Sunday, June 7, 2026
38.8 C
Odisha

    ଚଳନ୍ତିକା: ସେଲ୍‌ଫି କହିବ ଆୟୁଷ କେତେ

    ଆଗକୁ ପଢନ୍ତୁ

    ବୈଜ୍ଞାନିକମାନେ ‘ଫେସ୍‌ଏଜ୍’ ନାମରେ ନୂତନ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ଉପକରଣ ବିକଶିତ କରିଛନ୍ତି, ଯାହା କେବଳ ଗୋଟାଏ ଫଟୋ ବିଶ୍ଳେଷଣ କରି ସେ ବ୍ୟକ୍ତିଙ୍କ ‘ବାୟୋ‌ଲୋଜିକାଲ୍‌ ଏଜ୍‌’ ବା ‘ଜୈବିକ ଆୟୁ’ ନିର୍ଣ୍ଣୟ କରିପାରିବ। କଥା ଏଇଠି ସରୁନାହିଁ, ‘ଫେସ୍‌ଏଜ୍‌’ ମଧ୍ୟ ଡାକ୍ତରଙ୍କ ଅପେକ୍ଷା ଅଧିକ ସଠିକ୍‌ କରି ଜଣେ କର୍କଟରୋଗୀର ଆୟୁଷ ସୂଚାଇ ପାରିବ। ହାର୍ଭାର୍ଡ ମେଡିକାଲ୍‌ ସ୍କୁଲ୍‌ ଓ ସହଯୋଗୀ ପ୍ରତିଷ୍ଠାନଗୁଡ଼ିକ ଦ୍ବାରା ବିକଶିତ ଡିପ୍‌ ଲର୍ଣ୍ଣିଙ୍ଗ୍‌ ସି‌ଷ୍ଟମ୍‌ ‘ଫେସ୍‌ଏଜ୍‌’ ଦ୍ବାରା ଜଣେ ବ୍ୟକ୍ତିଙ୍କ ‘ବାୟୋ‌‌ଲଜିକାଲ୍‌ ଏଜ୍‌’ ନିର୍ଦ୍ଧାରଣ କର‌ାଯାଇପାରେ। ଅନେକ ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଜୈବିକ ବୟସ ସାଧାରଣ କ୍ୟାଲେଣ୍ଡର୍‌ ବା ସଂଖ୍ୟାକ୍ରମ ବୟସଠାରୁ ପୃଥକ୍‌ ହୋଇଥାଏ। କାହାର କେମିତି ଉଭୟ ବୟସ ସମାନ ବି ହୋଇଥାଏ। ବାୟୋଲଜିକାଲ୍‌ ଏଜ୍‌ରୁ ଗୁଣସୂତ୍ର, ଜୀବନଚର୍ଯ୍ୟା, ରୋଗ ଓ ପରିବେଶ ଯୋଗୁଁ ହୋଇଥିବା ଶରୀର କ୍ଷୟ ପରିମାଣ ଜଣାପଡ଼େ। ଏସବୁ କିନ୍ତୁ, କ୍ରମିକ ସଂଖ୍ୟା ବୟସ କଳନାରୁ ଜଣାପଡ଼େ ନାହିଁ। ପ୍ରକୃତିଗତ ଭାବେ ବା ବାୟୋଲୋଜିକାଲି ଜଣେ କେତେ ବୟସ୍କ ତାହା ନିର୍ଣ୍ଣୟ କରିବାକୁ ‘ଫେସ୍‌ଏଜ୍‌’ ‘ଫେସ୍‌ ଡିଟେକ୍‌ସନ୍‌’ ଓ ‘ଫିଚର୍‌ ଏକ୍‌ଷ୍ଟ୍ରାକ୍‌ସନ୍‌’ କୌଶଳ ଉପଯୋଗ କରେ। ଏଥିଲାଗି ୫୮,୦୦୦ରୁ ଅଧିକ ସୁସ୍ଥ ବ୍ୟକ୍ତିଙ୍କ ମୁଖମଣ୍ଡଳର ଫଟୋ ବିଶ୍ଳେଷଣ କରାଇ ‘ଫେସ୍‌ଏଜ୍‌’କୁ ତାଲିମ ଦିଆଯାଇଥିଲା। ଏହା ବ୍ୟତିରେକେ, ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପ୍‌ରେ ଥିବା ଅନେକ ଡାକ୍ତରଖାନାରେ ଚିକିତ୍ସାଧୀନ ୬,୧୯୬ଜଣ କର୍କଟରୋଗୀଙ୍କ ଉପରେ ବି ଏହାକୁ ପରୀକ୍ଷା କରାଯାଇଥିଲା। ‘ଫେସ୍‌ଏଜ୍’ ସମ୍ବନ୍ଧରେ ‘ଦି ଲାନ୍‌ସେଟ୍‌ ଡିଜିଟାଲ୍‌ ହେଲ୍‌ଥ୍‌’ରେ ପ୍ରକାଶିତ ଆଲେଖ୍ୟରେ କୁହାଯାଇଛି ଯେ ଏହା କର୍କଟରୋଗୀଙ୍କ ପରମାୟୁ ଡାକ୍ତରଙ୍କ ଅପେକ୍ଷା ଅଧିକ ନିର୍ଭୁଲ୍‌ ଭାବେ ନିର୍ଣ୍ଣୟ କରିପାରୁଛି। ତିନିଟି ବର୍ଗର ପ୍ରମୁଖ କର୍କଟରୋଗୀଙ୍କ ଉପରେ ‘ଫେସ୍‌ଏଜ୍‌’ ପରୀକ୍ଷା କରାଇ ଗବେଷକମାନେ ଉପରୋକ୍ତ ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ସେ ତିନିଟି ବର୍ଗ ହେଉଛି ‘କ୍ୟୁରେଟିଭ୍‌’ (ରେଡିଏସନ୍‌ ଥେରାପି ନେଉଥିବା ରୋଗୀ), ‘ଥୋରାଟିକ୍‌’ (ହୃତ୍‌ପିଣ୍ଡ ଅଞ୍ଚଳରେ କର୍କଟରୋଗ ହୋଇଥିବା ରୋଗୀ) ଓ ‘ପାଲିଏଟିଭ୍‌’ (‌ଶେଷ ଅବସ୍ଥାରେ

    ପହଞ୍ଚିଥିବା କର୍କଟରୋଗ)। ଏ ବର୍ଗର କର୍କଟରୋଗୀଙ୍କ ଅବଶିଷ୍ଟ ଆୟୁଷ ସମ୍ବନ୍ଧରେ ଡାକ୍ତରମାନେ ଯାହା ପୂର୍ବାନୁମାନ କରିଥିଲେ ‘ଫେସ୍‌ଏଜ୍‌’ ଆୟୁଷ ଆକଳନଠାରୁ ତାହା ପୃଥକ୍‌ ଥିଲା। ସେମାନେ ଅଧିକ ୬ ମାସ ବଞ୍ଚିବେ ବୋଲି ‘ଫେସ୍‌ଏଜ୍‌’ ନିର୍ଣ୍ଣୟ କରିଥିଲା ଏବଂ ତାହା ହିଁ ଠିକ୍‌ ହେଲା।

    ବାସ୍ତବରେ ଜଣେ କେତେ ସ୍ବାସ୍ଥ୍ୟବାନ୍‌ ବା କେତେ ଅସୁସ୍ଥ ସେକଥା ସବୁବେଳେ ସଂଖ୍ୟାକ୍ରମ ବୟସରୁ ଜଣାପଡ଼େନାହିଁ। ଦୃଷ୍ଟାନ୍ତ ସ୍ବରୂପ ନିୟମିତ ବ୍ୟାୟାମ କରିବା ସହିତ ପୁଷ୍ଟିକର ଖାଦ୍ୟ ଖାଉଥିବା ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ଶରୀରର ବୟସ ହୁଏତ ଅପେକ୍ଷାକୃତ କମ୍‌ ହୋଇଥାଇପାରେ। ସେମିତି ଧୂମପାନ କରୁଥିବା ଓ ସ୍ବଳ୍ପ ଖାଉଥିବା ଜଣେ ୨୮ ବର୍ଷୀୟ ବ୍ୟକ୍ତି ଶାରୀରିକ ଭାବେ ଅଧିକ ବୟସ୍କ ହୋଇଯାଇଥାଇ ପାରନ୍ତି। ଖାଲି ଆଖିକୁ ଦିଶୁ ନ ଥିବା ଜୀବକୋଷର ବୟସ ଲକ୍ଷଣଗୁଡ଼ିକୁ ‘ଫେସ୍‌ଏଜ୍‌’ କିନ୍ତୁ ସଠିକ୍‌ ନିର୍ଦ୍ଧାରଣ କରିପାରୁଛି। ଏ ଅଧ୍ୟୟନରୁ ଜଣାପଡ଼ିଛି, ମୋଟାମୋଟି କର୍କଟରୋଗୀମାନେ ବାସ୍ତବ ବୟସ ଅପେକ୍ଷା ପ୍ରାୟ

    ୫ ବର୍ଷ ଅଧିକ ବୟସ୍କ ଦିଶନ୍ତି। ତେଣୁ ସେମାନଙ୍କର ଆୟୁଷ ପୂରି ଆସୁଛି ବୋଲି ‘ଫେସ୍‌ଏଜ୍‌’ ସୂଚାଇ ଦେଇଥାଏ।

    ଗବେଷକମାନଙ୍କର ମନେହୁଏ ଯେ ଚିକିତ୍ସା ଉପକାରିତା ଓ ଅପକାରିତା କଥା ବିଚାର କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବାକୁ ‘ଫେସ୍‌ଏଜ୍‌’ ଡାକ୍ତରମାନଙ୍କୁ ସହଯୋଗ କରିବ। ବିଶେଷକରି କର୍କଟରୋଗ ଚିକିତ୍ସା କ୍ଷେତ୍ରରେ ଏହାର ଉପଯୋଗିତା ଅଧିକ ରହିବ। କାରଣ ସେଠାରେ ଅପକାର ଓ ଉପକାର ବିଷୟ ସାବଧାନତା ସହକାରେ ବିଚାର କରାଯିବା ବାଞ୍ଛନୀୟ। ରୋଗୀର ସ୍ବାସ୍ଥ୍ୟାବସ୍ଥା ନିରୂପଣ କରି ଏହା ନିର୍ଦ୍ଦିଷ୍ଟ ଔଷଧ ଓ ନୈଦାନିକ ପରୀକ୍ଷଣ ‌କ୍ଷେତ୍ରରେ ବି ସହାୟକ ହେବ। କିନ୍ତୁ, ଏଥିପାଇଁ ଆହୁରି ଅଧିକ ପରୀକ୍ଷଣ କରାଯିବା ପରେ ଏହି ଉପକରଣ ଡାକ୍ତରୀ କ୍ଷେତ୍ରରେ ପ୍ରଚଳନ କରାଯିବା ଉଚିତ ବୋଲି ଗବେଷକମାନେ ମତ ଦେଇଛନ୍ତି। ‘ଫେସ୍‌ଏଜ୍‌’ ଭଳି ‘ଏଆଇ’ ଉପକରଣ ନୈତିକତା ଓ ଗୋପନୀୟତା ଉଲ୍ଲଂଘନ ଚିନ୍ତା ମଧ୍ୟ ଉଦ୍ରେକ କରାଉଛି। ବ୍ୟକ୍ତିବିଶେଷଙ୍କ ‘ଫେସିଆଲ୍‌ ଡାଟା’ ଆଧାରରେ ନିଷ୍ପତ୍ତି ନେଇ ବୀମା କମ୍ପାନି ଓ ନିଯୁକ୍ତିଦାତାମାନେ ଏହାର ଦୁରୁପଯୋଗ କରିପାରନ୍ତି ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି। ତା’ଛଡ଼ା ‘ଫେସ୍‌ଏଜ୍‌’ ଯେ ସମସ୍ତ ଜାତି, ବୟସବର୍ଗ ଓ ଲିଙ୍ଗ କ୍ଷେତ୍ରରେ ସମାନ ପୂର୍ବାଭାଷ ଦେଉଛି, ତାହା ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇପାରି ନାହିଁ। ତେଣୁ ‘ଫେସ୍‌ଏଜ୍‌’ ଭଳି ‘ଏଆଇ’ ଉପକରଣ ଉପଯୋଗ କ୍ଷେତ୍ରରେ କଠୋର କଟକଣା ଲାଗୁ କରିବା ଲାଗି ଗବେଷକମାନେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.8 ° C
    38.8 °
    38.8 °
    26 %
    3.1kmh
    85 %
    Sun
    35 °
    Mon
    41 °
    Tue
    42 °
    Wed
    42 °
    Thu
    41 °

    ସମ୍ବନ୍ଧିତ