Saturday, March 21, 2026
32.6 C
Odisha

    ଗ୍ରୀଣ୍ଡର’ଆପ୍ ଜରିଆରେ ଡକାୟତି; ୮ ଗିରଫ – -ଗ୍ରୀଣ୍ଡର ଆପ୍ କ’ଣ ପିସ୍ତଲ,

    ଆଗକୁ ପଢନ୍ତୁ

    ରାଉରକେଲା : କମ୍ ସମୟ ଓ ବିନା ପରିଶ୍ରମରେ ଟଙ୍କା ରୋଜଗାର କରିବା ପାଇଁ ଲୋକେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ସାମ୍ପ୍ରତିକ ସ୍ଥିତିରେ ସୋସିଆଲ ମିଡିଆ ଜରିଆରେ ଠକେଇ ଓ ଲୁଟ୍ ବହୁଳଭାବେ ହେଉଛି । ଏହାର ଏକ ଉଦାହରଣ ହେଉଛି ସୋସିଆଲ ନେଟୱାର୍କିଂ ଆପ୍ ‘ଗ୍ରୀଣ୍ଡର’ । ଏହି ଆପ୍ ଜରିଆରେ ଡକାୟତି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଏହିପରି ଏକ ଡକାୟତି ଘଟଣା ରାଉରକେଲାରେ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କ ଠାରୁ ପିସ୍ତଲ ମୁନରେ ଟଙ୍କା ଲୁଟ୍ ଅଭିଯୋଗରେ ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ ୮ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ବାଲୁଘାଟ ସଦର ବସ୍ତିର ଅର୍ଜୁନ ଚୌଧୁରୀ(୨୪), ଲେବର ଟେନାମେଣ୍ଟ ସରକାରୀ ଆଇଟିଆଇ ସମ୍ମୁଖର ସୁବ୍ରତ ବେହେରା(୨୧), ବାଲୁଘାଟ ନୂଆ ବସ୍ତିର ସୋନୁ ଠାକୁର(୨୦), ବେଦବ୍ୟାସ ନଦୀଟୋଲାର ଅଭିଷେକ ଶର୍ମା ଓରଫ ଅଭି(୨୫), ଗଙ୍ଗାଧରପାଲିର ମନୋଜ କୁମାର ବେହେରା ଓରଫ ଚିକୁ(୨୨), ରାମ ନଗରର ଅନାଦି ଚରଣ ବେହେରା ଓରଫ କାଳିଆ(୪୫), ବ୍ୟାସ ନଗରର ରାଜେଶ ରାଉତ ଓରଫ ଛୋଟୁ ଓରଫ ରୋନୀ (୨୩) ଓ ଲାଠିକଟା ବଲାଣିର ଜୟଦେବ ପ୍ରଧାନ ଓରଫ ଜେନ(୨୫) । ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ୭ଟି ମୋବାଇଲ, ୯ ହଜାର ୫୬୫ ଟଙ୍କା, ସ୍କୁଟି ଓ ବାଇକ ଜବତ କରାଯାଇଛି । ଏନେଇ ଥାନା ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପାନପୋଷ ଏସ୍‌ଡିପିଓ ଉପାସନା ପାଢ଼ୀ ସୂଚନା ଦେଇଥିଲେ । ବନ୍ଧମୁଣ୍ଡା ଅଞ୍ଚଳର ରହୁଥିବା ହସଲେନ୍ କ୍ୟୁରେଶି ହାଇଟେକ୍ ମେଡିକାଲ ଓ କଲେଜରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରନ୍ତି । ସେ ସମଲିଙ୍ଗୀ ଆପ୍ ଗ୍ରାଇଣ୍ଡରରେ ପ୍ରୋଫାଇଲ୍ ଖୋଲିଥିଲେ । ଆପରେ କଥାବାର୍ତ୍ତା ହେବା ପରେ ମୋବାଇଲ ନମ୍ୱର ସେୟାର କରିଥିଲେ । ତେବେ ଗତ ୨୯ ଅକ୍ଟୋବରରେ ସାକ୍ଷାତ କରିବାକୁ ସ୍ଥିର ହୋଇଥିଲା । ଅଭିଯୁକ୍ତ ମାନେତାଙ୍କୁ ଗର୍ଜନ ସ୍ଥିତ ଇଟ୍ଟା ଭାଟିକୁ ନେଇ ଯାଇଥିଲେ । ସେଠାରେ ହସଲେନ୍ ବନ୍ଧୁକ ମୁନରେ ଧମକାଇ ଫୋନ୍ ପେ\’ର ପାସୱାର୍ଡ ମାଗି ତାର ଆକାଉଣ୍ଟରେ ଥିବା ଗିରଫ ଅନାଦିଙ୍କ ଆକାଉଣ୍ଟକୁ ୨୦ ହଜାର ଟଙ୍କା ଟ୍ରାନ୍ସଫର୍ କରି ଦେଇଥିଲେ । ଘଟଣା ସମ୍ପର୍କରେ କାହାରିକୁ ନ କହିବାକୁ ଧମକ ଦେଇ ଟିସିଆଇ ଛକ ଠାରେ ଆଣି ଛାଡ଼ି ମୋବାଇଲ ଦେଇ ପଳାଇ ଥିଲେ । ସେହି ସମୟରେ ହସଲେନ୍ ଚତୁରତାର ସହ ବାଇକ ଓ ଅଭିଯୁକ୍ତମାନଙ୍କ ଫଟୋ ଉଠାଇ ଦେଇଥିଲେ । ଏନେଇ ସେ ଥାନାରେ ଉକ୍ତ ଦିନ ଅଭିଯୋଗ କରିଥିଲେ ।

    -ଗ୍ରୀଣ୍ଡର ଆପ୍ କ’ଣ
    ଏହି ଆପ୍ ହେଉଛି ସମଲିଙ୍ଗୀ ସମ୍ପର୍କ ସ୍ଥାପନା କରିବାର ମାଧ୍ୟମ । ତେବେ ଶାରୀରିକ ସମ୍ପର୍କ ରଖିବା, ଦେଖା କରିବା, ବୁଲିବାକୁ ଯିବା ଓ କଥାବାର୍ତ୍ତା ହେବା ଆଦିକୁ କେନ୍ଦ୍ର କରି ତିଆରି କରାଯାଇଛି । ଏହି ଆପ୍ ଯୋଗେ ଦେଶର ବିଭିନ୍ନ ରାଜ୍ୟରେ ଅନେକ ଅପରାଧ ବିଗତ ବର୍ଷରେ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ରାଜ୍ୟର ଭୁବନେଶ୍ୱର ଠାରେ ଏଭଳି ଘଟଣା ଘଟି ସାରିଲାଣି । ରାଉରକେଲା ଛେଣ୍ଡ ଥାନାରେ ମଧ୍ୟ ଗତ ଦିନରେ ଆପ୍ ଯୋଗେ ଲୁଟ୍ ହୋଇଥିବା ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା ପୁଲିସ । ହେଲେ ଆଜି ଯାଏଁ ଆପ୍ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ