Thursday, October 8, 2026
21.5 C
Odisha

    ଗୀତର ସ୍ରଷ୍ଟା ସଂଗ୍ରାମ ମହାନ୍ତିଙ୍କ ପରଲୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଉ ନାହାନ୍ତି ଏଇ ଝୁମା ଝୁମା ଗୋଲାପି ବେଳାରେ.. ଓ କହନା ଏ ଫୁଲ କହନା ଭଳି  ଶ୍ରୁତିମଧୁର ଗୀତର ଗୀତିକାର ସଂଗ୍ରାମ ମହାନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ସେ ନିଜର ଭଞ୍ଜପୁର ସ୍ଥିତ ବାସଭବନରେ ଶେଷ ନିଶ୍ବ।ସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଆଜି ବାରୁଣୀଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ବିଧବା ପତ୍ନୀ ଓ ତିନିଜଣ କନ୍ୟା ଅଛନ୍ତି। ସଂଗ୍ରାମ ମହାନ୍ତି ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ। ସେ କିଛି ଦିନ ହେବ ସାମାନ୍ୟ ସୁସ୍ଥ ଅନୁଭବ କରୁଥିଲେ।

    ୧୯୪୭ ମସିହା ଜାନୁଆରି ୨୭ ତାରିଖରେ ତାଙ୍କର ଜନ୍ମ ହୁଏ ବାରିପଦା ସହରରେ। ସେ ଭଞ୍ଜପୁର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ଶିକ୍ଷକତା କରିବା ପରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଯୁବାବସ୍ଥାରୁ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ। ପରେ ଗୀତ ରଚନାରେ ସକ୍ରିୟ ହୋଇଥିଲେ ସେ। ଆକାଶବାଣୀ, ସିନେମା ଓ ଆଲବମ୍ ପାଇଁ ସେ ବହୁ ଗୀତ ଲେଖିଥିଲେ। ତେବେ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ଅଭିଳାଷ’ର ଏଇ ଝୁମା ଝୁମା ଗୋଲାପି ବେଳାରେ.. ଓ ମହମ୍ମଦ୍ ମହସୀନଙ୍କ ନିର୍ଦ୍ଦେଶିତ ‘ଫୁଲଚନ୍ଦନ’ର କହନା ଏ ଫୁଲ କହନା ଗୀତ ଲାଗି ସେ ସ୍ମରଣୀୟ ହୋଇ ରହିବେ। ଉପରୋକ୍ତ ଦୁଇ ଗୀତର ସଙ୍ଗୀତକାର ହେଲେ ସରୋଜ ପଟ୍ଟନାୟକ। ଏହାଛଡ଼ା ଗୌରୀଶଙ୍କର ଦାସଙ୍କ ନିର୍ଦ୍ଦେଶିତ ‘ମେ‌ା ମନ ଖାଲି ତୋରି ପାଇଁ’ ଏବଂ ସୁରେନ୍ଦ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ‘ତୁମେ ହିଁ ସାଥୀ ମୋର’ରେ ବି ସରୋଜ ପଟ୍ଟନାୟକଙ୍କ ସ୍ବରସଂଯୋଜନାରେ ଗୀତ ରଚନା କରିଥିଲେ ସଂଗ୍ରାମ ମହାନ୍ତି।

    ସେ ଜଣେ ଅମାୟିକ ଓ ସରଳ ବ୍ୟକ୍ତିଭାବେ ବାରପଦା ସହର ଓ ସଙ୍ଗୀତଜଗତରେ ସୁପରିଚିତ ଥିଲେ। ଶ୍ରୀ ମହାନ୍ତିଙ୍କ ବିୟୋଗରେ ସଙ୍ଗୀତ ବିଶେଷକରି ଗୀତିକବିଙ୍କ ମହଲରେ ଶୋକ ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ