Sunday, April 12, 2026
27.5 C
Odisha

    ଜୀରା ନଈରେ ହେବ ଆନିକଟ: ଖର୍ଚ୍ଚ ହେବ ୨୨୮ କୋଟି

    ଆଗକୁ ପଢନ୍ତୁ

    ପ୍ରଦ୍ଵଷିତ ଜୀରା ନଦୀକୁ ସୁରକ୍ଷା ଦେବା ପାଇଁ ସରକାରୀସ୍ତରରେ ପ୍ରୟାସ ଆରମ୍ଭ ହୋଇଛି। ଜୀରାରେ ଆନିକଟ ନିର୍ମାଣ ପାଇଁ ଯୋଜନା ହୋଇଛି। ଏହାସହ ନାଳନର୍ଦ୍ଦମାର ପାଣି ଯେଭଳି ଜୀରାରେ ନ ମିଶିବ ସେଥିପାଇଁ ବରଗଡ଼ ସହରରେ ସ୍ୱେରେଜ୍‌ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଛି। ଛତିଶଗଡ଼ର ସଂରକ୍ଷିତ ଜଙ୍ଗଲ ମଲିଖମନରୁ ଜୀରାନଈ ବାହାରି ବରଗଡ଼ ଜିଲ୍ଲା ବ୍ରାହ୍ମଣତୁରୁମ ନିକଟରେ ମହାନଦୀରେ ମିଶିଛି। ବରଗଡ଼ ସହର ଦେଇ ଯାଇଥିବା ଜୀରା ନଦୀ ଧନୁଯାତ୍ରାରେ ‘ଯମୁନା’ ପାଲଟିଥାଏ। ଏଠାକାର କଳାସଂସ୍କୃତି ମଧ୍ୟ ଏହାସହ ଜଡ଼ିତ। ଏଣୁ ଏହି ନଦୀର ପାଣି କେମିତି ସ୍ୱଚ୍ଛ ରହିବ ସେ ଦିଗରେ ଉଦ୍ୟମ ଚାଲିଛି।

    ଜଳସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରଗଡ଼ ସହରର ବାଲିଟିକ୍ରାଠାରେ ଜୀରା ନଦୀରେ ଏକ ଆନିକଟ ନିର୍ମାଣ କରାଯିବ। ତାହାର ସୌନ୍ଦର୍ଯ୍ୟୀକରଣ ମଧ୍ୟ ହେବ। ଏଥିପାଇଁ ୨୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୧୪ କୋଟି ଟଙ୍କାର ଟେଣ୍ଡର ହୋଇସାରିଛି। ସେହିପରି ଦ୍ୱିତୀୟ ଆନିକଟ ପାଇଁ ଏକ ଡିପିଆର୍‌ ପ୍ରସ୍ତୁତ ହେଉଛି। ତାହାର ମଧ୍ୟ ଟେଣ୍ଡର ଖୁବ୍‌ଶୀଘ୍ର ବାହାରିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଜୀରାନଦୀ କଡ଼େକଡ଼େ ବରଗଡ ସହର ପାଇଁ ରିଂରୋଡ୍‌ ନିର୍ମାଣ ଚାଲିଛି। ରିଂରୋଡ୍‌ ସହ ଆନିକଟ ହେବା ପରେ ନଦୀ ତଟର ସୌନ୍ଦର୍ଯ୍ୟ ବଢ଼ିବ। ଏହାସହ ବାଲିଚୋରି ମଧ୍ୟ ରୋକାଯାଇପାରିବ। ସେହିପରି ନାଳନର୍ଦ୍ଦମା ପାଣି ନଈକୁ ନ ଛାଡ଼ି ସ୍ୱେରେଜ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ଜୀରାର ପୁନରୁଦ୍ଧାର ପାଇଁ ଏଭଳି ଯୋଜନାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଏ ସଂପର୍କରେ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମଦନମୋହନ ସେଠୀ କହିଛନ୍ତି, ଆନିକଟ ପାଇଁ ଟେଣ୍ଡର ହୋଇସାରିଛି। ଜୀରାକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ଫଳପ୍ରସୂ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ