ପଶ୍ଚିମବଙ୍ଗ : ଝାଡ଼ଗ୍ରାମରେ ଝାଲମୁଢି ଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗରେ ମାରାଥନ ନିର୍ବାଚନ ପ୍ରଚାର ବେଳେ ଜଙ୍ଗଲମହଲର ଏକ ରାସ୍ତାକଡ଼ ଦୋକାନରୁ ଝାଲମୁଢି କିଣି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଝାଡଗ୍ରାମରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ହେଲିପ୍ୟାଡକୁ ଫେରିବା ବେଳେ, ହଠାତ ଏକ ଦୋକାନରେ ଅଟକିଥିଲା ମୋଦିଙ୍କ କାରକେଡ୍ । ଗାଡ଼ି ଓହ୍ଲାଇ ପ୍ରଧାନମନ୍ତ୍ରୀ ମୋଦି ଦୋକାନକୁ ଯାଇ ଝାଲମୁଢିର କିଣିଥିଲେ ।
ଦୋକାନୀଙ୍କ ସହ ବାର୍ତ୍ତାଳାପର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେହିପରି ଖୋଦ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଦୃଶ୍ୟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭିଡିଓରେ ମୋଦି ଝାଲମୁଢିର ସ୍ବାଦ ନେବା ସହ ପାଖରେ ଥିବା ପିଲାଙ୍କୁ ବି ଝାଲମୁଢି ବାଣ୍ଟିଥିଲେ । ରାସ୍ତାକଡ଼ରେ ମୋଦିଙ୍କୁ ଦେଖି ସେଠାରେ ଅଚନାକ କର୍ମୀ ଓ ସାଧାରଣ ଲୋକଙ୍କ ପ୍ରବଳ ଭିଡ ଲାଗିଥିଲା ।
ତେବେ ପିଏମ ମୋଦୀ ରାଜନୈତିକ ପ୍ରଚାର ସମୟରେ ରାସ୍ତା କଡ଼ର ଖାଦ୍ୟ ଖାଇବା ଘଟଣା ପ୍ରଥମ ନୁହେଁ। ପୂର୍ବରୁ ନିର୍ବାଚନୀ ପ୍ରଚାର ସମୟରେ ସେ ରାସ୍ତାକଡ଼ରେ ଚା ପିଇ ଚର୍ଚ୍ଚାକୁ ଆସିଥିଲେ । ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଏବଂ ୨୯ରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଠାରେ ବିଜେପି ଓ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେଉଛି ।
