Friday, October 2, 2026
22.2 C
Odisha

    ତାମିଲନାଡୁ-କେନ୍ଦ୍ରର ହିନ୍ଦୀ ବିବାଦ: ଭାଷାଯୁଦ୍ଧରେ ସାମିଲ ହେଲେ ଅଧିକ ରାଜ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ଜୋରଜବରଦସ୍ତ ଥୋପିବାକୁ ଚେଷ୍ଟା କରୁଛନ୍ତି ବୋଲି ତାମିଲନାଡ଼ୁ ଅଭିଯୋଗ ବାଢ଼ିଥିବା ବେଳେ ଅନ୍ୟ ଦକ୍ଷିଣୀ ରାଜ୍ୟ ମଧ୍ୟ ଏହି ଭାଷାଯୁଦ୍ଧରେ ସାମିଲ ହୋଇଛନ୍ତି। ବିଜେପି ପ୍ରତ୍ୟେକ ଭାରତୀୟ ଭାଷାରେ ଭାରତୀୟ ସଂସ୍କୃତିର ପ୍ରତିଫଳନ ଦେଖୁଛି ଏବଂ ପ୍ରତ୍ୟେକ ଭାରତୀୟ ଭାଷାକୁ ଶ୍ରଦ୍ଧାଯୋଗ୍ୟ ମନେ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟରେ ସ୍ପଷ୍ଟ କରିଥିଲେ ମଧ୍ୟ କେତେକ ନେତା ଭାଷା ବିବାଦକୁ ରାଜନୈତିକ ରୂପ ଦେଉଛନ୍ତି। ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ୯୮ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସମସ୍ତ ଭାଷାକୁ ଗ୍ରହଣ କରିବା ଓ ସମୃଦ୍ଧ କରିବା ଆମର ସାମାଜିକ ଦାୟିତ୍ୱ।୨୦୨୫ ଭାଷା ବିବାଦର କାରଣ କ’ଣ?
    ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଅଧୀନରେ ନିର୍ଦ୍ଧାରିତ ବିଦ୍ୟାଳୟ ଶିକ୍ଷା ପାଇଁ ତ୍ରିଭାଷୀ ଫର୍ମୁଲାକୁ ନେଇ ବର୍ତ୍ତମାନର ଭାଷା ବିବାଦ ଲାଗି ରହିଥିବା ବେଳେ ତା]ମିଲନାଡୁର ଶାସକ ଡିଏମ୍‌କେ ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର ଏହି ନୀତିର କାର୍ଯ୍ୟକାରିତା ଉପରେ ଜୋର ଦେଇ ରାଜ୍ୟ ଉପରେ ହିନ୍ଦୀ ଭାଷାକୁ ଲଦିଦେବାକୁ ଚେଷ୍ଟା କରୁଛନ୍ତି।

    ଶେଷ ଭାଷା ବିବାଦ କେବେ ହୋଇଥିଲା?
    ୨୦୨୨ରେ କନ୍ନଡ ଅଭିନେତା କିଚ୍ଚା ସୁଦୀପ ତାଙ୍କ ବଲିଉଡ୍ ସାଥୀ କଳାକାର ଅଜୟ ଦେବଗନଙ୍କ ସହ କଥାବାର୍ତ୍ତା କରିବା ପରେ ହିନ୍ଦୀ ଆଧିପତ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ‘ହିନ୍ଦୀ ଆମର ମାତୃଭାଷା ଓ ଜାତୀୟ ଭାଷା ଥିଲା, ଅଛି ଓ ସବୁବେଳେ ରହିବ’ ବୋଲି ଦେବଗନ ଦାବି କରିଥିଲେ, ଯାହାକୁ ଭାରତର ଭାଷାଗତ ବିବିଧତାର ସମର୍ଥକମାନେ ତୀବ୍ର ସମାଲୋଚନା କରିଥିଲେ। ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିଜେପି ଭାରତୀୟ ଭାଷାକୁ ଭାରତୀୟତାର ଆତ୍ମା ଏବଂ ଦେଶର ଉନ୍ନତ ଭବିଷ୍ୟତର ଲିଙ୍କ୍ ବୋଲି ବିବେଚନା କରେ।

    ଭାଷା ବିବାଦ: ଚଳିତ ସପ୍ତାହରେ ଭାରତରେ କ’ଣ ଘଟିଛି?
    ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ୨୦୨୫-୨୬ ପାଠ୍ୟକ୍ରମରେ ଆଞ୍ଚଳିକ ଭାଷାରୁ ପଞ୍ଜାବୀକୁ ବାଦ୍ ଦେବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିଛନ୍ତି। ପଞ୍ଜାବୀ ହେଉଛି ଆମର ମାତୃଭାଷା। ଆମ ମାତୃଭାଷା ଉପରେ ଏହି ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ବାଦଲ କହିଛନ୍ତି।

    ତେଲେଙ୍ଗାନା ସରକାର କହିଛନ୍ତି ଯେ କେନ୍ଦ୍ର ଦ୍ବାରା ପରିଚାଳିତ ଓ ସିବିଏସ୍‌ଇ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟ ସମେତ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ତେଲୁଗୁକୁ ବାଧ୍ୟତାମୂଳକ କରାଯିବ। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମକୁ ‘ଷ୍ଟାଣ୍ଡାର୍ଡ ତେଲୁଗୁ’ରୁ ‘ସରଳ ତେଲୁଗୁ’କୁ ହ୍ରାସ କରାଯିବ, ଯାହା କି ୨୦୨୫/୨୬ରୁ ଆରମ୍ଭ ହୋଇ ପରବର୍ତ୍ତୀ ଶ୍ରେଣୀ ପାଇଁ ୨୦୨୬/୨୭ରୁ ଆରମ୍ଭ ହେବ।

    ଦୀର୍ଘ ଦିନ ଧରି ଚାଲିଆସୁଥିବା କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ ଚଳିତ ସପ୍ତାହରେ ପୁଣି ଉଗ୍ର ରୂପ ଧାରଣ କରିଛି। ଏଥର ବେଲଗାଭିରେ ଭାଷାକୁ ନେଇ ଯୁଦ୍ଧ ହୋଇଥିଲା। ମରାଠୀରେ ପ୍ରତିକ୍ରିୟା ନ ଦେବାରୁ ବେଲଗାଭିର ଜଣେ କେଏସ୍‌ଆର୍‌ଟିସି ବସ୍ କଣ୍ଡକ୍ଟରଙ୍କୁ ଆକ୍ରମଣ କରାଯିବା ପରେ ଉତ୍ତେଜନା ବଢ଼ିଯାଇଥିଲା। ଏହାପରେ କର୍ଣ୍ଣାଟକର ଚିତ୍ରଦୁର୍ଗାରେ ଜଣେ ମହାରାଷ୍ଟ୍ର ବସ୍ ଡ୍ରାଇଭରଙ୍କ ଦେହରେ କଳାରଙ୍ଗ ବୋଳାଯାଇଥିଲା। ଏହି ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ଉଭୟ ରାଜ୍ୟ ବସ୍ ଚଳାଚଳ ସ୍ଥଗିତ ରଖିଥିଲେ।

    ଅଭିନେତ୍ରୀ ରଞ୍ଜନା ନାଚିଆର ହିନ୍ଦୀ ପ୍ରୟୋଗକୁ ନେଇ ଅସନ୍ତୋଷ ପ୍ରକାଶ କରି ଆଠ ବର୍ଷ ପୂର୍ବେ ଯୋଗ ଦେଇଥିବା ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଥିଲେ। ବୁଧବାର ସେ ସାଥୀ ଅଭିନେତା ବିଜୟଙ୍କ ତାମିଲଗା ଭେଟ୍ରି କାଜଗମରେ ଯୋଗ ଦେଇଥିଲେ। ଜୋହୋର ମୁଖ୍ୟ ବୈଜ୍ଞାନିକ ଶ୍ରୀଧର ଭେମ୍ବୁ କିନ୍ତୁ ତାମିଲ ଭାଷୀ ଇଞ୍ଜିନିୟର ଏବଂ ଉଦ୍ୟୋଗୀମାନଙ୍କୁ ବ୍ୟବସାୟ ଅଭିବୃଦ୍ଧି ପାଇଁ ହିନ୍ଦୀ ଶିଖିବାକୁ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ