ଓଡ଼ିଶା ବାହାରେ ରହିଲେ ବି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାଁନ୍ତି ପ୍ରବାସୀ ଓଡ଼ିଆ । ଓଡ଼ିଶାରେ ଯେଭଳି ୧୨ ମାସରେ ୧୩ ପର୍ବ ପାଳନ କରାଯାଏ ସେଭଳି ଓଡ଼ିଶା ବାହାରେ କର୍ମ କ୍ଷେତ୍ରରେ ରହି ବ୍ୟସ୍ତତା ସୁଦ୍ଧା ଓଡ଼ିଆ ପରମ୍ପରାକୁ ନଭୁଲି ଓଡ଼ିଶାର କଳା ଓ ସଂସ୍କୃତି କୁ ବଜାଇ ରଖିଛନ୍ତି । ଚେନ୍ନାଇର ପ୍ରାୟ ୧୦ ଲକ୍ଷ ଓଡ଼ିଆ ବସବାସ କରନ୍ତି । ଓଡ଼ିଶା ଜନ୍ମ ଭୂମି ହୋଇଥିବା ବେଳେ ଚେନ୍ନାଇକୁ ନିଜର କର୍ମ ଭୂମି ଆପଣାଇ ଦୁଇଟି ରାଜ୍ୟ ମଧ୍ୟରେ ଏକ ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହୋଇପାରିଛନ୍ତି । ଚେନ୍ନାଇର ସର୍ବପୁରାତନ ସଙ୍ଗଠନ ଉତ୍କଳ ଆସୋସିଏସନ୍ ମାଡ୍ରାସ ପକ୍ଷରୁ ଚଳିତ ବର୍ଷ ୮୯ ତମ ଉତ୍କଳ ଦିବସ ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଚେନ୍ନାଇ ରାଜା ଆନ୍ନାମାଲାଇ ପୁରମ୍ ସ୍ଥିତ ଇମେଜ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।
ଗତ ରବିବାର ଅପରାହ୍ନ ସମୟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ପ୍ରଥମେ ମହାପ୍ରଭୂ ଜଗନ୍ନାଥ ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପୂଜା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମେ କୁନି କୁନି ପିଲାମାନଙ୍କୁ ନେଇ ଏକ ଟେଲେଣ୍ଟ ସୋ ଅନୁଷ୍ଟିତ ହୋଇଥିଲା । ଯେଉଁଥିରେ କୁନି କୁନି ପିଲାମାନେ ସେମାନଙ୍କର ନିଜର ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ । ପରେ ଯେଉଁଥିରେ ସମ୍ବଲପୁରୀ ସାଙ୍ଗକୁ ଓଡିଶୀ,ଆଧୁନିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା । ଭାରତ ନାଟ୍ୟମ ନୃତ୍ୟ ପ୍ରଖ୍ୟାଲିକା ପରିବେଷଣ କରିଥିଲେ । ପରେ ଆନ୍ତର୍ଜାତୀୟ ସ୍ଥରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶୀ ନୃତ୍ୟ ଗୁରୁ ମାନସୀ ରାଉତରାୟଙ୍କ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାମିଲନାଡୁ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଥିରୁ ମ ଶୁବ୍ରମନ୍ୟନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଆଇ ଏ ଏସ୍ ଅଧିକାରୀ ଯତୀନ୍ଦ୍ର ନାଥ ସ୍ବାଇଁ ଏବଂ ମୁଖ୍ୟ ବକ୍ତା ଭାବେ ଏନ୍ ଏଲ ସି ଇଣ୍ଡିଆ ଲିମିଟେଡ ର ଅର୍ଥ ନିର୍ଦ୍ଦେଶକ ଡ ପ୍ରସନ୍ନ କୁମାର ଆଚାର୍ଯ୍ୟ ଯୋଗଦେଇଥିଲେ । ଅତିଥିମାନଙ୍କ ଦ୍ବାରା ପ୍ରଥମେ ପ୍ରଦୀପ ପ୍ରଜଳନ କରାଯାଇଥିଲା। ପରେ ଉତ୍କଳ ଆସୋସିଏସନ୍ ମାଡ୍ରାସର ସଭାପତି ପବିତ୍ର ମୋହନ ମାଝୀ ସ୍ବାଗତ ଭାଷଣ ଦେଇଥିଲେ । ସମ୍ପାଦକ ପ୍ରବାସ ପତି ବାର୍ଷିକ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ସୁଭ୍ରମନ୍ୟନ୍ ପ୍ରଥମେ ଓଡ଼ିଆରେ ଆରମ୍ଭ କରିଥିଲେ ନିଜର ବକ୍ତବ୍ୟ ଏବଂ ଓଡ଼ିଶା ସମ୍ପର୍କରେ ଅନେକ ଗାଥା କହିଥିଲେ । ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୁନାମ ଅର୍ଜନ କରିଥିବା ବରିଷ୍ଠ ବ୍ୟକ୍ତିଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ଉପସଭାପତି ଗାୟତ୍ରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରଚଣ୍ଡ କେଶରୀ ମହାମଲ ଓ ସୋମା ଦାସ ସଂଯୋଜନା କରିଥିଲା ବେଳେ ସମସ୍ତ କାର୍ଯ୍ୟକ୍ରମରେ ଉତ୍କଳ ଆସୋସିଏସନ୍ ମାଡ୍ରାସର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭି ଆଇ ଟି ଚେନ୍ନାଇ କଳିଙ୍ଗ ଜ୍ୟୋତିର ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସଙ୍ଗୀତ,ନୃତ୍ୟ ଓ ଡ୍ରାମା ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମରେ ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଯୋଗଦେଇଥିଲେ ।