କଟକ : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ବିଜାପାଲି ଗାଁରେ ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯିବା ମାମଲାର ଚୂଡାନ୍ତ ରାୟ ପ୍ରକାଶ । ମାନ୍ୟବର ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀ ସୁବାସ ଚନ୍ଦ୍ର ଧଳ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା ଓ ଜରିମାନା ପୈଠ ନକଲେ ୬ମାସ ଲେଖାଏଁ କୋଠର ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆଦେଶ ପ୍ରଦାନ କରିଛନ୍ତି ।
ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି, ସନ୍ତୋଷିନୀ ଜୟପୁରିଆ, ସୌଦାମିନୀ ଜୟପୁରିଆ, ସହଦେଵ ଜୟପୁରିଆ, ନବୀନ ଭୋଇ ଓ ଅକ୍ଷୟ ଜୟପୁରିଆ । ମାମଲାର ବିବରଣୀରୁ ପ୍ରକାଶ ଯେ, ୦୨.୦୩.୨୦୧୭ ରେ ଗୁଣି ଗାରେଡି ସନ୍ଦେହରେ ରେଙ୍ଗାଲି ଥାନା ବିଜାପାଲି ଗାଁରେ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା। ହତ୍ୟାକାଣ୍ଡର ଶିକାର ହୋଇଥିଲେ ସଂଯୁକ୍ତା ଜୟପୁରିଆ । ତାଙ୍କ ଭଉଣୀ ମମତା ଜୟପୁରିଆ ରେଙ୍ଗାଲି ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ହତ୍ୟାକାଣ୍ଡ ଦିନ ବିଜପାଲି ଗାଁର ଦୋଳମଣି ଜୟପୁରିଆଙ୍କ ଘରେ ଶିବ ଗୁରୁ ପୂଜା ଅନୁଷ୍ଠିତ ହୋଇଥିଲା । ଦୋଳମଣିଙ୍କ ଝିଅ ସନ୍ତୋଷିନୀ ଜୟପୁରିଆ ଓ ସୌଦାମିନୀ ଜୟପୁରିଆ ନିଜ ଘରେ ଶିବ ଗୁରୁ ପୂଜାର ଆୟୋଜନ କରିଥିଲେ । ହତ୍ୟାର ଶିକାର ହୋଇଥିବା ସଂଯୁକ୍ତା ନିଜ ବାପା, ମା’ ଓ ଅଭିଯୋଗ କରିଥିବା ଭଉଣୀ ମମତାଙ୍କ ସହ ମିଶି ଦୋଳମଣିଙ୍କ ଘରକୁ ପୂଜାରେ ଯୋଗ ଦେବାକୁ ଯାଇଥିଲେ । ପୂଜା ସମୟରେ ଶିବ ଗୁରୁଙ୍କ ଆତ୍ମା ସନ୍ତୋଷିନୀ ଓ ସୌଦାମିନୀଙ୍କ ଶରୀରରେ ପ୍ରବେଶ କରିଛି ଏବଂ ସଂଯୁକ୍ତା ଦୁଷ୍ଟ ଆତ୍ମା (କଳା ଯାଦୁ) ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ସେଥି ନିମନ୍ତେ ତାଙ୍କ ମୁଣ୍ଡ କେଶ କାଟିବା ପରେ ତାକୁ ଆତ୍ମା ଛାଡି ଚାଲିଯିବ ବୋଲି କହିଥିଲେ ।
ସେହି ଅନୁଯାୟୀ, ରାତି ପ୍ରାୟ ୮ଟାରେ ପୂଜାର୍ଚ୍ଚନା କରି ସଂଯୁକ୍ତାଙ୍କୁ ସମ୍ପୂର୍ଣ୍ଣ ଲଣ୍ଡା କରି ଦେଇଥିଲେ । ଏହା ବ୍ୟତୀତ ଉଭୟ ସନ୍ତୋଷିନୀ ଓ ସୌଦାମିନୀ ତାଙ୍କ ଭଉଣୀଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ଦେହ ଉପରେ ଚଢି ନାଚିଥିଲେ । ଏହା ସହ ଦୁଷ୍ଟ ଆତ୍ମାକୁ ଶରୀରରୁ ଦୂର କରିବା ପାଇଁ ଧୂପକାଠି ଦ୍ୱାରା ତାଙ୍କ ଶରୀରରେ ଚେଙ୍କ ମଧ୍ୟ ଦେଇଥିଲେ । ଏତିକିରେ ସେମାନଙ୍କ ନିର୍ଯାତନା ଥମି ନ ଥିଲା । ସଂଯୁକ୍ତାଙ୍କୁ ବଳଦ ଓ ତ୍ରିଶୂଳର ପଥର ମୂର୍ତ୍ତି ମାଧ୍ୟମରେ ମୁଣ୍ଡକୁ ଲଗାତାର ଆକ୍ରମଣ କରିଥିଲେ । ଅଭିଯୁକ୍ତଙ୍କ ବାରମ୍ବାର ଆକ୍ରମଣ ଫଳରେ କିଛି ସମୟ ପରେ ସଂଯୁକ୍ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏ ସଂକ୍ରାନ୍ତରେ ମମତା ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ । ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ପରବର୍ତ୍ତୀ ସମୟରେ ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ଉଦ୍ଦେଶ୍ୟ ନେଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯାଇଥିଲା । ଇନ୍ସପେକ୍ଟର ସବିତା ସାହୁ ତଦନ୍ତ ଦାୟିତ୍ୱ ନେଇ ମାମଲାର ବିଭିନ୍ନ ଦିଗ, ସାକ୍ଷୀ, ଅଭିଯୁକ୍ତଙ୍କ ବୟାନକୁ ଭିତ୍ତି କରି ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୮.୦୬.୨୦୧୭ରେ ଚାର୍ଜସିଟ୍ ଦାଖଲ କରିଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରିଥିଲେ ।