ପୁରୁଣା ଦିଲ୍ଲୀର ଐତିହ୍ୟକୁ ସୁରକ୍ଷା ଦେବା ସହ ଆଧୁନିକ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ଦିଲ୍ଲୀ ସରକାର । ଚାନ୍ଦନୀ ଚୌକ ପରେ ଏବେ ଜାମା ମସଜିଦ ଓ ଆଖପାଖ ଐତିହ୍ୟ ଅଞ୍ଚଳର ସମନ୍ୱିତ ପୁନଃବିକାଶ ପାଇଁ ବୃହତ୍ ଯୋଜନା ପ୍ରସ୍ତୁତ ହୋଇଛି । ପଦଯାତ୍ରୀଙ୍କ ପାଇଁ ସୁବିଧା, ସୌନ୍ଦର୍ଯ୍ୟକରଣ, ଟ୍ରାଫିକ୍ ପରିଚାଳନା ଏବଂ ଭିତ୍ତିଭୂମିର ଆଧୁନିକୀକରଣ ଉପରେ ଫୋକସ୍ ରହିଛି । ଚାନ୍ଦନୀ ଚୌକରେ ସଫଳ ପଦଯାତ୍ରୀ କରିଡର ପ୍ରକଳ୍ପ ପରେ ଏବେ ତାହାର ଦ୍ୱିତୀୟ ପର୍ଯ୍ୟାୟକୁ ବିସ୍ତାର କରାଯିବ । ୨୦୨୧ରେ ଆରମ୍ଭ ହୋଇଥିବା ଏହି ମଡେଲକୁ ଆଧାର କରି ଲାଲ ଜୈନ ମନ୍ଦିରରୁ ଫତେହପୁରୀ ମସଜିଦ ପର୍ଯ୍ୟନ୍ତ ପ୍ରାୟ ୧.୩ କିଲୋମିଟର ରାସ୍ତାର ପୁନଃବିକାଶ କରାଯିବ । ସେହିପରି ନିକଟବର୍ତ୍ତୀ ଅନ୍ୟାନ୍ୟ ଐତିହାସିକ ଅଞ୍ଚଳରେ ମଧ୍ୟ ସମାନ ଭିତ୍ତିଭୂମି ସୁବିଧା ସୃଷ୍ଟି ପାଇଁ ଯୋଜନା ପ୍ରସ୍ତୁତ ହେଉଛି ।
ପ୍ରସ୍ତାବିତ ଯୋଜନାରେ ଜାମା ମସଜିଦ କମ୍ପ୍ଲେକ୍ସର ସୌନ୍ଦର୍ଯ୍ୟକରଣ, ଶାହି ଇମାମ ରୋଡର ଉନ୍ନତିକରଣ ଏବଂ ମୀନା ବଜାରର ଐତିହ୍ୟବାହୀ କୋଠାଗୁଡ଼ିକର ବାହ୍ୟ ଅଂଶର ନବୀକରଣ ସାମିଲ ରହିଛି । ଏହା ସହ ଜେନାନା ପାର୍କ, ଉର୍ଦ୍ଦୁ ପାର୍କ ଓ ଦଙ୍ଗଲ ପାର୍କ ଭଳି ସାର୍ବଜନୀନ ସ୍ଥାନଗୁଡ଼ିକର ପୁନରୁଦ୍ଧାର କରାଯିବ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଭୂତଳ ବିଦ୍ୟୁତ୍ ସହ ଅନ୍ୟାନ୍ୟ ଉପଯୋଗୀ ସେବାର ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ଇନ୍ଦ୍ରପ୍ରସ୍ଥ ଐତିହ୍ୟ ପୁନଃବିକାଶ ନିଗମର ସମ୍ପ୍ରତି ବୈଠକରେ ଏହି ସମସ୍ତ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଛି । ପର୍ଯ୍ୟାୟକ୍ରମେ ସମସ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ୪ଟି ପ୍ରମୁଖ ପ୍ରକଳ୍ପ ଉପରେ କାମ ଚାଲିଥିବା ବେଳେ ଏହାର ଲକ୍ଷ୍ୟ କେବଳ ଐତିହ୍ୟ ସଂରକ୍ଷଣ ନୁହେଁ, ବରଂ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ସୁବିଧା ସୃଷ୍ଟି କରିବା ।
ପୂର୍ବରୁ ପ୍ରସ୍ତୁତ ଦ୍ୱିତୀୟ ପର୍ଯ୍ୟାୟ ବ୍ଲୁପ୍ରିଣ୍ଟର ମଧ୍ୟ ସମୀକ୍ଷା ଚାଲିଛି । ଏହା ଅନୁସାରେ ଚାନ୍ଦନୀ ଚୌକ କରିଡରକୁ ଜାମା ମସଜିଦ ଓ ନିକଟସ୍ଥ ପ୍ରମୁଖ ବଜାର ସହ ସଂଯୋଗ କରାଯିବ । ରାସ୍ତାର ଐତିହ୍ୟବାହୀ ରୂପକୁ ବଜାୟ ରଖି ଭୂତଳ ବିଦ୍ୟୁତ୍ ବ୍ୟବସ୍ଥା, ଆଧୁନିକ ସହରୀୟ ସେବା ଏବଂ ଟ୍ରାଫିକ୍ ଓ ପଦଯାତ୍ରୀଙ୍କ ଗତିବିଧିକୁ ଅଧିକ ସୁଗମ କରିବାକୁ ପ୍ରାଥମିକତା ଦିଆଯିବ ।
