Saturday, October 10, 2026
27.9 C
Odisha

    ଜିଆଇ ଟ୍ୟାଗ୍‌ ମାନ୍ୟତା କେବେ? ଅନ୍ତୁଡ଼ିଶାଳରେ ଅଣଦେଖା ଫୁଲବଡ଼ି

    ଆଗକୁ ପଢନ୍ତୁ

    ଅନ୍ତୁଡ଼ିଶାଳରେ ଅଣଦେଖା କେନ୍ଦୁଝର ଫୁଲବଡ଼ି। ନା ଜିଆଇ ଟ୍ୟାଗ୍‌ ପାଇଁ ଉଦ୍ୟମ ହେଉଛି, ନା ବଡ଼ି ମିସନ୍‌ ପ୍ରତିଷ୍ଠା ହେଉଛି। କେବଳ ଆଲୋଚନାରେ ସୀମିତ ରହିଛି ବଡ଼ିଶିଳ୍ପର ଭବିଷ୍ୟତ। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଫୁଲବଡ଼ି ତିଆରି କରାଯାଉଛି। ଏହା କେନ୍ଦୁଝର ଜିଲ୍ଲାର ଏକ କୁଟୀରଶିଳ୍ପ (ଖାଦ୍ୟ ପ୍ରକ୍ରିୟାକରଣ) ଭାବେ ପରିଚିତ। ପ୍ରତ୍ୟେକ ଘରେ ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଫୁଲବଡ଼ି ସେମାନଙ୍କୁ ଜୀବନଜୀବିକାର ପନ୍ଥା ଦେଖାଇଛି। ତେଣୁ ଏହାକୁ ଜିଆଇ ଟ୍ୟାଗ୍‌ ମିଳିବା ପାଇଁ ବିଭିନ୍ନ ସମୟରେ ଦାବି ଉପସ୍ଥାପନ ହୋଇଆସିଛି। ଏ ନେଇ ପ୍ରାଶାସନିକସ୍ତରରେ ଏକଦା ଉଦ୍ୟମ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ଏହି ଉଦ୍ୟମ ଅଧାରେ ଅଟକିଛି। କେନ୍ଦ୍ରାପଡ଼ା ରସାବଳି, କଣ୍ଟିଲୋ କଣ୍ଟା ବାଇଗଣକୁ ଜିଆଇ ଟ୍ୟାଗ୍‌ ମିଳିସାରିଛି। କିନ୍ତୁ କେନ୍ଦୁଝର ଫୁଲବଡ଼ିକୁ ମିଳିପାରିନାହିଁ ଜିଆଇ ଟ୍ୟାଗ୍‌।

    ମିଳିଥିବା ସୂଚନା ଅନୁସାରେ, ୨୦୨୧ ମାର୍ଚ୍ଚ ମାସରେ କେନ୍ଦୁଝର ଫୁଲବଡ଼ିକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଥିଳା। ତତ୍କାଳୀନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜୀବିକା ମିସନ୍‌ର ପ୍ରକଳ୍ପ ନିର୍ଦେଶକ ସପନ ଗୋସ୍ବାମୀ, ରାଜ୍ୟ ସରକାରଙ୍କ ବିଜ୍ଞାନ ତଥା ବୈଷୟିକ ବିଭାଗର ବୈଜ୍ଞାନିକ ଡ. ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ। ଜିଆଇ ଟ୍ୟାଗ୍‌ ପାଇବା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ ଡକ୍ଟର ମାଝୀ। ଜିଲ୍ଲା ପରିଷଦର ଚତୁର୍ଥ ଅଧିବେଶନରେ ମଧ୍ୟ ଫୁଲବଡ଼ି ପାଇଁ ଜୋରଦାର ଚର୍ଚ୍ଚା ହୋଇଥିଲା। କେନ୍ଦୁଝର ଫୁଲବଡ଼ିର ଚାହିଦା ଥିବାରୁ ଜିଲ୍ଲାରେ ବିରି ଓ ଖସା ଚାଷକୁ ପ୍ରୋତ୍ସାହନ ଦେବା ସହିତ ବଡ଼ି ମିସନ୍‌ ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା।

    କେନ୍ଦୁଝର ସହରର ଆଟୋପୁର, ଡିମ୍ବୋ, ସ୍ବାମ୍‌ପାଟଣାର ବିଭିନ୍ନ ଅଞ୍ଚଳ, ସଦର ବ୍ଲକ୍‌ର ଗୋବର୍ଦ୍ଧନ ଆଦି ଅଞ୍ଚଳରେ ଅନେକ ମହିଳା ଫୁଲବଡ଼ି ତିଆରି କରୁଛନ୍ତି। କେନ୍ଦୁଝର ପୁରୁଣା ସହରଠାରୁ ଆରମ୍ଭ କରି ଆଟୋପୁର ଓ ତତ୍‌ସଂଲଗ୍ନ ଅଞ୍ଚଳର ବିଭିନ୍ନ ଘରୋଇ ସ୍ଥାନରେ ବର୍ଷ ସାରା ବଡ଼ି ବ୍ୟବସାୟ ହୋଇଥାଏ। କେନ୍ଦୁଝର ସହର ସନ୍ନିକଟ ସାନଘାଗରା, ବଡ଼ଘାଗରା, ଶ୍ରୀବଳଦେବଜିଉ, ସିଦ୍ଧମଠକୁ ଆସୁଥିବା ପର୍ଯ୍ୟଟକ ଏହି ବଡ଼ିକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ପୂର୍ବରୁ କେନ୍ଦୁଝର ଜିଲ୍ଲାର ପୁରୁଣାବଜାର ଥିଲା ଏହି ପ୍ରସିଦ୍ଧ ବଡ଼ିର ଅନ୍ତୁଡ଼ିଶାଳ। ପୁରୁଖା ବ୍ୟକ୍ତିଙ୍କ କହିବା ଅନୁସାରେ ପୂର୍ବରୁ ଧାନ ବା ଚାଉଳକୁ ବଦଳ କରି ପେଯୁଆ ବିରି ସଂଗ୍ରହ କରାଯାଉଥିଲା। ବାଂଶପାଳ ବ୍ଲକ୍‌ରୁ ଏହି ପେଯୁଆ ବିରି ଆସୁଥିଲା। ଦିନକୁ ଦିନ ବିରିଚାଷ କମି ଯାଉଥିବାରୁ ଅମଳ ମଧ୍ୟ କମୁଛି। ଯେଉଁଥି ପାଇଁ ବଡ଼ି ପ୍ରସ୍ତୁତ ବେଳେ ଏହାର ମାନ ମଧ୍ୟ କମୁଛି। ଯଦି ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପରି ପେଯୁଆ ବିରିଚାଷକୁ ପ୍ରୋତ୍ସାହନ ଦିଆଯାଏ ତେବେ ଉତ୍କୃଷ୍ଟମାନର ବଡ଼ି ଲୋକମାନେ ପାଇପାରନ୍ତେ। ଏଠାରେ ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିବାରୁ ବଡ଼ି ଖରାପ ହୋଇ ଆର୍ଥିକ କ୍ଷତି ହେଉଛି। ଫୁଲବଡ଼ିକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲେ, ଏହା ଜାତୀସ୍ତରରେ ପରିଚିତ ହେବା ସହିତ ସ୍ଥାନୀୟ ଜୀବନଜୀବିକା ନିର୍ବାହରେ ସହାୟକ ହୋଇପାରନ୍ତା। ଖାଲି ସେତିକି ନୁହେଁ, ବଡ଼ି ମିସନ୍‌ କାର୍ଯ୍ୟକାରୀ ହେଲେ, ପେଯୁଆ ବିରିଚାଷ ଓ ବଡ଼ି ଉତ୍ପାଦିକା ସଂଘମାନଙ୍କୁ ଉପଯୁକ୍ତ ସୁବିଧାସୁଯୋଗ ମିଳିବା ସହ କେନ୍ଦୁଝର ଫୁଲ ବଡ଼ି ନୂଆ ପରିଚୟ ପାଇପାରନ୍ତା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ