Saturday, March 14, 2026
38.1 C
Odisha

    କୋମାରେ ଡ୍ରଗ୍‌ ଏସ୍‌ଟିଏଫ୍‌: ନକଲି ଔଷଧ ‘ସୁକ୍ରାଲ’ ମାମଲାରେ କାର୍ଯ୍ୟାନୁଷ୍ଠାନ ଶୂନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨୦୨୨ ମସିହା ସେପ୍ଟେମ୍ବର ମାସରେ ଭୁବନେଶ୍ବର-କଟକରେ ଜବତ ହୋଇଥିବା ନକଲି ରକ୍ତଚାପ ଔଷଧ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାରେ ଖୋଳତାଡ଼ ପରେ କେବଳ ଏହି ଔଷଧ ନୁହେଁ, ଏକାଧିକ ନକଲି ଔଷଧ ଓଡ଼ିଶା ବଜାରରେ ବୁଲୁଥିବା ଜଣାପଡ଼ିଥିଲା। ତେଣୁ ନକଲି ଔଷଧ ବିରୋଧୀ ଅଭିଯାନକୁ ଜୋରଦାର କରିବା ଲାଗି ତତ୍କାଳୀନ ରାଜ୍ୟ ସରକାର ଏସ୍‌ଟିଏଫ୍‌(ଡ୍ରଗ୍ ଏନଫୋର୍ସମେଣ୍ଟ ସ୍କାଡ୍‌) ଗଠନ କରିଥିଲେ। ଏହି ଡ୍ରଗ୍ ଏସ୍‌ଟିଏଫ୍‌ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ କିମ୍ବା ନିଜସ୍ବ ସୂତ୍ରରୁ ସୂଚନା ପାଇଁ ରାଜ୍ୟବ୍ୟାପୀ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବେଶ୍‌ କିଛିମାସ ଏସଟିଏଫ୍‌ ବେଶ ଭଲ କାମ କରିଥିଲା। ମାତ୍ର ଧୀରେ ଧୀରେ ଚଢ଼ାଉ ବନ୍ଦ ହୋଇଗଲା। ଏହି ଡ୍ରଗ୍‌ ଏସ୍‌ଟିଏଫ୍‌ର ଏବେ ସ୍ଥିତି କ’ଣ ଓ ପୂର୍ବଭଳି କୌଣସି ଚଢ଼ାଉ ନ କରିବା ପଛର କାରଣ ରହସ୍ୟ ଘେରରେ ରହିଛି।

    ଓଡ଼ିଶାରେ ନକଲି ଔଷଧର ଚେର ରାଜ୍ୟ ବାହାରର ଏକାଧିକ ରାଜ୍ୟକୁ ଲମ୍ବିଥିବା ଚଢ଼ାଉରୁ ସ୍ପଷ୍ଟ ହୋଇଥିଲା। ଓଡ଼ିଶାର କିଛି ଅସାଧୁ ବ୍ୟବସାୟୀ ସେମାନଙ୍କଠାରୁ ଶସ୍ତାରେ ଔଷଧ କିଣି ଏଭଳି ସାଂଘାତିକ କାରବାର ଚଳାଇଥିଲେ। ଏମିତିକି ନକଲି ଔଷଧ ମାମଲାରେ ରାଜ୍ୟର ଡ୍ରଗ୍‌ ଇନ୍‌ସପେକ୍ଟରଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ଡ୍ରଗ୍ ଏସ୍‌ଟିଏଫ୍‌ ଜରିଆରେ ନକଲି ଔଷଧକୁ ରୋକିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କୁ ଟିମ୍ ଲିଡର କରାଯାଇଥିବା ବେଳେ ଅନ୍ୟ ୬ ଜଣ ଡ୍ରଗ୍‌ ଇନ୍‌ସପେକ୍ଟର ରହିଥିଲେ। ପୁଲିସ ସହାୟତାରେ ରାଜ୍ୟ ବାହାରକୁ ଯାଇ ଡ୍ରଗ୍‌ ଏସ୍‌ଟିଏଫ୍‌ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାଭିତରେ ୨ବର୍ଷ ବିତିଗଲାଣି, ଡ୍ରଗ୍‌ ଏସ୍‌ଟିଏଫ୍ ପକ୍ଷରୁ ସେଭଳି ଆଖିଦୃଶିଆ ଚଢ଼ାଉ ଦେଖିବାକୁ ମିଳିନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ କଫ୍‌ ସିରପ୍‌ ଜବତ ହେଉଛି। ଏହି କଫ୍ ସିରପ୍‌ ରୢାକେଟ୍‌କୁ ସଂପୂର୍ଣ୍ଣ ମୂଳପୋଛ କରିବାରେ ରାଜ୍ୟ ପୁଲିସ କିମ୍ବା ଭେଷଜ ନିର୍ଦ୍ଦେଶାଳୟ ସକ୍ଷମ ହୋଇପାରିନାହିଁ। ନକଲି ଔଷଧ ବିରୋଧରେ ୩ବର୍ଷ ତଳେ ହୋଇଥିବା
    ବଡ଼ ଧରଣର ଚଢ଼ାଉ ପରେ ଓଡ଼ିଶା ବଜାରରୁ ସଂପୂର୍ଣ୍ଣ ଭାବେ ନକଲି ଔଷଧ ବିକ୍ରି ସଂପୂର୍ଣ୍ଣ ବିକ୍ରି ବନ୍ଦ ହୋଇଛି କି ନାହିଁ ତାହା ମଧ୍ୟ ଜଣାନାହିଁ।

    ସେହିପରି ୨୦୨୨ ମସିହାରେ ଚିହ୍ନଟ ହୋଇଥିବା ନକଲି ଉଚ୍ଚ ରକ୍ତଚାପ ଔଷଧ ଟେଲ୍‌ମା-ଏଏମ୍‌ ଓ ୪୦ ସାଙ୍ଗକୁ ସୁକ୍ରାଲ ସସ୍‌ପେନସନ୍ ଓ ସୁକ୍ରାଲ ଓ’ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଏହି ନକଲି ଔଷଧ ଘଟଣାରେ ସେହି ସମୟରେ କଟକରେ କାର୍ଯ୍ୟରତ ଜଣେ ଡ୍ରଗ୍‌ ଇନ୍‌ସପେକ୍ଟରଙ୍କ ସନ୍ଦେହଜନକ ଭୂମିକା ରହିଥିବା ଅଭିଯୋଗ ହୋଇଥିଲା। ନକଲି ଔଷଧ ଜାଣି ମଧ୍ୟ ସେ ଏହା ଉପରେ କୌଣସି ପଦକ୍ଷେପ ନେଇ ନ ଥିଲେ। ପରବର୍ତ୍ତୀ ସମୟରେ କଟକ -ଭୁବନେଶ୍ବରରେ କାର୍ଯ୍ୟରତ ଡ୍ରଗ୍‌ ଇନ୍‌ସପେକ୍ଟରଙ୍କ ଦ୍ବାରା ଗଠିତ ହୋଇଥିବା ଏକ ଟିମ୍‌ର ରେଡ୍‌ ସମୟରେ ପୁନର୍ବାର ଏହି ଔଷଧ ଧରାପଡ଼ିଥିଲା। ତେଣୁ ଜାଣିଶୁଣି ସଂପୃକ୍ତ ଡ୍ରଗ୍‌ ଇନ୍‌ସପେକ୍ଟର ନକଲି ଔଷଧ ବିରୋଧରେ ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରି ତତ୍କାଳୀନ ଭେଷଜ ନିର୍ଦ୍ଦେଶକଙ୍କୁ ସଂପୃକ୍ତ ଟିମ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ର ଲେଖିଥିଲା। ହେଲେ ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡ୍ରଗ୍‌ ଏସ୍‌ଟିଏଫ୍‌ ବିଭିନ୍ନ ଚଢ଼ାଉ ଜାରି ରଖିଛନ୍ତି। ଡ୍ରଗ୍‌ ଏସ୍‌ଟିଏଫ୍‌କୁ ପୁନର୍ଜୀବିତ କରିବା ଲାଗି ପଦକ୍ଷେପ ନିଆଯାଉଛି। ତେବେ ନକଲି ଔଷଧ ସୁକ୍ରାଲ ସଂପର୍କରେ ଅଧିକାରୀ ଜଣକ କୌଣସି ସୂଚନା ଦେଇ ନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ