Friday, April 3, 2026
36.1 C
Odisha

    ଡ୍ରପ୍‌ଆଉଟ୍‌ ରୋକିବାକୁ ଅଣ୍ଟା ଭିଡ଼ିଲେ ସରକାର: ଘରକୁ ଘର ବୁଲିବେ ଶିକ୍ଷକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଡ୍ରପ୍‌ଆଉଟ୍‌ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ବୁଧବାର(ଏପ୍ରିଲ ୩୦)ଠାରୁ ଘରକୁ ଘର ବୁଲି ଶୂନରୁ ୧୮ ବର୍ଷର ପିଲାଙ୍କୁ ଚିହ୍ନଟ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ। କେଉଁ ଗ୍ରାମର କେତେ ପିଲା ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ତାହାର ତାଲିକା ପ୍ରସ୍ତୁତ କରିବେ। ବିଦ୍ୟାଳୟ ଆଖପାଖ ଅଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମ, ପଡ଼ା, ସାହି, କଲୋନିରେ ପହଞ୍ଚି ସେମାନେ ପିଲାଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରିବେ। ଗାଁରେ କେତେ ପିଲା ରହିଛନ୍ତି? ପିଲାଙ୍କ ନାମ, ବୟସ, ଲିଙ୍ଗ ଆଦି ବିଷୟରେ ତଥ୍ୟ ସଂଗ୍ରହ କରିବେ। ଆଦୌ ସ୍କୁଲ ମାଟି ମାଡ଼ି ନଥିବା ପିଲାଙ୍କୁ ଗୁରୁତ୍ବ ଦିଆଯିବ। ଯଦି ସ୍କୁଲ ଯାଇ ଅଧାରୁ ପାଠପଢ଼ା ଛାଡ଼ିଥାନ୍ତି ତାହା ହେଲେ କେଉଁ ବିଦ୍ୟାଳୟରେ ପଢ଼ୁ୍‌ଥିଲେ ତାହା ମଧ୍ୟ ଉଲ୍ଲେଖ କରିବେ। କେଉଁ କାରଣ ପାଇଁ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିବେ। କେଉଁ ଭାଷାରେ କଥାବାର୍ତ୍ତା କରନ୍ତି, ଦିବ୍ୟାଙ୍ଗ କି ନାହିଁ; ସେ ସଂକ୍ରାନ୍ତରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ। ପ୍ରଧାନ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

    ରାଜ୍ୟରେ ଏହି ସର୍ଭେ କରାଯିବା ପୂର୍ବରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ରେ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଥିଲା। ଯେଉଁଥିରେ ସଫଳତା ମଧ୍ୟ ମିଳିଛି। ତାହାକୁ ଦୃଷ୍ଟି‌ରେ ରଖି ଏପ୍ରିଲ ୩୦ରୁ ମେ ୫ ମଧ୍ୟରେ ଗୋଟିଏ ସମୟରେ ସାରା ରାଜ୍ୟରେ ଏହା କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ଓ ସିଆର୍‌ସିସିମାନେ ଭର୍ଚୁଆଲ ମାଧ୍ୟମରେ ସର୍ଭେ ବିଷୟରେ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇବେ। ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟରେ ସାମିଲ ହେବେ। ଓସେପା ପକ୍ଷରୁ ଜାରି ହୋଇଥିବା ମୋବାଇଲ୍‌ ଆପ୍ଲିକେସନ୍‌ ମାଧ୍ୟମରେ ଶିକ୍ଷକ, ଶିକ୍ଷୟିତ୍ରୀ ଅଫ୍‌ଲାଇନ୍‌ରେ ଏହି ସର୍ଭେ କରିବେ। ସର୍ଭେ ସମୟରେ ଯେପରି ଗୋଟିଏ ଘର ବି ବାଦ୍‌ ନ ପଡ଼େ, ସେଥିପ୍ରତି ଗୁରୁତ୍ବ ଦିଆଯିବ। ଯେଉଁ ପିଲାମାନେ ଅଧାରୁ ପାଠ ଛାଡ଼ିଥିବା ନଜରକୁ ଆସିବେ ସେମାନଙ୍କର ଆଉ ଥରେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

    ଶିକ୍ଷକମାନେ ପ୍ରତିଦିନ ୨ରୁ ୩ ଘଣ୍ଟା ସର୍ଭେ ପାଇଁ ସମୟ ଦେବେ। ସିଆର୍‌ସିସିମାନେ ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କୁ ନେଇ ଗ୍ରାମ ପଞ୍ଚାୟତସ୍ତରୀୟ ବୈଠକ କରିବେ। ସର୍ଭେ ସମୟରେ ସିଆର୍‌ସିସି ୪ଟି ଜନବସତିର ୪ଟି ସ୍କୁଲ ଗସ୍ତ କରିବାକୁ ଥିବା ବେଳେ ବିଇଓମାନେ ୩ଟି କ୍ଲଷ୍ଟର୍‌ର ୩ଟି ବିଦ୍ୟାଳୟ ଓ ଡିଇଓମାନେ ଦୁଇଟି ବ୍ଲକ୍‌ର ଦୁଇଟି ବିଦ୍ୟାଳୟ ଗସ୍ତ କରି ସର୍ଭେ ଯାଞ୍ଚ କରିବା ବାଧ୍ୟତାମୂଳକ। ସର୍ଭେ ସମୟରେ ସଂଗୃହୀତ ତଥ୍ୟକୁ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ତଦାରଖ କରିବେ। ସିଆର୍‌ସିସିମାନେ କ୍ଲଷ୍ଟର୍‌ସ୍ତରୀୟ ତଥ୍ୟ ସଂଗ୍ରହ କରିବା ସହ ତାହାକୁ ଏକାଠି କରି ବିଇଓଙ୍କ ନିକଟରେ ଦାଖଲ କରିବେ। ସିଆର୍‌ସିସିଙ୍କଠାରୁ ମିଳିଥିବା ତଥ୍ୟଗୁଡ଼ିକୁ ବ୍ଲକ୍‌ସ୍ତରୀୟ ଏମ୍‌ଆଇଏସ୍‌ ତଥା ପ୍ଲାନିଂ କୋର୍ଡିନେଟର ସେଗୁଡ଼ିକୁ ଏକାଠି କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ରାଜ୍ୟସ୍ତରୀୟ ନୋଡାଲ୍‌ ଅଧିକାରୀମା‌ନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନରେ ଯିବା ସହ ସର୍ଭେ ଯାଞ୍ଚ କରିବାକୁ କୁହାଯାଇଛି।

    ବର୍ତ୍ତମାନ ସମୟରେ ରାଜ୍ୟରେ ଡ୍ରପ୍‌ଆଉଟ୍ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ହଜାର ହଜାର ପିଲା ଡ୍ରପ୍‌ଆଉଟ୍ ହୋଇ ରହିଛନ୍ତି, ଯେଉଁମାନଙ୍କର କୌଣସି ଖୋଜଖବର ହିଁ ନାହିଁ। ତେଣୁ ସେହି ସମସ୍ତ ପିଲାଙ୍କୁ ଖୋଜି ଆଣି ସେମାନଙ୍କ ବୟସ ଓ ଯୋଗ୍ୟତା ଅନୁଯାୟୀ ନାମ ଲେଖାଇବାକୁ ଏଭଳି ପ୍ରୟାସ ହୋଇଛି। ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ କରି ବୟସ ଓ ପାଠପଢ଼ା ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ସେମାନଙ୍କ ନାମ ଲେଖାଯିବ ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ