ନୂଆଦିଲ୍ଲୀ : ଜୋହେରୀ ମୋଲା ବିଶ୍ବ ସୁନ୍ଦରୀ, ପିନ୍ଧିଲେ ‘ମିସ୍ ୱାର୍ଲ୍ଡ ୨୦୨୬’ ତାଜ୍ । ଜୋହେରୀ ମୋଲା ୭୩ତମ ମିସ୍ ୱାର୍ଲ୍ଡ । ଭିଏତନାମର ନ୍ହା ତ୍ରାଙ୍ଗଠାରେ ଅନୁଷ୍ଠିତ ହୋଇଛି ମିସ୍ ୱାର୍ଲଡ । ଡୋମିନିକାନ୍ ରିପବ୍ଲିକର ଜୋହେରୀ ମୋଲା ଏହି ବର୍ଷର ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି । ଏଥିରେ ସ୍ପେନର ଏଲିସାବେଥ୍ ରେନେସ୍ ପ୍ରଥମ ରନର୍ସ-ଅପ୍ ଏବଂ ମାଲେସିଆର ତାନୁସିୟା ଚେଟ୍ଟି ଦ୍ୱିତୀୟ ରନର୍ସ-ଅପ୍ ହୋଇଛନ୍ତି । ଭାରତର ପ୍ରତିନିଧିତ୍ୱ କରୁଥିବା ନିକିତା ପୋରୱାଲ୍ ଟପ୍ ୪୦ ସ୍ଥାନରେ ପହଞ୍ଚିଥିଲେ । ବିଶ୍ୱ ସୁନ୍ଦରୀ ମଞ୍ଚରେ ଉଡ଼ିଲା ଡୋମିନିକାନ ରିପବ୍ଲିକର ବିଜୟ ପତାକା ।
ଡୋମିନିକାନ ରିପବ୍ଲିକର ସୁନ୍ଦରୀ ଜୋହେରୀ ମୋଲା ଚଳିତ ବର୍ଷର ପ୍ରତିଷ୍ଠିତ ‘ମିସ୍ ୱାର୍ଲ୍ଡ ୨୦୨୬’ ମୁକୁଟ ନିଜ ନାମରେ କରିଛନ୍ତି । ଭିଏତନାମରେ ଆୟୋଜିତ ଏକ ଭବ୍ୟ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ତାଙ୍କୁ ଚଳିତ ସଂସ୍କରଣର ବିଜେତା ଘୋଷଣା କରାଯାଇଛି । ପୂର୍ବତନ ମିସ୍ ୱାର୍ଲ୍ଡ ତଥା ଥାଇଲ୍ୟାଣ୍ଡର ଓପଲ ସୁଚାତା ଚୁଆଙ୍ଗସରୀ ତାଙ୍କୁ ଏହି ଗୌରବମୟ ତାଜ୍ ପିନ୍ଧାଇ ସ୍ୱାଗତ କରିଥିଲେ । ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ମୋଟ୍ ୬ ଜଣ ପ୍ରତିଯୋଗୀ ପହଞ୍ଚିଥିଲେ, ଯେଉଁଥିରେ ଇରିଟ୍ରିଆ, ସ୍ପେନ, ମାଲେସିଆ, ଭିଏତନାମ, ଡୋମିନିକାନ ରିପବ୍ଲିକ ଏବଂ ଦକ୍ଷିଣ ଆଫ୍ରିକାର ସୁନ୍ଦରୀମାନେ ସାମିଲ ଥିଲେ ।
