Friday, April 3, 2026
36.1 C
Odisha

    ଜ୍ୟୋତିଙ୍କ ଭ୍ରମଣ ବ୍ୟବସ୍ଥା କରୁଥିଲା ଆରବ ସଂସ୍ଥା ‘ୱିଗୋ’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :   ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ପୁଲିସ ରିମାଣ୍ଡ ଅବଧି ୪ଦିନ ବୃଦ୍ଧି କରାଯାଇଛି। ହରିୟାଣାର ହିସାରସ୍ଥିତ ଅଦାଲତ ଜ୍ୟୋତିଙ୍କୁ ଅଧିକ ଜେରା ପାଇଁ ପୁଲିସକୁ ଆଉ ୪ ଦିନ ସୁଯୋଗ ଦେଇଛନ୍ତି। ଗୁରୁବାର ଜ୍ୟୋତିଙ୍କୁ କଡ଼ା ନିରାପତ୍ତା ମଧ୍ୟରେ ଅଦାଲତରେ ହାଜର କରାଯାଇଥିଲା ଓ ତାଙ୍କର ରୁଦ୍ଧଦ୍ବାର ଶୁଣାଣି ହୋଇଥିଲା। ହିସାର ପୁଲିସ ଅଧୀକ୍ଷକଙ୍କ ସୂଚନାନୁଯାୟୀ, ଜ୍ୟୋତିଙ୍କ ଲାପଟପ୍‌, ୩ ମୋବାଇଲ ଫୋନ୍‌ ଓ ଅନ୍ୟ ଇଲେକ୍‌ଟ୍ରୋନିକ ସରଞ୍ଜାମର ଫରେନ୍‌ସିକ ଯାଞ୍ଚ କରାଯାଉଛି। ତାଙ୍କର ଆର୍ଥିକ କାରବାରର ମଧ୍ୟ ତଦନ୍ତ ଚାଲିଛି। ଜ୍ୟୋତିଙ୍କୁ ସାହାଯ୍ୟ କରିଥିବା ଏଜେଣ୍ଟ ହରକିରଟ ସିଂହଙ୍କର ୨ଟି ଫୋନ୍‌ ମଧ୍ୟ ଯାଞ୍ଚ ପରିସରଭୁକ୍ତ ହୋଇଛି। ଅପରପକ୍ଷରେ ଜ୍ୟୋତିଙ୍କୁ ଭେଟିବା ପାଇଁ ତାଙ୍କ ବାପା ହରିଶ ମାଲହୋତ୍ରାଙ୍କ ଆବେଦନକୁ ପୁଲିସ ପୁନର୍ବାର ଖାରଜ କରିଦେଇଛି।

    ଏନ୍‌ଆଇଏ ସୂଚନାନୁଯାୟୀ, ଜ୍ୟୋତି କେବଳ ପାକିସ୍ତାନ ନୁହେଁ, ଚୀନ୍‌, ବାଂଲାଦେଶ ଭଳି ଏହାର ଏକାଧିକ ବନ୍ଧୁ ରାଷ୍ଟ୍ରକୁ ଭ୍ରମଣ କରିଛନ୍ତି। ଏଥିରେ ପାକିସ୍ତାନ ଉଚ୍ଚାୟୁକ୍ତ ତାଙ୍କୁ ସାହାଯ୍ୟ କରିଛି। ସଂଯୁକ୍ତ ଆରବ ଏମିରେଟ୍‌ର ଏକ ସଂସ୍ଥା ‘ୱିଗୋ’ ବା ‘ଉଇ ଗୋ’ (ଆମେ ଯାଉ) ଜ୍ୟୋତିଙ୍କ ଭ୍ରମଣର ଆୟୋଜନ କରିଥିବା ଜଣାପଡ଼ିଛି। ୱିଗୋ ପାକିସ୍ତାନରେ ମଧ୍ୟ ବେଶ୍‌ ସକ୍ରିୟ ଥିବା ଜଣାପଡ଼ିଛି। ମାତ୍ର ଦୁଇ ଦିନ ପୂର୍ବେ ଏହା ପାକିସ୍ତାନର ଅନ୍ୟତମ ବନ୍ଧୁ ରାଷ୍ଟ୍ର ଆଜରବୈଜାନ୍‌ର ପର୍ଯ୍ୟଟନ ବିଭାଗ ସହ ଅନୁବନ୍ଧିତ ହୋଇଛି। ପର୍ଯ୍ୟଟନର ବିକାଶ ପାଇଁ ଏହା  କାର୍ଯ୍ୟ କରିବ ଓ ମଧ୍ୟପ୍ରାଚ୍ୟ ତଥା ଉତ୍ତର ଆଫ୍ରିକୀୟ ରାଷ୍ଟ୍ରରୁ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରିବ ବୋଲି ଯୋଜନା ରଖିଛି। ଏହି କ୍ରମରେ ଜ୍ୟୋତିଙ୍କ ଆଜରବୈଜାନ ଗସ୍ତ କାର୍ଯ୍ୟକ୍ରମ କୁ ମଧ୍ୟ ୱିଗୋ ସଂଯୋଜିତ କରିଥିବା ପ୍ରକାଶ। ସୂଚନାନୁଯାୟୀ, ୨୦୦୫ରେ ପ୍ରତିଷ୍ଠିତ ୱିଗୋର ମୁଖ୍ୟାଳୟ ସିଙ୍ଗାପୁରଠାରେ ରହିଥିବା​‌ବେଳେ ଦୁବାଇ, ଜାକର୍ତ୍ତା ଓ ବେଙ୍ଗାଲୁରୁଠାରେ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ରହିଛି। ଏହା ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଥାଏ। ୨୦୦୮ରେ ଏହାର ପରିବର୍ଦ୍ଧନ କରାଯାଇଥିଲା। ପାକିସ୍ତାନ ସରକାର ଏହାକୁ ଟ୍ରାଭେଲ ଏଜେନ୍ସି ଲାଇସେନ୍ସ ପ୍ରଦାନ କରିଛନ୍ତି। ଏହା ଆନ୍ତର୍ଜାତିକ ବିମାନ ଚଳାଚଳ ସଂଘ ସହିତ ଅନୁବନ୍ଧିତ।

    ଅନ୍ୟ ଏକ ସୂଚନାନୁଯାୟୀ, ଜ୍ୟୋତି ପାକିସ୍ତାନରେ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ଖବର ଭିତ୍ତିହୀନ। ତା’ଛଡ଼ା ଭାରତର ଗୋପନୀୟ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ସୂଚନା ସମ୍ପର୍କରେ ସେ ଅବଗତ ଥିବା କିମ୍ବା କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳିନାହିଁ। ସେ କେବଳ କିଛି ଲୋକଙ୍କ ସହିତ ସମ୍ପର୍କ​‌ରେ ଥିଲେ ବୋଲି ହିସାର ପୁଲିସ କହିଛି। କୌଣସି ଆତଙ୍କବାଦୀ ସଂଗଠନ ସହିତ ତାଙ୍କର ସମ୍ପର୍କ ରହିଥିବାର ପ୍ରମାଣ ମଧ୍ୟ ମିଳିନଥିବା ପୁଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ