Thursday, October 8, 2026
22.5 C
Odisha

    ଡାକ୍ତରୀ ପିଜି ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ ; ଏମ୍‌କେସିଜିରେ ରାଜ୍ୟସ୍ତରୀୟ କମିଟିର ତଦନ୍ତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର  : ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଡାକ୍ତରୀ ପିଜି ପରୀକ୍ଷାରେ ଅନିୟମିତତା ଅଭିଯୋଗର ତଦନ୍ତ କରିଛି ରାଜ୍ୟସ୍ତରୀୟ କମିଟି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଉଚ୍ଚସ୍ତରୀୟ କମିଟି ବୁଧବାର ଏମକେସିଜିରେ ପହଞ୍ଚି ଡିନ୍ ଓ ରେଜିଷ୍ଟ୍ରାର୍‌ଙ୍କ ସହ ଆଲୋଚନା ପରେ ପରୀକ୍ଷା ହଲ୍‌ର ସିସିଟିଭି ଯାଞ୍ଚ କରିଛନ୍ତି। ଏହାସହ ଅନିୟମିତତାରେ ସଂପୃକ୍ତ ଥିବା ୨ ପିଜି ପରୀକ୍ଷାର୍ଥୀଙ୍କୁ ମଧ୍ୟ କମିଟି ପଚରାଉଚରା କରିଛି।
    ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ (ଓୟୁଏଚ୍‌ଏସ୍‌) ଦ୍ବାରା ପରିଚାଳିତ ଅଲ୍‌ ଓଡ଼ିଶା ମେଡ଼ିକାଲ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଓ ଅନିୟମିତତା ଅଭିଯୋଗ ହୋଇଥିଲା। ଅନିୟମିତତାର ତଦନ୍ତ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ଜଣିଆ କମିଟି ଗଠନ କରାଯାଇଥିଲା। ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ଦାଶଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା. ବିଜୟ କୁମାର ମିଶ୍ର ଓ ଯୁଗ୍ମ ଡିଏମଇଟି ଡା. ଅନିଲ କୁମାର ସାହୁ ଆଜି ଏମ୍‌କେସିଜିରେ ପହଞ୍ଚି ପ୍ରଥମେ ଏମକେସିଜି ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର୍‌ ଡା. ହରିକ୍ରିଷ୍ଣା ଦଳେଇ ଓ ରେଜିଷ୍ଟ୍ରାର୍‌ ଡ. ଶ୍ବେତ କୁମାର ଦାଶଙ୍କ ସହ ଘଟଣା ସମ୍ପର୍କରେ ଅଲୋଚନା କରିଥିଲେ। ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ୩ଜଣିଆ କମିଟି ପରୀକ୍ଷା ଦିନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ପ୍ରଶ୍ନପତ୍ର ପ୍ରଘଟ କରିଥିବା ବିଦ୍ୟାର୍ଥୀ ଏବଂ ସେହି ପ୍ରଶ୍ନର ଉତ୍ତର ରଖିଥିବା ବିଦ୍ୟାର୍ଥୀଙ୍କୁ ପଚରାଉଚରା କରିଥିଲେ। ପରୀକ୍ଷା କେନ୍ଦ୍ର ଦାୟିତ୍ବରେ ଥିବା ବରିଷ୍ଠ ଡାକ୍ତରଙ୍କୁ ପରୀକ୍ଷା ଦିନର ଘଟଣା ସମ୍ପର୍କରେ ମଧ୍ୟ କମିଟି ପଚରାଉଚରା କରିଥିଲା। ଆସନ୍ତା ସପ୍ତାହରେ କମିଟି ତା’ର ତଦନ୍ତ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗ ନିକଟରେ ଦାଖଲ କରିବ। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି।
    ଗତ ମାସ ୨୭ ତାରିଖରେ ପିଜି ୨୦୨୩-୨୬ ବ୍ୟାଚ ଶେଷ ସେମିଷ୍ଟାର ଦ୍ବିତୀୟ ପେପର ପରୀକ୍ଷା ସମୟରେ ବିଭିନ୍ନ ପ୍ରକାର ଅନିୟମିତତା ସାମ୍ନାକୁ ଆସିଥିଲା। ପରୀକ୍ଷା ହଲ ଭିତରକୁ ବିଦ୍ୟାର୍ଥୀମାନେ ମୋବାଇଲ ନେଇ ଯାଇଥିବା ବେଳେ ବିଭିନ୍ନ ହ୍ବାଟସଆପ ଗ୍ରୁପ ଗଠନ କରି ସେଥିରେ ପ୍ରଶ୍ନପତ୍ର ଛାଡ଼ିବା ପରେ ଉତ୍ତର ଲେଖିଥିବା ଅଭିଯୋଗ ହୋଇଥିଲା। ଏପରିକି, ଏମ୍‌କେସିଜିରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ମଧ୍ୟ ପ୍ରଶ୍ନପତ୍ର ପଠାଯାଇଥିବା ଅଭିଯୋଗ ହୋଇଛି। ଘଟଣା ସାମ୍ନାକୁ ଆସିବା ପରେ ବିଶ୍ବବିଦ୍ୟାଳୟ ନିର୍ଦେଶରେ ଏମ୍‌କେସିଜି କର୍ତ୍ତୃପକ୍ଷ ୫ଜଣିଆ କମିଟି ଗଠନ କରି ପ୍ରାଥମିକ ଭାବେ ତଦନ୍ତ କରିବା ପରେ ଏହାର ରିପୋର୍ଟ ବିଶ୍ବବିଦ୍ୟାଳୟକୁ ପ୍ରଦାନ କରିଥିଲେ।
    ପ୍ରକାଶଥାଉକି, ଗତବର୍ଷ ଏମ୍‌କେସିଜିରେ ଡିଏମ୍‌ଏଲଟି ଓ ଡିଏମ୍‌ଆର୍‌ଟି ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା ହଲ ଭିତରୁ ୫୦ରୁ ଅଧିକ ମୋବାଇଲ ଜବତ ହୋଇଥିଲା। ଏମ୍‌କେସିଜିରେ ଏମ୍‌ବିବିଏସ, ଫାର୍ମାସି ଭଳି ଅନ୍ୟାନ୍ୟ ପରୀକ୍ଷା ସମୟରେ ମଧ୍ୟ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ