ନୂଆଦିଲ୍ଲୀ : ଫ୍ଲାଇଦୁବାଇ ବିମାନରେ କୋ-ପାଇଲଟ୍ଙ୍କ ଆକ୍ରମଣରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଛାରଙ୍କୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଧୀରେ ଧୀରେ ସୁଧୁରୁଛି ତାଙ୍କ ସ୍ୱାସ୍ଥ୍ୟ । ଆବୁଧାବିର ଏକ ହସ୍ପିଟାଲରେ ଅପରେସନ୍ ପରେ ଏବେ ସେ ସୁସ୍ଥ ହେଉଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
MEA ପ୍ରବକ୍ତା ରଣଧୀର ଜୟସୱାଲ କହିଛନ୍ତି, କ୍ୟାପ୍ଟେନ ସ୍ମିତ ମଛାର ଏବେ ଆବୁଧାବିର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । UAEରେ ଥିବା ଭାରତୀୟ ଦୂତାବାସ ତାଙ୍କ ପରିବାର, ଡାକ୍ତର, ହସ୍ପିଟାଲ ଏବଂ ସ୍ଥାନୀୟ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ନିୟମିତ ଭାବେ ତଥ୍ୟ ନିଆଯାଉଛି । ଗୁଜରାଟର ବାସିନ୍ଦା ବୋଲି ଜଣାପଡ଼ିଥିବା କ୍ୟାପ୍ଟେନ ସ୍ମିତ ମଛାରଙ୍କର ବିମାନ ଚାଳନା କ୍ଷେତ୍ରରେ ରହିଛି ଦୀର୍ଘ ଅଭିଜ୍ଞତା । ୨୦୧୧ରେ ସ୍ପାଇସଜେଟ୍ରେ ଯୋଗ ଦେଇଥିବା ସ୍ମିତ ପାଇଲଟ୍ ଭାବେ କାମ କରିବା ସହ ପ୍ରଶିକ୍ଷଣ ସମ୍ପର୍କିତ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ବୋଇଂ ୭୩୭ ବିମାନ ଉଡ଼ାଇବାର ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି ।
ତେବେ ଫ୍ଲାଇଦୁବାଇ ବିମାନରେ ଘଟିଥିବା ଘଟଣା ସମୟରେ ତାଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧି ଏବେ ଚର୍ଚ୍ଚାରେ । କୋ-ପାଇଲଟଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍ମିତ କକ୍ପିଟ୍ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହାପରେ ଯାତ୍ରୀ ଏବଂ ଅନ୍ୟ କ୍ରୁ ସଦସ୍ୟମାନେ କକ୍ପିଟ୍ ଭିତରକୁ ପ୍ରବେଶ କରିପାରିଥିଲେ । ତାଙ୍କର ଏହି ପଦକ୍ଷେପ ଯୋଗୁଁ ବିମାନରେ ଥିବା ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇଥିଲା । କ୍ୟାପ୍ଟେନ ସ୍ମିତଙ୍କ ଏହି ସାହସକୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଶଂସା କରିଛନ୍ତି । ସ୍ମିତଙ୍କୁ ହିରୋ ବୋଲି କହିବା ସହ ତାଙ୍କ ଅଦମ୍ୟ ସାହସ ଓ ବୀରତା ପାଇଁ ସମଗ୍ର ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହା ସହ ଭାରତୀୟ ପାଇଲଟଙ୍କ ସାହସକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି- ଆଜି ଭାରତୀୟ ପାଇଲଟ୍ଙ୍କ ଚର୍ଚ୍ଚା ହେଉଛି, ଆଗକୁ ସେହି ସମୟ ଆସିବ, ଯେତେବେଳେ ସାରା ବିଶ୍ୱ ‘ମେଡ୍ ଇନ୍ ଇଣ୍ଡିଆ’ ବିମାନର ଚର୍ଚ୍ଚା କରିବ। ଏବେ ସମସ୍ତଙ୍କ ନଜର କ୍ୟାପ୍ଟେନ ସ୍ମିତ ମଛାରଙ୍କ ସ୍ୱାସ୍ଥ୍ୟ ଉପରେ । ତାଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ସାରା ଦେଶ । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ମଧ୍ୟ କ୍ୟାପ୍ଟେନ ସ୍ମିତଙ୍କୁ ହିରୋ ବୋଲି କହିଥିଲେ । ସେ କହିଥିଲେ ଯେ, ତାଙ୍କର ଅଦମ୍ୟ ସାହସ ଓ ବୀରତା ପାଇଁ ସମଗ୍ର ଭାରତ ଗର୍ବିତ ।
