Sunday, September 27, 2026
29 C
Odisha

    ଝିଅ ବାହାଘର ପାଇଁ ସୁନା ରୂପା କିଣି ରଖିଥିଲେ, ସବୁ ଲୁଟି ନେଲେ ଦୁବୃର୍ତ୍ତ

    ଆଗକୁ ପଢନ୍ତୁ

    ଜଗତପୁର : ଆଉ ମାତ୍ର ଦିନ କେଇଟା ପରେ ହୋଇଥାନ୍ତା ଝିଅ ବାହାଘର। ଏଥିପାଇଁ ସମସ୍ତ ସୁନା,ରୂପା ଅଳଙ୍କାର କିଣା ସରିଥିଲା। ହେଲେ, ଦୁବୃର୍ତ୍ତ ମାନେ ଝିଅ ବାହାଘର ପୂର୍ବରୁ ଘରେ କଳାକନା ବୁଲାଇ ପରିବାରକୁ ସର୍ବସ୍ବାନ୍ତ କରି ଦେଇଛନ୍ତି। ଏବେ ମୁଣ୍ଡରେ ହାତ ଦେଇ କାନ୍ଦୁଛନ୍ତି ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତପୁର ଥାନା ଅନ୍ତର୍ଗତ ବୈକୁଣ୍ଠ ବିହାର ଅଞ୍ଚଳରେ ।

    ବୈକୁଣ୍ଠ ବିହାର ଅଞ୍ଚଳର ବ୍ରଜ ମୋହନ ଶର୍ମା ତାଙ୍କ ଝିଅ ବାହାଘର ପାଇଁ ସମସ୍ତ ସୁନା,ରୂପା ଅଳଙ୍କାର କିଣିଥିଲେ। ଗତକାଲି ରାତିରେ ଲଗାଣ ବର୍ଷାର ସୁଯୋଗ ଦେଖି ଝରକା ତାଡି ପାଖାପାଖି ୨୫ଲକ୍ଷ ଟଙ୍କାର ଅଳଙ୍କାର ସହ ନଗଦ ୮୫ହଜାର ଟଙ୍କା ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଚୋରି ପରେ ପରିବାର ଲୋକେ ଏକପ୍ରକାର ଭାଙ୍ଗି ପଡିଛନ୍ତି। ଏନେଇ ବ୍ରଜ ମୋହନ ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି ।

    ଅଭିଯୋଗ ଆଧାରରେ ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକଙ୍କ ତତ୍ବାବଧାନରେ ଡଗ୍ ସ୍କ୍ୱାର୍ଡ ଦ୍ଵାରା ତଦନ୍ତକୁ ବ୍ୟାପକ କରାଯାଇଛି। ଚୋରି ସାମଗ୍ରୀ ଗୁଡ଼ିକ ମଧ୍ୟରେ ରହିଛି ଦୁଇଟି ସୁନା ହାର,ଦୁଇଟି ସୁନା ଚେନ୍,ଦୁଇଟି ମଙ୍ଗଳସୂତ୍ର, ଆଠଟି ସୁନା ମୁଦି, ୩ହଳ କାନଫୁଲ, ୫ଭରି ରୂପା ଅଳଙ୍କାର। ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ଚୋରି ଘଟଣାର ଛାନଭିନ୍ ଆରମ୍ଭ କରିଛି ।

    ତେବେ ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଜଗତପୁର ଅଞ୍ଚଳରେ ସକ୍ରିୟ ହୋଇଛନ୍ତି ଅପରାଧି। କମିଶନରେଟ ପୋଲିସ ପକ୍ଷରୁ ପ୍ରମୁଖ ଛକ,ବଜାର ମାନଙ୍କରେ ଲାଗିଥିବା ହାଇ ଡେଫିନେସନ୍ ସିସି କ୍ୟାମେରା ସବୁ ଅଚଳ ଅବସ୍ଥାରେ ରହିଛି । ଏହାର ସୁଯୋଗ ନେଇ ପୋଲିସକୁ ଟାର୍ଗେଟ କରୁଛନ୍ତି ଦୁବୃର୍ତ୍ତ । ଏହି ଚୋରି ଘଟଣାର ପୋଲିସ ପର୍ଦ୍ଦାଫାସ୍ କରିବାରେ ସକ୍ଷମ ହେଉଛି ନା ପୁରୁଣା ଜଗତପୁର ଗ୍ରାମ,ଲକ୍ଷ୍ମୀ ବିହାର ଚୋରି ଭଳି ଚାପି ହୋଇଯିବ ତାହା ଦେଖିବାକୁ ବାକି ରହିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    71 %
    3kmh
    21 %
    Sun
    28 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ