ନେପାଳ : ନେପାଳ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ୭୩୪ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା । ଏହା ଆହରୁ ବଢିବା ଆଶଙ୍କା ରହିଛି । ନେପାଳରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ରେ ପହଞ୍ଚିଥିବା ବେଳେ ପ୍ରାୟ ୩୦୦୦ ଲୋକ ଏବେ ବି ନିଖୋଜ ରହିଛନ୍ତି । ଏହା ସହିତ ଭୋଟେକୋଶୀ ନଦୀର ଜଳସ୍ତର ପୁଣି ବୃଦ୍ଧି ପାଇବାରୁ ଉଦ୍ଧାରକାରୀ ଦଳ ଓ ତଳିଆ ଅଞ୍ଚଳବାସୀଙ୍କ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି ।
ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ବନ୍ୟା ଯୋଗୁଁ ୭୩୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପାଖାପାଖି ୩୦୦୦ ଜଣ ଲୋକ ନିଖୋଜ ରହିଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ରସୁୱା, ନୁୱାକୋଟ୍ ଏବଂ ଧାଦିଙ୍ଗ ଭଳି ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି । ଉପର ତ୍ରିଶୂଳୀ-୧ ଏବଂ ରସୁୱାଗଢ଼ି ଜଳବିଦ୍ୟୁତ ପ୍ରକଳ୍ପର ବିଭିନ୍ନ ସୁଡ଼ଙ୍ଗ ମଧ୍ୟରେ ଶହ ଶହ ଶ୍ରମିକ ଆଶ୍ରୟ ନେଇ ଫସି ରହିଛନ୍ତି । ସେମାନଙ୍କ ପାଖରେ ଖାଦ୍ୟ ଓ ପାଣି ପହଞ୍ଚାଇବା ତଥା ସେମାନଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ହେଲିକପ୍ଟର ଓ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି ।
ଅଧିକାଂଶ ଅଞ୍ଚଳକୁ ସୁରକ୍ଷାବାହିନୀ ପହଞ୍ଚି ପାରି ନ ଥିବାରୁ ମୃତ୍ୟୁସଂଖ୍ୟା ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି । ମୃତ୍ୟୁସଂଖ୍ୟା ବଢୁଥିବାବେଳେ ମୃତଦେହ ଚିହ୍ନଟ ନ ହେବା ସବୁଠୁ ବଡ଼ ସମସ୍ୟା ପାଲଟି ଯାଇଛି । ନିଜ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ମୃତଦେହ ରଖାଯାଇଥିବା ଘର ଆଗରେ ଲୋକେ ଭିଡ଼ ଜମାଇଛନ୍ତି । ଏହା ସତ୍ତ୍ବେ ବି ଅଧିକାଂଶ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଏହା ସରକାରଙ୍କ ମୁଣ୍ଡବିନ୍ଧା ସୃଷ୍ଟି କରିଛି । ମୃତଦେହ ରଖିବାକୁ ସ୍ଥାନାଭାବ ହୋଇଥିବାରୁ ସରକାର ଅସ୍ଥାୟୀ କେନ୍ଦ୍ର ନିର୍ମାଣ କରିଛନ୍ତି । ଏଭଳି ସ୍ଥିତିରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ମୃତକଙ୍କ ଡିଏନ ଏସଂରକ୍ଷିତ ରଖିବା ପାଇଁ ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ମୃତକଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ବୋଲି ସରକାର କହିଛନ୍ତି ।
ନେପାଳ ସେନା, ସଶସ୍ତ୍ର ପୋଲିସ ବଳ ଏବଂ ନେପାଳ ପୋଲିସର ୧୩,୦୦୦ରୁ ଅଧିକ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବିମାନ ଯୋଗେ ରିଲିଫ୍ ସାମଗ୍ରୀ ଓ ଉଦ୍ଧାରକାରୀ ଦଳ ପଠାଯାଇଛି । କୈଳାସ ମାନସରୋବର ଯାତ୍ରା କରୁଥିବା ଅନେକ ତୀର୍ଥଯାତ୍ରୀ ଏବଂ ଭାରତୀୟ ପର୍ଯ୍ୟଟକ ଏହି ଅଞ୍ଚଳରେ ଫସି ରହିଥିଲେ । ଅନେକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସ୍ୱଦେଶ ଫେରାଇ ଅଣାଯାଇଥିବା ବେଳେ ବହୁ ବିଦେଶୀ ନାଗରିକ ଏବେ ମଧ୍ୟ ନିଖୋଜ ରହିଛନ୍ତି ।
