Friday, October 2, 2026
25.2 C
Odisha

    ଜାଣନ୍ତୁ ଅମାବାସ୍ୟାର ମହତ୍ତ୍ବ

    ଆଗକୁ ପଢନ୍ତୁ

    ବହୁ ଦୃଷ୍ଟିରୁ ଅମାବାସ୍ୟା ତିଥିଟି ଆମ ପାଇଁ ମହତ୍ତ୍ବ୍ବପୂର୍ଣ୍ଣ। ବିଶେଷକରି ପିତୃପୁରୁଷଙ୍କୁ ଶ୍ରାଦ୍ଧଦାନ ଓ ସେମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବା ନିମନ୍ତେ ଏହାର ମହତ୍ତ୍ବ ଆମ ପରମ୍ପରା ଓ ସଂସ୍କୃତିରେ ସ୍ବୀକୃତ ହୋଇଆସିଛି। ଅମାବାସ୍ୟା ମଧ୍ୟ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଏକ ଗୁରୁତ୍ବପୂର୍ଣ୍ଣ ତିଥି। ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପରେ ହେଉଥିବା ଅଣସରର ଶେଷ ହୁଏ ଅମାବାସ୍ୟା ପରେ, ପୂର୍ଣ୍ଣିମାର ପ୍ରତ୍ୟୁଷରେ ଏବଂ ତାହା ପରେ ଅନୁଷ୍ଠିତ ହୁଏ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ। ତାହା ପରେ ଆରମ୍ଭ ହୁଏ ବିଶ୍ବପ୍ରସିିଦ୍ଧ ରଥଯାତ୍ରା। ଶ୍ରୀଗୁଣ୍ଡିଚାଯାତ୍ରା, ବାହୁଡ଼ାଯାତ୍ରା ଓ ନୀଳାଦ୍ରିବିଜେରେ ଏହା ଶେଷ ହୁଏ। କିନ୍ତୁ ପ୍ରକୃତରେ ଆଷାଢ଼ ଅମାବାସ୍ୟାରେ ହିଁ ଏ ସମସ୍ତ ପ୍ରକ୍ରିୟା ଶେଷ ହୋଇଥାଏ। ଆଷାଢ଼ ଅମାବାସ୍ୟାର ଅନ୍ୟ ନାମ ‘ଚିତାଲାଗି’ ଅମାବାସ୍ୟା। କାରଣ, ସ୍ନାନପୂର୍ଣ୍ଣିମାର ସମସ୍ତ ନୀତି ଶେଷ ହୋଇ ଠାକୁରମାନେ ଅଣସର ଘରକୁ ଯିବା ପରେ, ସେମାନଙ୍କର ମସ୍ତକରୁ ଯେଉଁ ରତ୍ନଜଡ଼ିତ ସୁବର୍ଣ୍ଣ ଚିତା ଉଲାଗି କରିଦିଆଯାଇଥାଏ, ଏହି ଅମାବାସ୍ୟା ଦିନ ହିଁ ତାହାକୁ ପୁନଶ୍ଚ ତାଙ୍କର ମସ୍ତକରେ ଲାଗି କରାଯାଏ। ଆଉ ଏକ ସ୍ନାନଯାତ୍ରା ପର୍ଯ୍ୟନ୍ତ ସେହି ଚିତା ରତ୍ନବେଦିରେ ବିରାଜିତ ଠାକୁରମାନଙ୍କର ମସ୍ତକରେ ସ୍ଥାନ ପାଇଥାଏ।

    ଏହା ବ୍ୟତୀତ ଶ୍ରୀଜଗନ୍ନାଥଙ୍କ ରୀତିନୀତିରେ ଆହୁରି ଅନେକ ଅମାବାସ୍ୟାର ଗୁରୁତ୍ବ ରହିଛି। ମାର୍ଗଶିର ଅମାବାସ୍ୟା ତାହାର ଅନ୍ତର୍ଭୁକ୍ତ। କାରଣ, ଏହି ମାସରେ ଶ୍ରୀମନ୍ଦିରରେ ତିିନିଦିନ ଧରି ଦେବ ଦୀପାବଳି ପାଳିତ ହୋଇଥାଏ। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀଠାରୁ ମାର୍ଗଶିର ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଏହା ପାଳିତ ହୁଏ। ଏହି ତିନିଦିନ ଶ୍ରୀଜଗନ୍ନାଥ ତାଙ୍କର ସତ୍ୟଯୁଗର ବାମନ ଅବତାରର ପିତାମାତା କଶ୍ୟପ ଓ ଅଦିତିଙ୍କୁ, ତ୍ରେତାଯୁଗର ପିତାମାତା ଦଶରଥ ଓ କୌଶଲ୍ୟାଙ୍କୁ, ଦ୍ବାପରଯୁଗର ପିତାମାତା ଦେବକୀ ଓ ବସୁଦେବ ଏବଂ ନନ୍ଦ ଓ ଯଶୋଦାଙ୍କୁ ଏବଂ କଳିଯୁଗର ଦାରୁବ୍ରହ୍ମ ରୂପର ନିୟାମକ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ଦୀପଦାନ କରିଥାନ୍ତି। ଏହା ବ୍ୟତୀତ ଅମାବାସ୍ୟାର ଆଉ ଏକ ଗୁରୁତ୍ବ ଶ୍ରୀମନ୍ଦିରର ରୀତିନୀତିରେ ରହିଛି। ଏଥି ମଧ୍ୟରୁ ଗୋଟିଏ ମାସିକ ନୀତି ହେଉଛି ସାଗର ବିଜେ। ଏହାର ଅନ୍ୟନାମ ‘ଅମାବାସ୍ୟା ନୀତି’। ଏଥିରେ ଶ୍ରୀଜଗନ୍ନାଥଙ୍କ ବିଜେପ୍ରତିମା ଶ୍ରୀନାରାୟଣ ପାଲିଙ୍କିରେ ସାଗରବିଜେ କରିଥାଆନ୍ତି। ସେ ‘ଅମାବାସ୍ୟା ନାରାୟଣ’ ଭାବରେ ଖ୍ୟାତ। ସାଗରତଟରେ ସମୁଦ୍ରର ଜଳ ନିର୍ଦ୍ଦିଷ୍ଟ ବିଧିରେ ତାଙ୍କୁ ଲାଗି କରାଯାଏ। ମାସକୁ ଅନ୍ତତଃ ଥରେ ଶ୍ରୀଜଗନ୍ନାଥଙ୍କର ଏହି ଶ୍ବଶୁରାଳୟ ଯାତ୍ରା ଆମକୁ ଏକ ସାମାଜିକ ଓ ପାରିବାରିକ ସହାବସ୍ଥାନର ବାର୍ତ୍ତା ଦିଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ