ତେଲୁଗୁ ସିନେମା ଜଗତରୁ ଆସିଲା ଦୁଃଖଦ ଖବର । ବରିଷ୍ଠ ଅଭିନେତା ଗିରି ବାବୁଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି। ନଭେମ୍ବର ୧୪ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ସାରା ସିନେ ମା ଜଗତରେ ଶୋକର ଛାୟା ଖେଳିଯାଇଛି। ଚିରଞ୍ଜୀବୀ ଓ ପବନ କଲ୍ୟାଣଙ୍କ ଭଳି ଅନେକ ବଡ଼ ବଡ଼ କଳାକାର ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଗିରି ବାବୁଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ଫିଲ୍ମ ଚାମ୍ବରରେ ରଖାଯାଇଥିଲା। ଏଠାରେ ଟଲିଉଡ୍ର ବହୁ କଳାକାର, ସହକର୍ମୀ ଏବଂ ପ୍ରଶଂସକ ପହଞ୍ଚି ତାଙ୍କୁ ଶେଷ ବିଦାୟ ଜଣାଇଥିଲେ । ଏହି ସମୟରେ ତାଙ୍କ ବଡ଼ ପୁଅ ତଥା ଅଭିନେତା ରଘୁ ବାବୁ ଭାବବିହ୍ୱଳ ହୋଇପଡ଼ିଥିଲେ । ପିତାଙ୍କ ଶେଷ ଇଚ୍ଛା ସମ୍ପର୍କରେ ସୂଚନା ଦେଇ ରଘୁ ବାବୁ କହିଛନ୍ତି ଯେ, ଗିରି ବାବୁଙ୍କର ନିଜ ଜନ୍ମସ୍ଥାନ ପ୍ରତି ଗଭୀର ଭଲପାଇବା ଥିଲା । ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ନିକଟସ୍ଥ ନିଜ ଗାଁ ରବିନୁଥଲାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଉ ବୋଲି ସେ ଇଚ୍ଛା ପ୍ରକାଶ କରିଥିଲେ। ତେବେ ଗିରି ବାବୁ କେବଳ ଜଣେ ଅଭିନେତା ନଥିଲେ, ବରଂ ଜଣେ ସଫଳ ନିର୍ଦ୍ଦେଶକ ଓ ପ୍ରଯୋଜକ ମଧ୍ୟ ଥିଲେ। ପ୍ରାୟ ୪୭ ବର୍ଷର ଫିଲ୍ମ କ୍ୟାରିୟରରେ ସେ ପାଖାପାଖି ୬୫୦ଟି ଫିଲ୍ମରେ ଅଭିନୟ କରିଥିଲେ। ତେଲୁଗୁ ସିନେମାରେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ସିନେମାସ୍କୋପ୍ ଫିଲ୍ମ ନିର୍ଦ୍ଦେଶନା ଦେବାରେ ସେ ପ୍ରଥମ ବ୍ୟକ୍ତି ଥିଲେ। ତାଙ୍କ ନିର୍ଦ୍ଦେଶିତ ‘ଦେବଥଲାରା ଦିବିଞ୍ଚାଣ୍ଡି’ ଫିଲ୍ମ ବେଶ୍ ସଫଳତା ହାସଲ କରିଥିଲା ।
ଅନ୍ୟପଟେ ଅଭିନେତ୍ରୀ ଅନ୍ନପୂର୍ଣ୍ଣା ମଧ୍ୟ ଗିରି ବାବୁଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ସେ ଏକୁଟିଆ ଅନୁଭବ କରୁଥିବା କଥା ସେ କହିଛନ୍ତି । ଗିରି ବାବୁ ଜଣେ ମିଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ ବୋଲି ତାଙ୍କ ସହକର୍ମୀମାନେ ସ୍ମୃତିଚାରଣ କରିଛନ୍ତି । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ‘ଅନ୍ନି ମଞ୍ଚି ଶକୁନମୁଲେ’ ତାଙ୍କର ଶେଷ ଫିଲ୍ମ ଥିଲା । ତାଙ୍କ ବିୟୋଗ ତେଲୁଗୁ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।
