ଭଡ଼ା ଟଙ୍କା ମାଗିବାକୁ ଯାଇଥିଲେ ଯେ ଭଡ଼ାଟିଆଙ୍କ ହାତରେ ମାଲିକାଣୀଙ୍କ ଜୀବନ ଗଲା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ପୁରା ସତ । ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ନନ୍ଦଗ୍ରାମ ପୋଲିସ ଷ୍ଟେସନ ଅଞ୍ଚଳର ରାଜନଗର ଏକ୍ସଟେନସନ ସ୍ଥିତ ପଶ ଔରା କାଇମେରା ସୋସାଇଟିରେ ହୋଇଛି ହତ୍ୟାକାଣ୍ଡ । ଭଡା ବିବାଦକୁ ନେଇ ଜଣେ ଘର ମାଲିକାଣୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ଆଉ ମହିଳାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ଖଟ ତଳେ ଲୁଚାଇ ଦେଇଥିଲେ ଅଭିଯୁକ୍ତ ।
ଔରା କାଇମେରା ସୋସାଇଟିର ଏମ୍-୧୦୫ ନିବାସୀ ଉମେଶ ଶର୍ମାଙ୍କ ପତ୍ନୀ ଦୀପଶିଖା ଶର୍ମା ହୋଇଛନ୍ତି ହତ୍ୟାର ଶିକାର । ପୋଲିସ କହିବା ଅନୁଯାୟୀ, ଦୀପଶିଖା ଶର୍ମାଙ୍କ ଫ୍ଲାଟରେ ଅଜୟ ଗୁପ୍ତା ଏବଂ ଆକ୍ରିତି ଗୁପ୍ତା ନାମକ ଏକ ଦମ୍ପତି ଭଡାଟିଆ ଭାବରେ ରହୁଥିଲେ । ବକେୟା ଭଡାକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା । ଆଉ ଏହି ବିବାଦ ଯେ ଦୀପଶିଖାଙ୍କ ଜୀବନ ନେଇଯିବ କେହି କେବେ କଳ୍ପନା କରି ନଥିଲେ । ଦୀପଶିଖା ଭଡ଼ାଟିଆଙ୍କ ଠାରୁ ଭଡ଼ା ଟଙ୍କା ଆଣିବାକୁ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘରେ ରହୁଥିବା ଚାକରାଣୀର ସନ୍ଦେହ ବଢ଼ିଥିଲା । ଦୀପଶିଖାଙ୍କୁ ଖୋଜି ଖୋଜି ଭଡ଼ାଟିଆଙ୍କ ଘରେ ପହଞ୍ଚିଥିଲେ ସେ । ଯେଉଁଠାରେ ଦୀପଶିଖା ଶର୍ମାଙ୍କ ମୃତଦେହ ଏକ ଲାଲ ସୁଟକେସରୁ ମିଳିଥିଲା ।
ଡିସେମ୍ବର ୧୭ ତାରିଖ ରାତି ପ୍ରାୟ ୧୧.୧୫ ସମୟରେ ନନ୍ଦଗ୍ରାମ ପୋଲିସ ଷ୍ଟେସନକୁ ଔରା କାଇମେରା ସୋସାଇଟିରେ ମହିଳାଙ୍କ ହତ୍ୟା ନେଇ ଖବର ଆସିଥିଲା । ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସୋସାଇଟିର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା, ଯେଉଁଥିରେ ଦୀପଶିଖା ଶର୍ମା ସନ୍ଧ୍ୟାରେ ଫ୍ଲାଟ ଆଡକୁ ଚାଲି ଚାଲି ଯାଉଥିଲେ କିନ୍ତୁ ଆଉ ଫେରି ନଥିଲେ । ଏହା ପରେ ଭଡାଟିଆ ଦମ୍ପତିଙ୍କ ଉପରେ ସନ୍ଦେହ ଆହୁରି ବଢ଼ିଥିଲା ।
ହତ୍ୟା ପରେ ଅଭିଯୁକ୍ତମାନେ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ଖଟ ତଳେ ଲୁଚାଇ ରଖିଥିଲେ । ଏପରିକି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୋସାଇଟିର ସଦସ୍ୟମାନେ ସେମାନଙ୍କୁ କାବୁ କରି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅଜୟ ଗୁପ୍ତା ଏବଂ ଆକ୍ରିତି ଗୁପ୍ତାକୁ ଅଟକ ରଖିଛି । ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି ଏବଂ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଉଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି, ସ୍ଥାନୀୟ ବାସିନ୍ଦା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।

