ଟି୨୦ ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିଙ୍କ ଆହତ ସମସ୍ୟା ବଢିବାରେ ଲାଗିଛି । ଏବେ ହର୍ଷିତ ରାଣା ଆହତ ହୋଇଥିବା ଜଣାପଡିଛି । ଡାହାଣ ହାତୀ ପେସ୍ ବୋଲର ସାଉଥ ଆଫ୍ରିକା ବିପକ୍ଷରେ ୱାର୍ମ ଅପ୍ ମ୍ୟାଚରେ ଆହତ ହୋଇଛନ୍ତି । ଆହତ ହେବା ପରେ ବହୁତ ଛଟପଟ ହେଉଥିବା ନଜର ଆସିଛନ୍ତି ହର୍ଷିତ ରାଣା ।
ଟି୨୦ ବିଶ୍ବକପ ପୂର୍ବରୁ ଭାରତ-ସାଉଥ ଆଫ୍ରିକା ମଧ୍ୟରେ ୱାର୍ମଅପ୍ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ସାଉଥ ଆଫ୍ରିକାକୁ ୩୦ ରନରେ ହରାଇଥିଲା । ଏହି ମ୍ୟାଚରେ ହର୍ଷିତ ରାଣା ଆହତ ସମସ୍ୟାରେ ହୋଇଥିଲେ । ହର୍ଷିତ ଗୋଟେ ଓଭର ବୋଲିଂ କରୁଥିବା ବେଳେ ଦୁଇ ଥର ରନ ଅପ୍ କରି ରୋକିହୋଇଥିଲେ, ଏହାପରେ ନିଜ ଆଣ୍ଠୁ ଧରି ଛୋଟେଇ ଛୋଟଇ ଚାଲୁଥିବା ଦେଖିବାକୁ ମିଳିଛନ୍ତି । ତେବେ ଏନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୨୪୦ ରନ କରିଥିଲା । ଓପନିଂ କରିଥିବା ଇଶାନ କିଶନ ୭ ଛକା ଓ ୨ ଚୌକା ସହ ମାତ୍ର ୨୦ ବଲରୁ ୫୩ ରନ କରି ରିଟାୟର୍ଡ ହଟ୍ ହୋଇଥିଲେ । ଆହତ ସମସ୍ୟାରୁ ମୁକୁଳିଥିବା ତିଳକ ବର୍ମା ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୧୯ ବଲରୁ ୪୧ ରନର ଇନିଂସ ଖେଳିଛନ୍ତି । ଏଥିରେ ୩ ଚୌକା ଓ ୩ ଛକା ସାମିଲ୍ । ଅକ୍ଷର ପଟେଲ୍ ୨୩ ବଲରୁ ୩୫ ରନ କରିଥିଲେ । ଏଥିରେ ୨ ଛକା ଓ ୨ ଚୌକା ସାମିଲ୍ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୩୦-୩୦ ରନ ଯୋଗଦାନ ଦେଇଛନ୍ତି ।
ଟି୨୦ ବିଶ୍ବକପର ପ୍ରଥମ ମ୍ୟାଚ୍ ଭାରତ ଏବଂ ୟୁଏସଏ ମଧ୍ୟରେ ଖେଳାଯିବ । ହେଲେ ଏହା ପୂର୍ବରୁ ଭାରତୀୟ ଖେଳାଳିଙ୍କ ଆହତ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

