ଉତ୍ତରାଖଣ୍ଡ : ବାବା କେଦାରନାଥଙ୍କ କପାଟ ଖୋଲିବା ପରେ ବାବା ବଦ୍ରିନାଥଙ୍କ କପାଟ ଖୋଲିଛି । ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଗୁରୁବାର ସକାଳ ୬ଟା ୧୫ ମିନିଟରେ ଭଗବାନ ବଦ୍ରି ବିଶାଳଙ୍କ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଦିଆଯାଇଛି । ମନ୍ଦିରର ଦ୍ୱାର ଖୋଲିବା ଅବସରରେ ଭଗବାନଙ୍କ ଦରବାରକୁ କୁଇଣ୍ଟାଲ କୁଇଣ୍ଟାଲ ଫୁଲରେ ସଜାଯାଇଥିଲା । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କପାଟ ଉଦ୍ଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ମହାଭିଷେକ ପୂଜା ସଂପନ୍ନ କରି ଦେଶ ଏବଂ ରାଜ୍ୟର ସୁଖ ସମୃଦ୍ଧି କାମନା କରିଛନ୍ତି ।
ଧାର୍ମିକ ବିଧି ଅନୁଯାୟୀ, କବାଟ ଖୋଲିବା ମାତ୍ରେ ସର୍ବପ୍ରଥମେ ମାତା ଲକ୍ଷ୍ମୀଙ୍କୁ ତାଙ୍କ ମନ୍ଦିରରେ ବିରାଜମାନ କରାଯାଇଥିଲା । ଏହା ସହିତ ଦକ୍ଷିଣ ଦ୍ୱାର ଦେଇ ଭଗବାନ କୁବେର ଏବଂ ଉଦ୍ଧବ ଜୀଙ୍କ ମୂର୍ତ୍ତିକୁ ମନ୍ଦିର ପରିସର ମଧ୍ୟକୁ ଅଣାଯାଇଥିଲା । ବର୍ତ୍ତମାନ ଉଦ୍ଧବ ଓ କୁବେର ଜୀ ଗର୍ଭଗୃହରେ ଅବସ୍ଥାପିତ ହୋଇଥିବାବେଳେ ମାତା ଲକ୍ଷ୍ମୀ ନିଜର ସ୍ୱତନ୍ତ୍ର ମନ୍ଦିରରେ ବିରାଜିତ ହୋଇଛନ୍ତି ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, “ଆଜି ସମ୍ପୂର୍ଣ୍ଣ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ପବିତ୍ର ବଦ୍ରିନାଥ ଧାମ ଭକ୍ତଙ୍କ ପାଇଁ ଖୋଲାଯାଇଛି । ଭଗବାନ ବଦ୍ରିନାଥଙ୍କ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ । ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ଆଧ୍ୟାତ୍ମିକ ଶକ୍ତି ଓ ବିଶ୍ୱାସର ବାର୍ତ୍ତା ବହନ କରୁ । ପବିତ୍ର ଚାରିଧାମ ଯାତ୍ରା-୨୦୨୬ ପାଇଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଶୁଭେଚ୍ଛା ।”
ବଦ୍ରିନାଥ ଧାମର କବାଟ ଖୋଲିବା ପରେ ଭକ୍ତଙ୍କ ସମାଗମ ବଢିବାରେ ଲାଗିଛି । ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା ଓ ଉତ୍ସାହ ପୂର୍ବ ବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ ଦେଖିବାକୁ ମିଳୁଛି । ଚଳିତବର୍ଷ ମନ୍ଦିର ପରିସର ମଧ୍ୟରେ ମୋବାଇଲ ଫୋନ ଏବଂ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।
