ବର୍ତ୍ତମାନ ସମୟରେ ମେଦବହୁଳତା କମାଇବା ଓ ଟାଇପ୍-୨ ଡାଇବେଟିସ୍ ନିୟନ୍ତ୍ରଣ କରିବା ପାଇଁ ଓଜେମ୍ପିକ୍ ଓ ୱେଗୋଭି ଭଳି ଜିଏଲ୍‌ପି-୧ ଔଷଧର ବ୍ୟବହାର ଖୁବ୍ ବଢ଼ିଯାଇଛି। କିନ୍ତୁ ଏହି ଔଷଧ ସେବନ କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଆମେରିକାର ଫୁଡ୍ ଆଣ୍ଡ୍‌ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଏହି ଔଷଧଗୁଡ଼ିକ ଉପରେ ଏକ ନୂଆ ସୁରକ୍ଷା ଚେତାବନୀ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି। ଗବେଷଣାରୁ ଜଣାପଡ଼ିଛି ଯେ ଜିଏଲ୍‌ପି-୧ ଔଷଧ ସେବନ ଦ୍ୱାରା ଏକ ବିରଳ ଆଖି ରୋଗ ହେବାର ଆଶଙ୍କା ବଢ଼ିପାରେ, ଯାହାକୁ ଚିକିତ୍ସା ବିଜ୍ଞାନ ଭାଷାରେ ‘ଏନ୍‌ଏଆଇଓଏନ୍‌’ (ନନ୍-ଆର୍ଟେରିଟିକ୍ ଆଣ୍ଟେରିଅର୍ ଇସ୍କେମିକ୍ ଅପ୍ଟିକ୍ ନ୍ୟୁରୋପାଥି) କୁହାଯାଏ। ସାଧାରଣ ଭାଷାରେ ଏହାକୁ ‘ଆଇ ଷ୍ଟ୍ରୋକ୍’ ବୋଲି ମଧ୍ୟ କୁହାଯାଉଛି। ଏଥିରେ ଆକ୍ରାନ୍ତ ବ୍ୟକ୍ତି ସବୁଦିନ ପାଇଁ ନିଜର ଦୃଷ୍ଟିଶକ୍ତି ହରାଇପାରନ୍ତି। ଅନ୍ୟ ଡାଇବେଟିସ୍ ଔଷଧ ଖାଉଥିବା ଲୋକଙ୍କ ତୁଳନାରେ ଜିଏଲ୍‌ପି-୧ ଔଷଧ ନେଉଥିବା ବ୍ୟକ୍ତିଙ୍କଠାରେ ଏନ୍‌ଏଆଇଓଏନ୍‌ ରୋଗର ହାର ଅଧିକ ଦେଖିବାକୁ ମିଳିଛି। ବର୍ତ୍ତମାନ ବଜାରରେ ଉପଲବ୍ଧ ସମସ୍ତ ଜିଏଲ୍‌ପି-୧ ଔଷଧ କ୍ଷେତ୍ରରେ ଏଭଳି ମାମଲା ସାମ୍ନାକୁ ଆସିଛି।

ଆଖିର ଅପ୍ଟିକ୍ ନର୍ଭକୁ ରକ୍ତ ପ୍ରବାହ କମିଗଲେ ଏହି ସମସ୍ୟା ଦେଖାଦିଏ। ଦୁଃଖର ବିଷୟ ହେଉଛି, ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସ୍ଥାୟୀ ଚିକିତ୍ସା ଉପଲବ୍ଧ ନାହିଁ। ବିଶେଷଜ୍ଞଙ୍କ ମତରେ ଏହି ରୋଗ ହେବାର ଆଶଙ୍କା ଖୁବ୍ କମ୍। ସାଧାରଣତଃ ୫୦ ବର୍ଷରୁ ଅଧିକ ବୟସ୍କ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୨ରୁ ୧୦ ଜଣଙ୍କଠାରେ ଏହା ଦେଖାଯାଏ। ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ପ୍ରତି ୧ ଲକ୍ଷରେ ପ୍ରାୟ ଏହା ୩.୮ ପ୍ରତିଶତ ଥିବାବେଳେ, ଜିଏଲ୍‌ପି-୧ ଔଷଧ ନେଉଥିବା ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ଏହି ହାର ୬.୪କୁ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଏହି ଔଷଧ ନେବା ଦ୍ୱାରା ରକ୍ତରେ ଶର୍କରା ସ୍ତର ଖୁବ୍ ଶୀଘ୍ର ନିୟନ୍ତ୍ରଣକୁ ଆସିଥାଏ, ଯାହା ଫଳରେ ଅପ୍ଟିକ୍ ଡିସ୍କ୍‌ରେ ଫୁଲା ସୃଷ୍ଟି ହୋଇପାରେ। ଯଦି ଜିଏଲ୍‌ପି-୧ ଔଷଧ ନେବା ସମୟରେ କିଛି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ।