ନୂଆଦିଲ୍ଲୀ : ଏଲପିଜି ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଗ୍ରାମାଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ପୁନଃ ବୁକିଂ ପାଇଁ ଆଉ ୪୫ ଦିନ ଦୀର୍ଘ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏବେ ଗ୍ରାହକମାନେ ମାତ୍ର ୨୫ ଦିନ ମଧ୍ୟରେ ଦ୍ୱିତୀୟ ସିଲିଣ୍ଡର ବୁକ୍ କରିପାରିବେ । କେନ୍ଦ୍ର ସରକାର ଏହି ପୁରୁଣା କଟକଣାକୁ କୋହଳ କରି ନୂଆ ନିୟମ ଲାଗୁ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ସୋମବାର ଠାରୁ ସାରା ଦେଶରେ ଲାଗୁ ହୋଇଛି । ନୂଆ ନିୟମ ଅନୁଯାୟୀ, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉଭୟ କ୍ଷେତ୍ରର ଉପଭୋକ୍ତାଙ୍କ ପାଇଁ ଏହି ସମୟସୀମାକୁ ୨୫ ଦିନକୁ ହ୍ରାସ କରାଯାଇଛି । ଫଳରେ ଯେଉଁ ପରିବାରଗୁଡ଼ିକରେ ଗ୍ୟାସ୍ ବ୍ୟବହାର ଅଧିକ ରହିଛି, ସେମାନଙ୍କୁ ଆଉ ଇନ୍ଧନ ସଙ୍କଟର ସାମ୍ନା କରିବାକୁ ପଡ଼ିବ ନାହିଁ ।
କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ପର୍ଯ୍ୟଟନ ପ୍ରତିମନ୍ତ୍ରୀ ସୁରେଶ ଗୋପୀ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସମସ୍ତ ତୈଳ ବିପଣନ କମ୍ପାନୀ (OMCs) ଗୁଡ଼ିକୁ ଏହି ନୂଆ ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଧ୍ୟପ୍ରାଚ୍ୟରେ ଉପୁଜିଥିବା ସଙ୍କଟ ଏବଂ ହର୍ମୁଜ ଷ୍ଟ୍ରେଟ୍ ବାଧାପ୍ରାପ୍ତ ହେବା ଯୋଗୁଁ ଗ୍ୟାସ୍ ଯୋଗାଣରେ କିଛି ସମସ୍ୟା ଦେଖାଦେଇଥିଲା । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ କମାଇବା ପାଇଁ ପୂର୍ବରୁ ଗ୍ରାମାଞ୍ଚଳରେ ୪୫ ଦିନ ଓ ସହରାଞ୍ଚଳରେ ୨୫ ଦିନର ବୁକିଂ ବ୍ୟବଧାନ ରଖାଯାଇଥିଲା ।
ପୂର୍ବରୁ ୪୫ ଦିନିଆ ନିୟମ ଯୋଗୁଁ ଅନେକ ସାଧାରଣ ପରିବାର ଗ୍ୟାସ୍ ସରିଯିବା ପରେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିଲେ । ବିଶେଷକରି ବଡ଼ ପରିବାର ଗୁଡ଼ିକ ପାଇଁ ଗୋଟିଏ ସିଲିଣ୍ଡରରେ ୪୫ ଦିନ ଚଳାଇବା କଷ୍ଟକର ହୋଇପଡ଼ୁଥିଲା । ଏବେ ସରକାରଙ୍କ ଏହି ସଂଶୋଧିତ ନିଷ୍ପତ୍ତି ଫଳରେ କୋଟି କୋଟି ଏଲପିଜି ଗ୍ରାହକ ସିଧାସଳଖ ଉପକୃତ ହେବେ । ସହରୀ କ୍ଷେତ୍ରରେ ହୋଇଥିବା ବୁକିଂ ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପୂର୍ବ ଭଳି ୨୫ ଦିନରେ ଏମାନେ ମଧ୍ୟ ଗ୍ୟାସ୍ ବୁକିଂ କରିପାରିବେ ।
