ଆସାମ : ବଲିଉଡର ଜଣାଶୁଣା ଗାୟକ ଜୁବିନ ଗର୍ଗଙ୍କ ଶେଷକୃତ୍ୟ ଆଜି ହେବ । ସିଙ୍ଗାପୁରରେ ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଜୁବିନଙ୍କ ଶେଷକୃତ୍ୟ ହେବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି । ଆଜି ସକାଳୁ ଜୁବିନଙ୍କ ମୃତଦେହକୁ ବର୍ତ୍ତମାନ ଅର୍ଜୁନ ଭୋଗେଶ୍ବର ବରୁଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ରଖାଯାଇଥିଲା । ଜୁବିନଙ୍କ ଶେଷଦର୍ଶନ କରିବାକୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଲାଗିଥିଲା । ତେବେ ଜୁବିନଙ୍କ ପାର୍ଥିବ ଶରୀର ଗୌହ୍ବାଟୀରେ ପହଞ୍ଚିବା ପରେ ଏୟାରପୋର୍ଟରୁ ତାଙ୍କ ଘର ପର୍ଯ୍ୟନ୍ତ ଗହଳି ଲାଗିରହିଛି ।
ଜୁବିନଙ୍କ ସମ୍ମାନାର୍ଥେ ଆସାମ ସରକାର ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ରବିବାର ଜୁବିନଙ୍କ ମରଶରୀର ଗୁଆହାଟୀରେ ପହଞ୍ଚିବା ପରେ ଏହି ଲୋକପ୍ରିୟ ଗାୟକଙ୍କ ଶେଷ ଦର୍ଶନ ପାଇବାକୁ ସମଗ୍ର ସହର ଜନ ସମୁଦ୍ରରେ ପରିଣତ ହୋଇଥିଲା । ଜୁବିନଙ୍କ ଶବ ଶୋଭାଯାତ୍ରାରେ ସାମିଲ ଲୋକଙ୍କ ସଂଖ୍ୟା ଲିମ୍କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି । ଏହା ବିଶ୍ବରେ ଚତୁର୍ଥ ଜନବହୁଳ ବୋଲି କୁହାଯାଇଛି । ପପ୍ ଗାୟକ ମାଇକେଲ ଜ୍ୟାକସନ, ପୋପ୍ ଫ୍ରାନସିସ୍ ଓ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରେ ଲୋକେ ବହୁସଂଖ୍ୟାରେ ଜୁବିନଙ୍କ ଶୋଭାଯାତ୍ରାରେର ସାମିଲ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ‘ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଯୋଗଦେବାକୁ ଜୁବିନ ସିଙ୍ଗାପୁର ଯାଇଥିଲେ । ତେବେ ଚଳିତମାସ ୧୯ରେ ସ୍କୁବା ଡାଇଭିଂ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ପ୍ରସିଦ୍ଧ ବଲିଉଡ ଗାୟକ ଜୁବିନ ଗର୍ଗଙ୍କ ଅକାଳ ବିୟୋଗକୁ ନେଇ ଦେଶର ସଙ୍ଗୀତ ପ୍ରେମୀମାନେ ସ୍ତବ୍ଧ ହୋଇପଡ଼ିଛନ୍ତି। ଜୁବିନଙ୍କ କ୍ୟାରିୟର କଥା କୁହାଯାଏ ତେବେ ସେ ମେଘାଳୟରେ ଜନ୍ମ ହୋଇଥିଲେ । ସେ ୨୦୦୬ରେ ’’ଗ୍ୟାଙ୍ଗଷ୍ଟାର’’ ଫିଲ୍ମର ’’ୟା ଅଲି’’ ଗୀତ ଗାଇଥିଲେ । ଯାହା ପରେ ତାଙ୍କୁ ପ୍ରସିଦ୍ଧ କରିଥିଲା । ଏହାଛଡ଼ା ଆଗାମୀ ବର୍ଷଗୁଡିକରେ ତାଙ୍କର ଅନେକ ଗୀତ ହିଟ୍ ହୋଇଥିଲା । ଏତିକି ନୁହେଁ ବରଂ ସେ ଆସାମୀ, ବଙ୍ଗଳାରେ ମଧ୍ୟ ଗୀତ ଗାଇ ଖୁବ୍ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇପାରିଥିଲେ ।