Tuesday, September 29, 2026
23.2 C
Odisha

    ଚାଷୀଙ୍କ ହକ୍ ପାଇଁ ଲଢ଼ିବି: ନବୀନ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ସମୀକ୍ଷା କରିବାର ୨୪ ଘଣ୍ଟା ପରେ ଆଜି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ। ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ସମେତ ଆସିକା, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀକୁ ଯାଇ ଫସଲ କ୍ଷୟକ୍ଷତି ନେଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି।

    ହିଞ୍ଜିଳିର ଶେରଗଡ଼ ବ୍ଲକ୍‌ରୁ ପ୍ରଥମେ ନବୀନ ଫସଲ କ୍ଷୟକ୍ଷତି ସମୀକ୍ଷା ଆରମ୍ଭ କରିଥିଲେ। ତାକରଡ଼ା ଗ୍ରାମରେ ଚାଷୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଦୁଃଖ ଶୁଣିଥିଲେ। ବହୁ ଚାଷୀ ହାତରେ ଗଜା ଧାନକେଣ୍ଡା ଦେଖାଇ ତାଙ୍କୁ ଗୁହାରି ଜଣାଇଥିଲେ। ଏହାପରେ ସେ ହିଞ୍ଜିଳି ବ୍ଲକ୍ ପୋଡ଼ିଙ୍ଗି, ଆସିକା ବ୍ଲକ୍ ବରଗାଁ, କବିସୂର୍ଯ୍ୟନଗର ବ୍ଲକ୍ ଆମ୍ବିଶିଖରପୁର ଓ ଖଲ୍ଲିକୋଟ ବ୍ଲକ୍ ଭରସା ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଚାଷୀ ଓ ମହିଳା ନବୀନଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ସରକାରୀ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି ନଥିବା ଚାଷୀମାନେ ଅଭିଯୋଗ କରିଥିଲେ। ସରକାରଙ୍କ ତରଫରୁ ଅଦିନିଆ ବର୍ଷା ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ ଫସଲ ବଞ୍ଚିଯାଇଥା’ନ୍ତା ବୋଲି କେତେକ ଚାଷୀ କ୍ଷୋଭ ପ୍ରକାଶ କରିଥିଲେ।

    ଚାଷୀମାନଙ୍କୁ ଆଶ୍ୱାସନା ଦେଇ ନବୀନ କହିଥିଲେ, ସେ ସବୁବେଳେ ଚାଷୀ ଭାଇଭଉଣୀଙ୍କ ସହ ଅଛନ୍ତି। ଆଗକୁ ସେମାନଙ୍କ ହକ୍‌ ପାଇଁ ଲଢ଼େଇ କରିବେ। ଅଦିନିଆ ବର୍ଷା ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଫସଲ ନଷ୍ଟ ଯୋଗୁଁ ଚାଷୀ ଦୁଃଖରେ ଅଛନ୍ତି। ଏଣୁ ଚାଷୀଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ସେ ସରକାରଙ୍କ ନିକଟରେ ଦାବି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବରିଷ୍ଠ ନେତୃବୃନ୍ଦ ଏବଂ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସୂଚନାଥାଉକି, ନିର୍ବାଚନ ପ‌ରେ ନବୀନଙ୍କ ଏହା ପ୍ରଥମ ଗଞ୍ଜାମ ଗସ୍ତ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ