Friday, October 2, 2026
22.9 C
Odisha

    ଡାଇନୋସର୍‌ ଥିମ୍ ପାର୍କରେ ଉତ୍ତେଜନା: ଦୁଇ ବର୍ଷର ଶିଶୁକୁ ଟିକେଟ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଉଦ୍‌ଘାଟିତ ପ୍ରଥମ ଡାଇନୋସର୍‌ ଥିମ ପାର୍କ ‘ଡାଇନୋସର ଆଲାଇଭ୍’ ସୋ’ରେ ପ୍ରବଳ ଭିଡ଼ ହେଉଛି। ତେବେ ଦୁଇ ବର୍ଷ ବୟସର ଶିଶୁ ପାଇଁ ଟିକେଟ୍‌ କାଟିବାକୁ ବାଧ୍ୟ କରିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଅଭିଭାବକ ବାଧ୍ୟ ହୋଇ ଟିକେଟ୍‌ କାଟିଥିଲେ। ସେଠାରେ ପିଲାଙ୍କ ଉଚ୍ଚତା ଅନୁସାରେ ପ୍ରବେଶ ଦେୟ ଦେବା ଭଳି ବିଚିତ୍ର ନିୟମ ରହିଛି। ନିୟମ ଅନୁସାରେ ୩.୨ ଫୁଟରୁ କମ୍‌ ଉଚ୍ଚତା ବିଶିଷ୍ଟ ପିଲାମାନଙ୍କୁ ସୋ’ ଦେଖିବା ପାଇଁ କୌଣସି ଟିକେଟ ପଡ଼ିବ ନାହିଁ। ହେଲେ ଆଶ୍ଚର୍ଯ୍ୟର ବିଷୟ କି ଉଚ୍ଚତା ମାପିବା ପାଇଁ କୌଣସି ଯନ୍ତ୍ର ନାହିଁ। ପ୍ରବଳ ଭିଡ଼ ଯୋଗୁଁ କର୍ମଚାରୀମାନେ ଉଚ୍ଚତା ନମାପି ସମସ୍ତଙ୍କ ଠାରୁ ଟିକେଟ୍‌ ବାଧ୍ୟତାମୂଳକ କରିଦେଇଛନ୍ତି। ଏ ନେଇ କେନ୍ଦ୍ର ପକ୍ଷରୁ କୌଣସି ସଚେତନତା ମଧ୍ୟ ସୃଷ୍ଟି କରାଯାଇନାହିଁ। ଏଣୁ ନୂଆ କରି ଆସୁଥିବା ଦର୍ଶକ ଏହି ବିଚିତ୍ର ନିୟମ ଯୋଗୁଁ ଫସି ଯାଉଥିବା ବେଳେ ଉତ୍ତେଜନା ପ୍ରକାଶ ପାଉଛି। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଫନି ସମୟରୁ ପୃଥିବୀରେ ଜୀବନର କ୍ରମ ବିବର୍ତ୍ତନର କାହାଣୀକୁ ଅଡିଓ-ଭିଜୁଆଲ୍‌ ସୋ’ ମାଧ୍ୟମରେ ପରିବେଷଣ କରୁଥିବା ‘ପ୍ରି-ହିଷ୍ଟୋରିକ ଲାଇଫ୍‌ ପାର୍କ’ ଅଚଳ ହୋଇ ପଡ଼ିଥିଲା। ଫଳସ୍ୱରୁପ କେନ୍ଦ୍ର ନିଜର ସ୍ୱତନ୍ତ୍ର ଆକର୍ଷଣ ହରାଇବା ସହିତ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଥିଲା। ତେଣୁ ଦର୍ଶକଙ୍କୁ ଆକର୍ଷିତ କରାଇବା ପାଇଁ ଗତ ୪ ତାରିଖରେ କେନ୍ଦ୍ର ପରିସରରେ ଓଡ଼ିଶାର ପ୍ରଥମ ଡାଇନୋସର ଥିମ୍‌ ପାର୍କ ‘ଡାଇନୋସର ଆଲାଇଭ୍’ ଉଦ୍‌ଘାଟିତ ହୋଇଥିଲା। ୨.୫ଏକର ପରିମିତ ଜାଗାରେ ପ୍ରସ୍ତୁତ ପାର୍କରେ ଡାଇନୋସର ମଡେଲ, ମୋସନ୍-ସେନ୍ସର ଇଫେକ୍ଟ ଓ ଇମର୍ସିଭ୍ ଗ୍ରାଫିକ୍ସ ପର୍ଯ୍ୟଟକମାନଙ୍କୁ ଏକ ରୋମାଞ୍ଚକର ଅନୁଭୂତି ପ୍ରଦାନ କରୁଥିଲା। ପ୍ରଥମ ସୋ’ରୁ ହିଁ ଏଠାରେ ପ୍ରବଳ ଭିଡ଼ ହେଉଥିଲା। ୩୦ ମିନିଟ୍‌ର ସୋ’ ଦେଖିବା ପାଇଁ ଦର୍ଶକଙ୍କୁ ୪୦ଟଙ୍କା ପୈଠ କରିବାକୁ ପଡ଼ୁଛି। ଛୋଟ ବଡ଼ ସମସ୍ତଙ୍କ ସମାନ ଦେୟ ରହିଛି। ଯାହାକୁ ନେଇ ବିବାଦ ସୃଷ୍ଟି ହେଉଛି। କେନ୍ଦ୍ର ପ୍ରକଳ୍ପ ନିର୍ଦ୍ଦେଶକ କପିଲ ଜୈନ୍‌ଙ୍କ କହିବା ଅନୁଯାୟୀ କେନ୍ଦ୍ରର ନିୟମ ଅନୁସାରେ ୩.୨ ଫୁଟ୍‌ ଉଚ୍ଚତାରୁ କମ୍‌ ଥିବା ଛୋଟ ପିଲାମାନଙ୍କୁ ସୋ’ କିମ୍ୱା ପାର୍କ ପରିଦର୍ଶନ କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କୌଣସି କାରଣ ବଶତଃ ଯଦି କିଛି ତ୍ରୁଟି ହୋଇଛି ତାହାକୁ ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ