କେଉଁ ଲକ୍ଷଣରୁ ଚିହ୍ନଟ କରିବେ ଯେ ବିପି କମୁଛି

ପିଲାଙ୍କଠାରେ ବିପି କମିବାର କିଛି ବିଶେଷ ଲକ୍ଷଣ ଥାଏ, ଯାହାକୁ ଚିହ୍ନଟ କରିବା ବାପା-ମା’ଙ୍କ ପାଇଁ ଜରୁରୀ। ଯଦି ପିଲା ଅଳସୁଆ ହୋଇପଡ଼େ, ବାରମ୍ବାର ଶୋଇପଡ଼େ କିମ୍ବା ଠିକ୍ ଭାବରେ ଉତ୍ତର ଦେଇପାରେ ନାହିଁ, ତେବେ ଏହା ବିପି କମିବାର ସଙ୍କେତ ହୋଇପାରେ। ଏହା ବ୍ୟତୀତ ପିଲାର ହାତ-ପାଦ ଥଣ୍ଡା ପଡ଼ିଯିବା, ଚର୍ମର ରଙ୍ଗ ଫିକା ହଳଦିଆ ପଡ଼ିଯିବା, ନିଶ୍ୱାସ ପ୍ରଶ୍ୱାସ ଦ୍ରୁତ କିମ୍ବା ଅନିୟମିତ ହେବା ଏବଂ ମୁଣ୍ଡ ବୁଲାଇବା ଭଳି ଅଭିଯୋଗ ମଧ୍ୟ ଏହାର ଲକ୍ଷଣ ମଧ୍ୟରେ ସାମିଲ ଅଛି।

କେତେକ କ୍ଷେତ୍ରରେ ପିଲାକୁ ଝାଡ଼ା କିମ୍ବା ବାନ୍ତି ମଧ୍ୟ ହୋଇପାରେ, ଯାହା ଦ୍ୱାରା ଶରୀରରେ ପାଣିର ଅଭାବ ଆହୁରି ବଢ଼ିଯାଏ ଏବଂ ପରିସ୍ରା ମଧ୍ୟ କମ୍ ହୁଏ। ଯଦି ପିଲା ଅତ୍ୟନ୍ତ ଦୁର୍ବଳତା ଅନୁଭବ କରୁଥାଏ କିମ୍ବା କାନ୍ଦୁ କାନ୍ଦୁ ହଠାତ୍ ଶାନ୍ତ ହୋଇ ଅଳସୁଆ ପଡ଼ିଯାଏ, ତେବେ ଏହାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ, କାରଣ ଏହା ଗମ୍ଭୀର ପରିସ୍ଥିତିର ସଙ୍କେତ ହୋଇପାରେ।

ଜରୁରୀ ପଦକ୍ଷେପ

ଯଦି ଜ୍ୱର ସହିତ ପିଲାର ବିପି କମିବାକୁ ଲାଗେ, ତେବେ ସବୁଠାରୁ ପ୍ରଥମେ ବ୍ୟସ୍ତ ନହୋଇ ଶାନ୍ତ ରହି ସଠିକ୍ ପଦକ୍ଷେପ ନେବା ଜରୁରୀ। ପିଲାକୁ ଶୁଆଇ ଦିଅନ୍ତୁ ଏବଂ ତା’ର ଗୋଡ଼କୁ ଟିକିଏ ଉପରକୁ ଟେକି ରଖନ୍ତୁ, ଏହା ଦ୍ୱାରା ମସ୍ତିଷ୍କକୁ ରକ୍ତସଞ୍ଚାଳନ ଭଲ ହୋଇଥାଏ। ଏହା ସହିତ ପିଲାକୁ ଟିକିଏ ଟିକିଏ ସମୟ ବ୍ୟବଧାନରେ ଓଆର୍‌ଏସ୍‌, ପାଣି, ନଡ଼ିଆ ପାଣି କିମ୍ବା ଲୁଣ-ଚିନି ଘୋଳ ପିଆଉଥାନ୍ତୁ, ଯାହା ଦ୍ୱାରା ଶରୀରରେ ପାଣିର ଅଭାବ ପୂରଣ ହୋଇପାରିବ।

ଜ୍ୱର କମ୍ କରିବା ପାଇଁ ପିଲାର କପାଳ ଓ ଶରୀରରେ ହାଲୁକା ଉଷୁମ କିମ୍ବା ସାଧାରଣ ପାଣିରେ ଭିଜା କପଡ଼ା ରଖନ୍ତୁ, କିନ୍ତୁ ଅତ୍ୟଧିକ ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ। ପିଲାକୁ ଚିପା ପୋଷାକରୁ ମୁକ୍ତ ରଖନ୍ତୁ ଓ ତାକୁ ଖୋଲା ଓ ପବନ ଚଳାଚଳ ହେଉଥିବା ସ୍ଥାନରେ ରଖନ୍ତୁ। ଏହି ସବୁ ସହିତ ସବୁଠାରୁ ଜରୁରୀ କଥା ହେଉଛି ଯଦି ପିଲା ଅଳସୁଆ ପଡ଼ିଯାଉଥାଏ, ଅଚେତ ହେବା ଭଳି ଅବସ୍ଥାକୁ ଯାଉଥାଏ, ହାତ-ପାଦ ଥଣ୍ଡା ପଡ଼ିଯାଉଥାଏ କିମ୍ବା ନିଶ୍ୱାସ ଦ୍ରୁତ ହେଉଥାଏ, ତେବେ ଆଦୌ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ।