ତାଳଚେର : ତାଳଚେରରେ ଧସିଲା ମାଟି । ବିରାଟକାୟ ଗାତ ସୃଷ୍ଟି ହୋଇଛି । ହାଣ୍ଡିଧୂଆ ଅଞ୍ଚଳରେ ମାଟି ଖସି ୨୦ ଫୁଟ ଚଉଡ଼ା ଓ ୫୦ ଫୁଟ ଗଭୀରର ଏକ ଗାତ ସୃଷ୍ଟି ହୋଇଛି । ଭୟଭୀତ ଅବସ୍ଥାରେ ଲୋକ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଖଣି ଅଞ୍ଚଳର ଭୂଗର୍ଭ ସୁରକ୍ଷା ଓ ଜନସାଧାରଣଙ୍କ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି । ଘଟଣାସ୍ଥଳରେ ଖଣି କର୍ତ୍ତୃପକ୍ଷ ପହଞ୍ଚି ଧସିଥିବା ସ୍ଥାନକୁ ବ୍ୟାରିକେଡ୍ କରି ଆବଦ୍ଧ କରିଛନ୍ତି । ବାରମ୍ବାର ମାଟି ଧସିବାର କାରଣ ଖୋଜିବା ଏବଂ ଏହାର ବୈଜ୍ଞାନିକ ଅନୁସନ୍ଧାନ ଚାଲିଥିବା କହିଛନ୍ତି ତାଳଚେର ଉପଜିଲ୍ଲାପାଳ ।
୨୦୨୦ ଜାନୁଆରୀ ୨୦ ତାରିଖରେ ଦେଉଳବେଡ଼ା ତେଲିସାହିର ଧାନବିଲରେ ପ୍ରାୟ ୧୦ ଫୁଟ ଚଉଡ଼ାର ଗର୍ତ୍ତ ସୃଷ୍ଟି ହୋଇଥିଲା । ସେହିବର୍ଷ ଅକ୍ଟୋବର ୨୩ ତାରିଖରେ ବାଘୁଆବୋଲ ଶିବମନ୍ଦିର ନିକଟରେ ଏକ କୂଅ ପାର୍ଶ୍ୱର ଚଟାଣ ପ୍ରାୟ ୪ ଫୁଟ ଦବିଯାଇଥିଲା । ସେହିପରି ୨୦୧୮ରେ ତାଳଚେର ଥାନା ସମ୍ମୁଖରେ ଏକ ଘର ଦବିଯିବା ଘଟଣା ମଧ୍ୟ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଭୂଗର୍ଭରୁ କୋଇଲା ଉତ୍ତୋଳନ ପରେ ଖାଲି ସ୍ଥାନରେ ଠିକ୍ ଭାବେ ବାଲି ଭର୍ତ୍ତି କରାଯାଉ ନଥିବାରୁ ଏଭଳି ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଆସୁଛନ୍ତି ।
