ଜଗତସିଂହପୁର : ଚାଲିଛି ହୋମ ଯଜ୍ଞ । ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ । ଭକ୍ତି ଓ ଆସ୍ଥାର ଏକ ବିଶେଷ ପରିବେଶ ସୃଷ୍ଟି ହୋଇଛି । କାରଣ ଏଠାରେ ସମ୍ପନ୍ନ ହୋଇଯାଇଛି ଗୀତାଜ୍ଞାନ ଯଜ୍ଞ । ସମ୍ପୂର୍ଣ୍ଣ ରୀତିନୀତି ଓ ବିଧି ବିଧାନ ଅନୁସାରେ ସମ୍ପନ୍ନ ହୋଇଛି ଗୀତାଜ୍ଞାନ ମହାଯଜ୍ଞ । ଏହି ଅବସରରେ ଜମିଛି ଭକ୍ତଙ୍କ ଗହଳି । ଏହି ପୁଣ୍ୟ ଗ୍ରନ୍ଥର କଥା ଶୁଣି ଭଗବାନଙ୍କ ଆଶିଷ ଭିକ୍ଷା କରୁଛନ୍ତି ଭକ୍ତମାନେ । ଏହି ଯଜ୍ଞର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବ ମନରେ ଶାନ୍ତି ଏବଂ ସମାଜ ତଥା ସହରରେ ସୁଖ-ସମୃଦ୍ଧି ସ୍ଥାପନ କରିବା ।ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଚାନ୍ଦପୁର ଠାରେ ରାଜ୍ୟ ସ୍ତରୀୟ ଗୀତାଜ୍ଞାନ ଯଜ୍ଞ୍ୟ କମିଟି ପକ୍ଷରୁ ୩୯ତମ ଗୀତାଜ୍ଞାନ ଯଜ୍ଞ ମହୋତ୍ସବ ଉଦଯାପିତ ହୋଇଯାଇଛି । ଗୀତାର ବାଣୀକୁ ସାର୍ବଜନୀନ, ଗୀତା ଚର୍ଚ୍ଚାର ପ୍ରଚାର ପ୍ରସାର ବୃଦ୍ଧି କରିବା, ବିଶେଷକରି ଯୁବପିଢ଼ିମାନଙ୍କ ଭିତରେ ଗୀତାପ୍ରତି ଆଗ୍ରହ ସୃଷ୍ଟି କରିବା ଓ ଏକ ସୁସ୍ଥ ସମାଜ ଗଠନର ମୁଳଦୂଆ ପକାଇବା ପାଇଁ ଏହି ଗୀତାଜ୍ଞାନ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ଶହସ୍ରାଧିକ ଜନ ସାଧାରଣଙ୍କୁ ନେଇ ଗୀତା ବାଣୀର ଆଲୋଚନା କରାଯାଇଥିଲା । ଯୁବପିଢ଼ି ଏହାକୁ ଆପଣାଇବାକୁ କୁହାଯାଇଥିଲା ମହୋତ୍ସବରେ । ଏହି ଅବସରରେ କୁନି କୁନି ରାଧାକୃଷ୍ଣଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟ ଅତିଥି । ରାଜ୍ୟ ସ୍ତରୀୟ ଗୀତାଜ୍ଞାନ ଯଜ୍ଞ୍ୟ କମିଟି ଆବାହକ ବିଜୟ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ଆହୁରି ବହୁ ସାଧୁ ସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ଶେଷରେ ପିଲାମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ଯଜ୍ଞ । ଗୀତା ବାଣୀ ହିଁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିପାରିବ ବୋଲି କହିଥିଲେ ଅତିଥି । ଗୀତାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ୩୯ ବର୍ଷ ହେବ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ୫ ଦିନ ଧରି ଚାଲୁଥିବା ଏହି ଗୀତ ଜ୍ଞାନଯଜ୍ଞରେ ବେଦ ପାଠ, ଅଙ୍କୁରାରୋପଣ, କଳସଯାତ୍ରା, ଗୀତା ପରାୟଣ, ପ୍ରବଚନ, ଗୀତ ବଣ୍ଟନ ଓ ଏହାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ଗୀତା ପୁସ୍ତକ ବଣ୍ଟନ କରାଯାଇଛି । ଏହା ସହ ଶତାଧିକ ଭକ୍ତ ଯୋଗଦେଇ ଗୀତା ଜ୍ଞାନ ଆହରଣ କରିଥିଲେ ।

