ନୂଆଦିଲ୍ଲୀ : ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ଥିବା ପ୍ରସିଦ୍ଧ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱାଙ୍କ ଫିଟନେସ୍ ସେଣ୍ଟର ଗୁଳିମାଡ଼ ହୋଇଛି । ବାଇକରେ ଆସିଥିବା ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜିମକୁ ଟାର୍ଗେଟ୍ କରି ଅନେକ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ଘଟଣାକୁ ନେଇ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋସିଆଲ ମିଡିଆ ପୋଷ୍ଟରେ ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ।
ବିଷ୍ଣୋଇ ଗ୍ୟାଙ୍ଗର ଅନିଲ ପଣ୍ଡିତ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ସଲମାନଙ୍କ ନିକଟତର ହେଉଛି, ତେଣୁ ଗୁରୁ ରନ୍ଧାୱା ଜିମ୍ ଉପରେ ଫାୟାରିଂ କରାଇଛୁ । ସେ ଆହୁରି ମଧ୍ୟ ପୋଷ୍ଟରେ ଲେଖିଛନ୍ତି, ରାମ ରାମ ସବୁ ଭାଇଙ୍କୁ, ଯାହା ଆଜି ”୨୪ଏଚ୍ଏସ୍ ଫିଟନେସ୍” ଜିମ୍ ଉପରେ ଫାୟାରିଂ ହୋଇଛି ।
ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କର ଅତି ନିକଟତର ହେଉଥିବାରୁ ଏହା ତାଙ୍କ ପାଇଁ ଏକ ଚେତାବନୀ ଥିଲା । ଏହାସହ ଆଗକୁ ଶତ୍ରୁମାନଙ୍କ ଉପରେ ଏଭଳି ଆକ୍ରମଣ ଜାରି ରହିବ ବୋଲି ସେ ଧମକ ଦେଇଛି । ଦିଲ୍ଲୀ ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତମାନଙ୍କକୁ ଚିହ୍ନଟ କରିବା ସହ ଜିମ୍ ଚଲାଉଥିବା ସ୍ଥାନୀୟ ମାଲିକଙ୍କୁ ପଚରାଉଚରା କରୁଛି ।
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏବଂ ସଲମାନ ଖାନଙ୍କ ମଧ୍ୟରେ ଥିବା ଏହି ବିବାଦ ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ମାମଲାରୁ ଆରମ୍ଭ ହୋଇଥିଲା । ବିଷ୍ଣୋଇ ସମ୍ପ୍ରଦାୟ କୃଷ୍ଣସାର ମୃଗକୁ ପବିତ୍ର ମାନୁଥିବାରୁ ସେବେଠାରୁ ଏହି ଗ୍ୟାଙ୍ଗ ସଲମାନ ଏବଂ ତାଙ୍କ ସହଯୋଗୀଙ୍କ ପଛରେ ପଡ଼ିଛି । ଗତ କିଛି ବର୍ଷ ମଧ୍ୟରେ ଏହି ଗ୍ୟାଙ୍ଗ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଏବଂ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରି ସାରିଛି ।
