ବୈଦିକ ଯୁଗରେ ଶିଷ୍ୟମାନେ ଗୁରୁକୁଳ ଆଶ୍ରମରେ ରହି ବେଦାଦି ଅଧ୍ୟୟନ କରୁଥିଲେ । ଗୁରୁମାନେ ଯେପରି ନିଷ୍ଠାର ସହ ଜୀବନ ଯାପନ କରୁଥିଲେ ଶିଷ୍ୟମାନେ ମଧ୍ୟ ସେପରି ଭକ୍ତିର ସହ ଗୁରୁଙ୍କ କଥା ମାନି ଚଳୁଥିଲେ । ଆଶ୍ରମ ର ଅର୍ଥ ହେଲା ଆସ-ଶ୍ରମ କର । ତେଣୁ ଆଶ୍ରମ ଜୀବନରେ ଶିଷ୍ୟ ମାନଙ୍କୁ ନିଜର ସମସ୍ତ କାମ ନିଜେ କରିବା ସହିତ ଆଶ୍ରମର ବିଭିନ୍ନ କାମ ଯେପରି; ଗୋପାଳନ, ଚାଷ କାମ,ବଗିଚା କାମ,ଆଶ୍ରମ ସଫା କରିବା, ଖାଦ୍ୟ ସଂଗ୍ରହ କରିବା ଓ ରାନ୍ଧିବା ଆଦି ମଧ୍ୟ କରିବାକୁ ପଡୁଥିଲା । ଆଶ୍ରମ ଏହିପରି ଭାବରେ ସେମାନଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଥିଲା ।
ଧୌମ୍ୟ ନାମକ ଜଣେ ଜ୍ଞାନୀ ଓ ପଣ୍ଡିତ-ଋଷି ଗୁରୁ ଥିଲେ । ତାଙ୍କର ତିନିଜଣ ମୁଖ୍ୟ ଶିଷ୍ୟ ଥିଲେ । ଆରୁଣୀ,ଉପମନ୍ୟୁ ଓ ଦେବ । ସେମାନେ ଗୁରୁଙ୍କର କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ।
ଶୀତଋତୁର କଥା । ଦିନେ ଶିଷ୍ୟ ଆରୁଣୀ ରୋଷେଇ ନିମନ୍ତେ ଜଙ୍ଗଲରୁ କାଠ ସଂଗ୍ରହ କରି ଆଶ୍ରମକୁ ଫେରୁଥିଲେ । ଫେରିବା ବାଟରେ ଆଶ୍ରମର ଧାନ ଜମି ପଡ଼େ । ଆରୁଣୀ ଲକ୍ଷ୍ୟ କଲେ ହୁଡା ଭାଙ୍ଗି ଜମିରୁ ପାଣି ସବୁ ବାହାରକୁ ଚାଲି ଯାଉଛି । ଜମିରେ ଆବଶ୍ୟକ ଅନୁଯାୟୀ ପାଣି ନରହିଲେ ଧାନ ଫସଲ ସବୁ ନଷ୍ଟ ହୋଇଯିବ । ପାଣି ନପାଇ ଧାନ ଗଛ ଗୁଡିକ ନଷ୍ଟ ହୋଇଯିବ । ସେ ହୁଡା ବନ୍ଧାଇବା ପାଇଁ ମନସ୍ଥ କଲେ । ହେଲେ ଆଶ୍ରମରେ କାଠ ନପହଞ୍ଚାଇଲେ ରୋଷେଇ ଆରମ୍ଭ ହୋଇ ପାରିବ ନାହିଁ । ତେଣୁ ସେ ତରବର ଭାବେ ଦୌଡି ଦୌଡି ଆସି ଆଶ୍ରମରେ କାଠ ପହଞ୍ଚାଇ ଦେଲେ । ବିଲ ହୁଡା ଭାଂଗିଥିବାର ଖବର ଗୁରୁଙ୍କୁ ଜଣାଇଦେଲେ । ଗୁରୁ ତାଙ୍କୁ ଆଦେଶ ଦେଲେ ଶୀଘ୍ର ଯାଇ ହୁଡା ବନ୍ଧେଇ ପାଣି ରୋକିବାର ବ୍ୟବସ୍ତା କର।
ଆରୁଣୀ କୋଡିଟିଏ ଧରି ଖୁବ ଶୀଘ୍ର ଯାଇ ଧାନ କ୍ଷେତ ପାଖରେ ପହଁଚିଲେ । ହୁଡା ବନ୍ଧେଇବା ପାଇଁ ମାଟି,ଘାସ ସବୁ ପକାଇଲେ । ହେଲେ ପାଣିର ସୁଅ ପ୍ରଖର ଥିବାରୁ ମାଟି ଓ ଘାସ ସବୁ ଭାସି ଯାଉଥିଲା ଓ ପାଣି ବୋହି ଚାଲିଥିଲା । ଏଥର ଆଉ ଅନୁଆ ଉପାୟ ନପାଇ ଆରୁଣୀ ହୁଡା ଘାଇ ମୁହଁରେ ଲମ୍ବ ହୋଇ ଶୋଇଗଲେ ।
ଦିନଯାଇ ସନ୍ଧ୍ୟା ହେଲା । ଆଶ୍ରମରେ ଅରୁଣୀକୁ ନପାଇ ଗୁରୁ ତାକୁ ଡାକି ଡାକି ବିଲ ପାଖରେ ପହଁଚିଲେ । ସାଥିରେ ଆଉ କେଇଜଣ ଶିଷ୍ୟ ଥାଆନ୍ତି । ଗୁରୁଙ୍କର ଡାକ ଶୁଣି ଆରୁଣୀ ଧୀର କଣ୍ଠରେ ଜବାବ ଦେଲା,”ଗୁରୁଦେବ,ମୁଁ ଏଇଠି ଘାଇ ମୁହଁରେ ଶୋଇଛି । ଖୁବ ହାଡଭଙ୍ଗା ଶୀତକୁ ଖାତିର ନକରି ଆରୁଣୀକୁ ଘାଇ ମୁହଁରେ ଶୋଇଥିବାର ଦେଖି ଗୁରୁ ଓ ଅନ୍ୟ ଶିଷ୍ୟମାନେ ବିସ୍ମିତ ହେଲେ । ଆରୁଣୀ କହିଲା,”ଗୁରୁ, ମୁଁ ଦେଖିଲି କୌଣସି ପ୍ରକାରେ ଘାଇ ବନ୍ଧେଇ ହୋଇ ପାରିଲାନି । ପାଣି ବୋହିଯାଇ ଧାନ କ୍ଷେତ ମରିଯିବ । ତେଣୁ ବାଧ୍ୟ ହୋଇ ମୁଁ ଏପରି କରିଛି ।”
ଋଷି ଆରୁଣୀକୁ ସେଠାରୁ ଉଠି ଆସିବା ପାଇଁ ଆଦେଶ ଦେଲେ । କହିଲେ,”ବତ୍ସ ଶୀତଦିନ ରାତ୍ରିରେ ଗୁରୁ ଆଦେଶ ପାଳନରେ ଏପରି ନିଷ୍ଠା ଦେଖି ମୁଁ ଅତ୍ୟନ୍ତ ପ୍ରୀତ । ତୁମର ଗୁରୁଭକ୍ତି ଅଦ୍ଵିତୀୟ ଅଟେ । ଏହି କାରଣରୁ ତୁମର ଯଶକୀର୍ତ୍ତି ସର୍ବକାଳ ପାଇଁ ଅଜର, ଅମର ହୋଇ ରହିବ । ଆଜିଠାରୁ ତୁମେ “ଉଦ୍ଦାଳକ” ଋଷି ନାମରେ ଖ୍ୟାତ ହେବ ।” ଗୁରୁଙ୍କ ଆଶିଷ ପାଇ ତାଙ୍କର ସିଦ୍ଧିଲାଭ ହେଲା । ସେ ସମସ୍ତ ବେଦ ଓ ଧର୍ମଶାସ୍ତ୍ର ଆୟତ୍ତ କରି ସୁଜ୍ଞାନୀ ପଣ୍ଡିତ ଭାବେ ସୁପରିଚିତ ହେଲେ । ତେଣୁ ଗୁରୁଦେବଙ୍କର ସନ୍ତୋଷ ଓ ଆଶୀର୍ବାଦ ସମସ୍ତ ଶିଷ୍ୟଙ୍କ ପାଇଁ ନିଶ୍ଚିତ ଭାବେ ଅମୂଲ୍ୟ ।
କାହାଣୀ- ନିରଞ୍ଜନ ପତି