ସଲମାନ ଖାଁଙ୍କ ପରେ ଗ୍ୟାଙ୍ଗଷ୍ଟାର ବିଷ୍ଣୋଇ ଟାର୍ଗେଟରେ ଆକ୍ଟର ରଣବୀର ସିଂ । ବ୍ଲକବଷ୍ଟର ମୁଭି ‘ଧୁରନ୍ଧର ଷ୍ଟାର ରଣବୀର ସିଂଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ୧୦ କୋଟି ଟଙ୍କା ଡିମାଣ୍ଡ ସହ ହତ୍ୟା ଧମକ ମିଳିଥିବା ଜଣାଯାଇଛି । ରଣବୀରଙ୍କ ମ୍ୟାନେଜରଙ୍କ ନମ୍ବରରେ ଆସିଥିବା ବାର୍ତ୍ତା ଏକ ଆମେରିକୀୟ ଫୋନ୍ ନମ୍ବରରୁ ଆସିଥିବା ଅଭିଯୋଗ ହୋଇଛି l ତାଙ୍କ ଗ୍ୟାଙ୍ଗ ଅପରେଟ କରୁଥିବା ହ୍ୟାରି ବକ୍ସର ଏହି ଧମକ ଦେଇଛନ୍ତି ବୋଲି ପୋଲିସ ପାଖରୁ ସୂଚନା ମିଳିଛି । ଧମକପୂର୍ଣ୍ଣ ଭଏସ୍ ମେସେଜ୍ ପଠାଇବା ପାଇଁ ସିମ୍ ବ୍ୟବହାର କରିଥିବା ବ୍ୟକ୍ତି ଓ ୧୦ କୋଟି ଟଙ୍କା ମାଗିଥିବା ଅପରାଧ ଶାଖା ବିଷୟରେ ସୂଚନା ସଂଗ୍ରହ ପାଇଁ ଜୋରସୋର ଉଦ୍ୟମ କରାଯାଉଛି । ମୁମ୍ବାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ସାରିଥିଲେ ମଧ୍ୟ କୌଣସି ଏଫଆଇଆର ଏପର୍ଯ୍ୟନ୍ତ ରୁଜୁ ହୋଇନାହିଁ ବୋଲି ଜଣାଯାଇଛି ।
ଧମକ ପରେ ଅଭିନେତାଙ୍କ ସୁରକ୍ଷାକୁ କଡାକଡି କରାଯାଇଛି । ତାଙ୍କ ମ୍ୟାନେଜରଙ୍କ ବୟାନ୍ ମଧ୍ୟ ରେକର୍ଡ କରାଯାଇଛି । ମୃତ୍ୟୁ ଧମକ ପରେ ମଧ୍ୟ ରଣବୀର ଓ ଦୀପିକା ତାଙ୍କ ମା ବାହାରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଞ୍ଜୁ ଭବନନୀ ଗତକାଲି ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଅନ୍ତର୍ଜାତୀୟ ବିଦ୍ୟାଳୟରେ ପ୍ରକାଶ ପାଦୁକୋନଙ୍କ ଦ୍ଵାରା ଆୟୋଜିତ ଇଭେଣ୍ଟରେ ଯୋଗ ଦେଇଥିଲେ । ଏଭଳି ଧମକର ପ୍ରଭାବ ସେମାନଙ୍କ ଉପରେ ଥିବା ଭଳି ଲାଗିଲା ନାହିଁ । କାରଣ ସେମାନେ ଦୁହେଁ ବେଶ୍ ମସ୍ତି କରିଥିଲେ ସେହି କାର୍ଯ୍ୟକ୍ରମରେ । ଆହୁରି ମଧ୍ୟ ରଣବୀର ଧୁରନ୍ଧର-୨ ପାଇଁ ଏହା ଭିତରେ ଡବିଂ ଶେଷ କରିଛନ୍ତି । ଖାଲି ସେତିକି ନୁହେଁ, ଲୀଲାବତୀ ହସପିଟାଲରେ ସେ ସଲମାନ ଖାନଙ୍କ ଅସୁସ୍ଥ ପିତା ସଲିମ ଖାନଙ୍କୁ ମଧ୍ୟ ଦେଖିବାକୁ ଯାଇଥିଲେ ।
ଗତ ଫେବୃଆରୀ ୨ ତାରିଖ ଦିନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ଗୁଳି ଚାଲିଲା । ଯେଉଁଥିରେ ଏକାଧିକ ବନ୍ଧୁକଧାରୀ ଚାରି ରାଉଣ୍ଡ ଗୁଳି ଚାଳନା କରିଥିଲେ । ଏବେ ରଣବୀରଙ୍କୁ ଟାର୍ଗେଟ୍ କରିଛି ବିଷ୍ଣୋଇ ଗ୍ୟାଙ୍ଗ୍ । ଏହି ଖବର ବାହାରକୁ ଆସିବା ପରେ ରଣବୀର ଓ ଦୀପିକାଙ୍କ ଫ୍ୟାନ୍ସଙ୍କ ସମେତ ମୁମ୍ବାଇ ପୁଲିସର ମଧ୍ୟ ଚିନ୍ତା ବଢି ଯାଇଛି । ସେମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ବ୍ୟବସ୍ଥା କରାଯାଇଛି । ଆହୁରି ମଧ୍ୟ ସଲମାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କୁ ମଧ୍ୟ ରଣବୀରଙ୍କ ଭଳି ଧମକ ଆସିଛି । ତାଙ୍କଠାରୁ ଟଙ୍କା ଡିମାଣ୍ଡ କରାଯାଇଛି । ଏହି ଧମକ ସ୍ବିଡେନରୁ ଆସିଥିବା ଜଣାପଡ଼ିଛି ।

