Saturday, October 10, 2026
29.2 C
Odisha

    ଜିଏମ୍‌ୟୁରେ C-DAC କେନ୍ଦ୍ର ପ୍ରତିଷ୍ଠା ସହ STPIର ସମ୍ପ୍ରସାରଣ ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଓଡ଼ିଶାର ଶିକ୍ଷା, ଆଇଟି ଏବଂ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବା ପାଇଁ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇଟି ପୃଥକ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସଡ କମ୍ପ୍ୟୁଟିଂ’ (C-DAC)ର ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିବା ସହ ସମ୍ବଲପୁର ସ୍ଥିତ ‘ସଫ୍ଟୱେର ଟେକ୍ନୋଲୋଜି ପାର୍କସ ଅଫ ଇଣ୍ଡିଆ’(STPI) କେନ୍ଦ୍ରର ସମ୍ପ୍ରସାରଣ କରିବା ପାଇଁ ଶ୍ରୀ ପ୍ରଧାନ ଆଗ୍ରହ ପ୍ରକାଶ କରିଛନ୍ତି।

    ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ‘ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସଡ କମ୍ପ୍ୟୁଟିଂ’ ହେଉଛି ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ଅଗ୍ରଣୀ ଗବେଷଣା ଓ ବିକାଶ ସଂସ୍ଥା। ଏହା ‘ପରମ’ ସୁପର କମ୍ପ୍ୟୁଟର ଶୃଙ୍ଖଳା, ଭାରତୀୟ ଭାଷା କମ୍ପ୍ୟୁଟିଂ, ସାଇବର ସୁରକ୍ଷା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ହାଇ-ପରଫରମାନ୍ସ କମ୍ପ୍ୟୁଟିଂ (ଏଚପିସି) କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି ଯେ ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୀତିର ପ୍ରମୁଖ କେନ୍ଦ୍ର। ଏଠାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଆଇଆଇଏମ ସମ୍ବଲପୁର, ଭିସୁଟ ବୁର୍ଲା, ଭିମସାର, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ ଓୟୁଏଟି ଚିପିଲିମା କ୍ୟାମ୍ପସ ପରି ଉଚ୍ଚତର ଅନୁଷ୍ଠାନ ଗୁଡ଼ିକ ଉତ୍କୃଷ୍ଟ ଶିକ୍ଷାଦାନ ଓ ଗବେଷଣାର ପରିବେଶ ସୃଷ୍ଟି କରୁଛନ୍ତି।

    ‘ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସଡ କମ୍ପ୍ୟୁଟିଂ’ର ହାଇ-ପରଫରମାନ୍ସ କମ୍ପ୍ୟୁଟିଂ ସୁବିଧା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଓ ଏମସିଏ ବିଭାଗ ସହିତ ଯୋଡ଼ିହେଲେ ଡାଟା ଆନାଲିଟିକ୍ସ, କ୍ଲାଉଡ୍ ଇନ୍‌ଫ୍ରାଷ୍ଟ୍ରକ୍ଚର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  କ୍ଷେତ୍ରରେ ଗବେଷଣା ବହୁଗୁଣିତ ହେବ। ଏହି କେନ୍ଦ୍ର ଏଆଇ, ସାଇବର ସୁରକ୍ଷା, ଭାରତୀୟ ଭାଷା ଟେକ୍ନୋଲୋଜି ଏବଂ ଡିଜିଟାଲ ସମସ୍ୟାର ସମାଧାନ କ୍ଷେତ୍ରରେ ଶିକ୍ଷାନୁଷ୍ଠାନ, ଷ୍ଟାର୍ଟଅପ୍, ଶିଳ୍ପସଂସ୍ଥା ଓ ସରକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବ। ଏହା ସହିତ ନୂତନ କୌଶଳସମ୍ପନ୍ନ ମାନବସମ୍ବଳ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

    ସେହିପରି ଶ୍ରୀ ପ୍ରଧାନ ଅନ୍ୟ ଏକ ପୃଥକ ପତ୍ରରେ ସମ୍ବଲପୁର ସ୍ଥିତ ‘ସଫ୍ଟୱେର ଟେକ୍ନୋଲୋଜି ପାର୍କସ ଅଫ ଇଣ୍ଡିଆ’ କେନ୍ଦ୍ରକୁ ଏକ ଭବିଷ୍ୟତମୁଖୀ ଆଇଟି, ଇଏସଡିଏମ (ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଆଣ୍ଡ୍ ମ୍ୟାନୁଫାକ୍ଚରିଂ) ଏବଂ ଇନୋଭେସନ ହବ୍‌ରେ ପରିଣତ କରିବାକୁ ସେ ଅନୁରୋଧ କରିଛନ୍ତି। ସେ ପତ୍ରରେ ଦର୍ଶାଇଛନ୍ତି, ସମ୍ବଲପୁର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଇଟି, ଇଏସଡିଏମ, ସେମିକଣ୍ଡକ୍ଟର ଡିଜାଇନ ଏବଂ ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି। ପ୍ରଚଳିତ ଏସଟିପିଆଇ କେନ୍ଦ୍ର ଅଞ୍ଚଳର ଡିଜିଟାଲ ଅର୍ଥନୀତିକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବି ଆଇଟି, ଷ୍ଟାର୍ଟଅପ୍, ଏଆଇ, ସେମିକଣ୍ଡକ୍ଟର ଡିଜାଇନ ଏବଂ ଡିଜିଟାଲ ସେବା କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗକୁ ଦୃଷ୍ଟିରେ ରଖି ଏହାର କଳେବର ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ।  ସେମିକଣ୍ଡକ୍ଟର ଡିଜାଇନ, ଏଆଇ, ଆଇଟି ଏବଂ ଜିସିସି କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗକୁ ଦୃଷ୍ଟିରେ ରଖି ଏସଟିପିଆଇର ସମ୍ପ୍ରସାରଣ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କ ପାଇଁ ଉଚ୍ଚମାନର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏସଟିପିଆଇ କେନ୍ଦ୍ରର ସମ୍ପ୍ରସାରଣ ଦ୍ୱାରା ଟେକ୍ନୋଲୋଜି ସଂସ୍ଥା, ଷ୍ଟାର୍ଟଅପ୍, ଇନକ୍ୟୁବେସନ, ଦକ୍ଷତା ବିକାଶ ଏବଂ ଇନୋଭେସନକୁ ପ୍ରୋତ୍ସାହନ ମିଳିବ।

    ସମ୍ବଲପୁରରେ ସି-ଡିଏସି କେନ୍ଦ୍ର ସ୍ଥାପନ ଏବଂ ଏସଟିପିଆଇର ଆଧୁନିକୀକରଣ ଫଳରେ ସମଗ୍ର ଓଡ଼ିଶାର ଡିଜିଟାଲ୍ ଓ ଟେକ୍ନୋଲୋଜି ଇକୋସିଷ୍ଟମ ମଜବୁତ ହେବା ସହ ଭାରତକୁ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବ୍ ଭାବେ ଗଢ଼ିତୋଳିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ