡ଼ିବାଲସାରେ ଏକ ନୂତନ ମତଦାନ କେନ୍ଦ୍ର ଖୋଲିବାକୁ ଅନୁମୋଦନ କରିଛନ୍ତି।
    ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନ କୋରାପୁଟ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ତାଡ଼ିବାଲସାରେ ଖୋଲିବାକୁ ଥିବା ଏହି ନୂଆ କେନ୍ଦ୍ରରେ ତାଡ଼ିବାଲସା, ନେରେଡ଼ି ବାଲସା, ଆରଜୁବାଲସା ଓ ଧୁଳିପଦରର ଭୋଟରମାନେ ମତଦାନ କରିବେ ବୋଲି ଜଣାପଡ଼ିଛି। ଉପରୋକ୍ତ ଗାଁ କିମ୍ବା ଆଖପାଖ ୩ କିମି ମଧ୍ୟରେ କୌଣସି ମତଦାନ କେନ୍ଦ୍ର ନାହିଁ । ଫଳରେ ଏହି ଗାଁର ଭୋଟରମାନେ ନିର୍ବାଚନ ସମୟରେ ଆନ୍ଧ୍ରକୁ ଯାଇ ଭୋଟ ଦେଉଛନ୍ତି। ଜିଲ୍ଲାର ୫ ବିଧାନସଭା ଆସନରେ ମୋଟ ୧୧୫୮ଟି ପୁଲିଂ ବୁଥ୍ ରହିଛି। ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆହୁରି ୭ଟି ନୂଆ ବୁଥ୍ ସ୍ଥାପନ ପାଇଁ ଅନୁମୋଦନ ମିଳିଛି। ଏହାପରେ ବର୍ତ୍ତମାନ ଜିଲ୍ଲାରେ ବୁଥ୍ ସଂଖ୍ୟା ୧୧୬୫କୁ ବୃଦ୍ଧି ପାଇଥିବା ଜିଲ୍ଲା ନିର୍ବାଚନ ବିଭାଗରୁ ସୂଚନା ମିଳିଛି।

    ପଟାଙ୍ଗି ନିର୍ବାଚନମଣ୍ଡଳୀରେ ଥିବା କୋଟିଆ ପଞ୍ଚାୟତର ଜନସଂଖ୍ୟା ୭ ହଜାର ୭୨୮। ସେଥିରେ ୫ ହଜାର ୫୦୨ ଜଣ ଭୋଟର ରହି ଛନ୍ତି। ସେମାନଙ୍କ ପାଇଁ ପୂର୍ବରୁ କୋଟିଆ ସରକାରୀ ଏସ୍ଏସ୍‌ଡି ହାଇସ୍କୁଲ, ଥୁରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାଉପଦର ସରକାରୀ ଏସ୍ଏସ୍‌ଡି ହାଇସ୍କୁଲ୍, ରାନାସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଞ୍ଜେଇପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାତୃକାର ପ୍ରାଥମିକ ବିଦ୍ୟାଳୟ, ଫଗୁଣସିନେରୀ ପ୍ରାଥମିକ ବିଦ୍ୟାଳୟ, ତଳକାଣ୍ଟି ପ୍ରାଥମିକ ବିଦ୍ୟାଳୟ ଓ ଗୁମେଲପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦି ୯ଟି ସ୍ଥାନରେ ପୁଲିଂ ବୁଥ୍ ରହିଛି। ତାଡ଼ି ବାଲସା, ନେରେଡିବାଲସା, ଆରଜୁବାଲସା ଓ ଧୁଳିପଦରର ଭୋଟରଙ୍କ ପାଇଁ ରାଣାସିଂଠାରେ ପୂର୍ବରୁ ମତଦାନ କେନ୍ଦ୍ର ଖୋଲାଯାଇଥିଲା। ଉପରୋକ୍ତ ଗାଁର ଭୋଟରମାନେ ଦୂର ହେଉଥିବା ଦର୍ଶାଇ ଏଠାକୁ ଯାଉ ନଥିଲେ। ଆନ୍ଧ୍ର ସେମାନଙ୍କୁ ଗାଡ଼ିରେ ବୋହି ନେଇ ମତଦାନ କରାଉଥିଲା।

    କେତେକ ଭୋଟର ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଭୋଟ ଦେଉଥିଲେ। ବର୍ତ୍ତମାନ ତାଡ଼ିବାଲସାରେ ନୂଆ ମତଦାନ କେନ୍ଦ୍ର ସ୍ଥାପନ ହେବା ପରେ ଉପରୋକ୍ତ ସମସ୍ୟା ରହିବ ନାହିଁ । ଓଡ଼ିଶା ଭୋଟର ଓଡ଼ିଶାରେ ହିଁ ଭୋଟ ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    86 %
    1.2kmh
    4 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ