Sunday, March 29, 2026
25.1 C
Odisha

    ଟ୍ରମ୍ପଙ୍କ ଶୁଳ୍କ ନୀତି: ଲାଭରେ ରହିବ ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚୀନ୍‌, ମେକ୍ସିକୋ ଓ କାନାଡା ଉପରେ ଆମେରିକା ପକ୍ଷରୁ ଆମଦାନି ଶୁଳ୍କ ବୃଦ୍ଧି କରାଯାଇଛି। ଚୀନ୍‌ ମଧ୍ୟ ଆମେରିକା ଉପରେ ପାଲଟା ଶୁଳ୍କ ଲଗାଇଛି। ଆମେରିକା ଓ ଅନ୍ୟ ଦେଶମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଶୁଳ୍କଯୁଦ୍ଧ ଦ୍ବାରା ଆଗାମୀ ଦିନରେ ଭାରତ ଫାଇଦାରେ ରହିବା ସମ୍ଭାବନା ସୃଷ୍ଟି ହୋଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଭାରତର କୃଷି, ଇଞ୍ଜିନିୟରିଂ, ବୟନ, ରସାୟନ ଏବଂ ଚମଡ଼ା କ୍ଷେତ୍ର‌ର ରପ୍ତାନିକାରୀମାନେ ବିଶେଷଭାବେ ଉପକୃତ ହେବେ। ‌ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତିତ୍ବ ଅମଳରେ ଚୀନ ସହିତ ଆମେରିକାର ଯେଉଁ ବାଣିଜ୍ୟ ଲଢ଼େଇ ହୋଇଥିଲା ସେଥିରେ ଭାରତ ଚତୁର୍ଥ ବୃହତ୍ ଲାଭହାସଲକାରୀ ରାଷ୍ଟ୍ର ରହିଥିଲା। ଏଥର ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବ।ଆମେରିକା ପକ୍ଷରୁ ଆରମ୍ଭ ‌କରାଯାଇଥିବା ଶୁଳ୍କ ଯୁଦ୍ଧ ଫଳରେ ଭାରତ ପାଇଁ ବାଣିଜ୍ୟ ରଣନୀତି ବଦଳାଇବା ସୁଯୋଗ ସୃଷ୍ଟି ହୋଇଛି। ସାମଗ୍ରୀ ଆମଦାନି ଓ ରପ୍ତାନି ପାଇଁ ଭାରତ ବିକଳ୍ପ ସ୍ଥାନ ଅନୁସନ୍ଧାନ କରିବ। କାନାଡାରୁ ଅନେକ ସାମଗ୍ରୀ ଅପେକ୍ଷାକୃତ ଭାବେ ଅଧିକ ପ୍ରତିଯୋଗିତାମୂଳକ ଦରରେ ଭାରତ ଆମଦାନି କରିବା ସୁଯୋଗ ରହିଛି। ଭାରତରେ ଯେଉଁସବୁ ସାମଗ୍ରୀର ଚାହିଦା ଅଧିକ ରହିଛି କାନାଡା ସେସବୁ ସାମଗ୍ରୀ ଆମେରିକାକୁ ରପ୍ତାନି କରିଥାଏ। ୨୦୨୪ରେ କାନାଡାରୁ ଆମେରିକା ୧୦୩ ବିଲିଅନ ଡଲାର ମୂଲ୍ୟର ଅଶୋଧିତ ତେଲ, ୧୨.୯ ବିଲିଅନ ଡଲାର ମୂଲ୍ୟର ବିଶୋଧିତ ପେଟ୍ରୋଲିୟମ, ୩.୧ ବିଲିଅନ ଡଲାର ମୂଲ୍ୟର ସାର ଆମଦାନି କରିଥିଲା। ଏଥିସହିତ ୧.୩ ବିଲିଅନ ଡଲାରର କପର କାଥୋଡ୍‌, ୪.୩ ବିଲିଅନ ଡଲାରର ସୁନା, ୨.୨ ବିଲିଅନ ଡଲାରର ଏଥଲିନ ପଲିମର୍ସ ଏବଂ ୨.୧ ବିଲିଅନ ଡଲାର ମୂଲ୍ୟର ପ୍ଲାଷ୍ଟିକ ଆମଦାନି କରିଥିଲା।

    ଭାରତ ମଧ୍ୟ ଏସବୁ ସାମଗ୍ରୀ ବହୁମାତ୍ରାରେ ଆମଦାନି କରିଥାଏ। ୧୪୦.୩ ବିଲିଅନ ଡଲାର ମୂଲ୍ୟର ଅଶୋଧିତ ତେଲ, ୪୨.୫ ବିଲିଅନ ଡଲାର ମୂଲ୍ୟର ସୁନା, ୨.୮ ବିଲିଅନ ଡଲାରର କପର, ୨.୨ ବିଲିଅନ ଡଲାରର ଏଥଲିନ୍ ପଲିମର୍ସ, ୧.୩ ବିଲିଅନ ଡଲାର ମୂଲ୍ୟର ପ୍ଲାଷ୍ଟିକ ଏବଂ ୧.୩ ବିଲିଅନ ଡଲାର ମୂଲ୍ୟର ପ୍ଲାଷ୍ଟିକ ଆମଦାନି ଭାରତକୁ କରିବାକୁ ପଡ଼ିଥାଏ। ଆମେରିକା ଶୁଳ୍କ ବଢ଼ାଇବା ପରେ ଅନ୍ତର୍ଜାତୀୟ ବଜାରରେ ଏସବୁ ସାମଗ୍ରୀ କମ୍‌ ମୂଲ୍ୟରେ ମିଳିବା ସୁଯୋଗ ସୃଷ୍ଟି ହେବ। ତେଣୁ ଭାରତ କାନାଡାରୁ ଅନେକ ସାମଗ୍ରୀ ଆମଦାନି କରିବା ଉପରେ ବିଚାର କରିପାରେ। ଅନ୍ୟପକ୍ଷରେ ଭାରତର କୃଷି, ଇଞ୍ଜିନିୟରିଂ, ‌ଯନ୍ତ୍ରପାତି, ପୋଷାକ ରପ୍ତାନିକାରୀମାନଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି ହୋଇପାରେ।

    ଶୁଳ୍କ ଲଢ଼େଇ ଭାରତର ରପ୍ତାନି ବଢ଼ାଇବ ଓ ଆମେରିକୀୟ କମ୍ପାନିଗୁଡ଼ିକଠାରୁ ଅଧିକ ପୁଞ୍ଜିନିବେଶ ହାସଲ କରିବାରେ ସହାୟକ ହେବ। ଭାରତ ଏହାର ବିନିର୍ମାଣ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିପାରିବ। ଟ୍ରମ୍ପ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତି ନାହିଁ। ୨୦୧୮-୧୯ରେ ସେ ଆମେରିକା-ମେକ୍ସିକୋ-କାନାଡା ମୁକ୍ତ ବାଣିଜ୍ୟ ରାଜିନାମାକୁ ବଦଳାଇ ସେହି ସ୍ଥାନରେ ଆଉ ଏକ ଚୁକ୍ତି ଲାଗୁ କରିଥିଲେ। ଏଥର ସେହି ଚୁକ୍ତିକୁ ବଦଳାଇ ଚଢ଼ା ଶୁଳ୍କ ଲଗାଇଛନ୍ତି। ତେଣୁ ଆମେରିକା ସହ କୌଣସି ବାଣିଜ୍ୟ ବୁଝାମଣା ନେଇ ଆଲୋଚନା କରିବା ବେଳେ ଭାରତକୁ ସତର୍କ ରହିବାକୁ ପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    42 %
    0.9kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    41 °

    ସମ୍ବନ୍ଧିତ