ଚାଉଳ କ୍ଷୀରି ଓଡ଼ିଶା ସହିତ ଭାରତର ବିଭିନ୍ନ ଅଞ୍ଚଳରେ ଅତ୍ୟନ୍ତ ପ୍ରିୟ ଏକ ପାରମ୍ପରିକ ମିଠା ଖାଦ୍ୟ । ଏହା ଚାଉଳ, କ୍ଷୀର, ଚିନି କିମ୍ବା ଗୁଡ଼ ଏବଂ ବିଭିନ୍ନ ଡ୍ରାଏଫ୍ରୁଟ୍ସ ମିଶାଇ ପ୍ରସ୍ତୁତ କରାଯାଏ । ସ୍ୱାଦିଷ୍ଟ ହେବା ସହିତ ଏହା ଅନେକ ପୋଷକତତ୍ତ୍ୱରେ ଭରପୂର ଥିବାରୁ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ।
ପ୍ରଥମେ, ଚାଉଳ କ୍ଷୀରି ଶରୀରକୁ ଶକ୍ତି ପ୍ରଦାନ କରେ । ଚାଉଳରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ ଥାଏ, ଯାହା ଶରୀରର ପ୍ରମୁଖ ଶକ୍ତିର ଉତ୍ସ । କ୍ଷୀରି ଖାଇଲେ ଶରୀରକୁ ତୁରନ୍ତ ଶକ୍ତି ମିଳେ ଏବଂ ଦୁର୍ବଳତା କମିଯାଏ । ବିଶେଷକରି ଶିଶୁ, ଛାତ୍ରଛାତ୍ରୀ ଏବଂ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ବେଷ୍ଟ ।
କ୍ଷୀରରେ ଥିବା କ୍ୟାଲସିୟମ୍ ହାଡ଼ ଏବଂ ଦାନ୍ତକୁ ମଜବୁତ କରେ । ଚାଉଳ କ୍ଷୀରିର ପ୍ରମୁଖ ଉପାଦାନ ହେଉଛି କ୍ଷୀର, ଯେଉଁଥିରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍–ଡି ଓ ଅନ୍ୟାନ୍ୟ ଖଣିଜ ତତ୍ତ୍ୱ ରହିଥାଏ । ଏହି ସମସ୍ତ ପୋଷକତତ୍ତ୍ୱ ଶରୀରର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ। ନିୟମିତ ଭାବେ ସୀମିତ ପରିମାଣରେ କ୍ଷୀରି ଖାଇଲେ ହାଡ଼ ଶକ୍ତିଶାଳୀ ହୁଏ ।
ଚାଉଳ କ୍ଷୀରି ଶରୀରକୁ ପୋଷଣ ଯୋଗାଇଥାଏ । ଏଥିରେ କାଜୁ, କିସମିସ, ବାଦାମ ଭଳି ଉପାଦାନ ମିଶାଇଲେ ଏହାର ପୋଷକମୂଲ୍ୟ ଆହୁରି ବଢ଼ିଯାଏ । ଏହି ଶୁଖିଲା ଫଳଗୁଡ଼ିକରେ ଭିଟାମିନ୍, ଖଣିଜ ଲବଣ ଓ ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।
ଏହା ମନକୁ ଶାନ୍ତି ଏବଂ ଖୁସି ଦେଇଥାଏ । ମିଠା ଖାଦ୍ୟ ସାଧାରଣତଃ ମନକୁ ପ୍ରସନ୍ନ କରେ । ପର୍ବପର୍ବାଣୀ, ପୂଜାପାଠ ଓ ପାରିବାରିକ ଉତ୍ସବରେ ଚାଉଳ କ୍ଷୀରି ନିଶ୍ଚିତ ଭାବରେ ହୋଇଥାଏ । ଏହା ପରିବାର ସଦସ୍ୟମାନଙ୍କ ମଧ୍ୟରେ ସ୍ନେହ ଓ ଏକତା ବଢ଼ାଇବାରେ ମଧ୍ୟ ସହାୟକ ହୁଏ ।
ଚାଉଳ କ୍ଷୀରି ସହଜପାଚ୍ୟ ଖାଦ୍ୟ ଭାବେ ମଧ୍ୟ ପରିଚିତ । ନରମ ଏବଂ ତରଳ ପ୍ରକୃତିର ହୋଇଥିବାରୁ ଏହାକୁ ଶିଶୁ ଓ ବୃଦ୍ଧମାନେ ସହଜରେ ଖାଇପାରନ୍ତି । ଅସୁସ୍ଥତା ପରେ ଶରୀରକୁ ଶକ୍ତି ଫେରାଇବା ପାଇଁ ମଧ୍ୟ କ୍ଷୀରି ଏକ ଭଲ ବିକଳ୍ପ ହୋଇପାରେ।
ତେବେ ଏକଥା ମନେ ରଖିବା ଆବଶ୍ୟକ ଯେ, ଅତ୍ୟଧିକ ଚିନି ମିଶାଇ ଅଧିକ ପରିମାଣରେ କ୍ଷୀରି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ମଧୁମେହ ରୋଗୀ ଏବଂ ଓଜନ ନିୟନ୍ତ୍ରଣ କରୁଥିବା ବ୍ୟକ୍ତିମାନେ ସୀମିତ ପରିମାଣରେ ଏହା ସେବନ କରିବା ଉଚିତ ।
ଚାଉଳ କ୍ଷୀରି ଏକ ସ୍ୱାଦିଷ୍ଟ, ପୌଷ୍ଟିକ ଓ ଶକ୍ତିବର୍ଦ୍ଧକ ଖାଦ୍ୟ । ଏହା ଶରୀରକୁ ଶକ୍ତି ଦେବା, ହାଡ଼କୁ ମଜବୁତ କରିବା, ପୋଷଣ ଯୋଗାଇବା ଓ ମାନସିକ ସନ୍ତୁଷ୍ଟି ପ୍ରଦାନ କରିବାରେ ସହାୟକ। ତେଣୁ ସନ୍ତୁଳିତ ପରିମାଣରେ ଚାଉଳ କ୍ଷୀରି ସେବନ କଲେ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ପ୍ରମାଣିତ ହୋଇପାରେ ।
